ପୁରୁଣା ଭୁବନେଶ୍ୱର: ଶ୍ରାବଣ ପ୍ରଥମ ସୋମବାରରେ ଆଜି ପାଖାପାଖି ହଜାରେ କାଉଡ଼ିଆ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଜଳଲାଗି କରିଛନ୍ତି। କରୋନା ଯୋଗୁଁ ୨ ବର୍ଷ ହେଲା ବୋଲବମ୍ ଯାତ୍ରା ବନ୍ଦ ଥିବାରୁ ଆଜି ଭକ୍ତମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଥିଲା। ଭୋର ସାଢ଼େ ୩ଟାରେ ମଙ୍ଗଳ ଆଳତି ଓ ଅବକାଶ ନୀତି କରାଯିବା ପରେ ୪ଟାରେ ସାହାଣମେଲା ଦର୍ଶନ ଆରମ୍ଭ ହୋଇଥିଲା। ଏହାପରେ ଧାଡ଼ି କରି କାଉଡ଼ିଆମାନେ ମନ୍ଦିରକୁ ପ୍ରବେଶ କରି ଜଳଲାଗି କରିଥିଲେ। ଚଳଚ୍ଚିତ୍ର ତାରକା ବାବୁସାନ୍ ମଧ୍ୟ କାଉଡ଼ିଆ ବେଶରେ ମହାପ୍ରଭୁଙ୍କୁ ଜଳଲାଗି କରିଥିଲେ। ତାଙ୍କ ସହ ଫଟୋ ଉଠାଇବାକୁ ମନ୍ଦିର ବାହାରେ ପ୍ରଶଂସକଙ୍କ ଭିଡ଼ ଜମିଥିଲା।
ଆଇନଶୃଙ୍ଖଳା ଓ ଭକ୍ତଙ୍କ ସୁରକ୍ଷା ଲାଗି ଗତ ରାତିରୁ ପୁଲିସ ମନ୍ଦିର ସିଂହଦ୍ବାର ଓ ଆଖପାଖ ଅଞ୍ଚଳରେ ଡେରା ପକାଇଥିଲା। ଆଜି ସକାଳେ ଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟି ମଧ୍ୟ ମନ୍ଦିରକୁ ଆସି ସ୍ଥିତି ଅନୁଧ୍ୟାନ କରିଥିଲେ। ସୂଚନାଯୋଗ୍ୟ, ରାଜ୍ୟରେ ପୁଣିଥରେ କରୋନା ବଢ଼ୁଥିବାରୁ କାଉଡ଼ିଆମାନେ ମାସ୍କ ପିନ୍ଧି ମନ୍ଦିରକୁ ଆସିବା ପାଇଁ ବିଏମ୍ସି ମାର୍ଗଦର୍ଶିକା ଜାରି କରିଥିଲା। ହେଲେ କାଁ ଭାଁ କାଉଡ଼ିଆ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଭକ୍ତଙ୍କ ସୁବିଧା ଲାଗି ବହୁ ସ୍ବେଚ୍ଛାସେବୀ ସଂସ୍ଥା ମନ୍ଦିର ଭିତରେ ଓ ବାହାରେ ସେବା କାର୍ଯ୍ୟ କରିଥିଲେ।