ଏ ଯୁଗର ଶ୍ରବଣ କୁମାର: ଦୃଷ୍ଟିହୀନ ପିତାମାତାଙ୍କ ସେବାରେ ଦିବ୍ୟଦର୍ଶନ

ପାଠପଢ଼ା ବୟସରେ ଘର ସମ୍ଭାଳୁଛି, ବସ୍ତି ପାଇଁ ପ୍ରେରଣା ସାଜିଛି

ଭୁବନେଶ୍ବର: ପିତାମାତା ବୃଦ୍ଧ ହେଲେ ଅନେକ ପିଲାଙ୍କ ପାଇଁ ଅଲୋଡ଼ା ହୋଇଯାଉଛନ୍ତି। ଶେ‌ଷ ସମୟ ସେମାନଙ୍କର କଟୁଛି ଜରାଶ୍ରମରେ। ହେଲେ କୁନି ବୟସରେ ଦୃଷ୍ଟିହୀନ ପିତାମାତାଙ୍କ ସେବା ଶୁଶ୍ରୁଶା କରୁଛି ୮ ବର୍ଷର ବାଳକ ଦିବ୍ୟଦର୍ଶନ ସାହୁ। ସାଙ୍ଗମାନଙ୍କ ସହ ଖେଳକୁଦ କରିବା ବୟସରେ ଘର ସମ୍ଭାଳୁଛି। ଦୃଷ୍ଟିହୀନ ପିତାମାତାଙ୍କ ହାତ ଧରି ବାଟ ଚଲାଇବା, ରୋଷେଇ କରି ଖାଦ୍ୟ ଖୁଆଇବା ସହ ପାଖେ ପାଖେ ରହି ସେମାନଙ୍କ ସେବାରେ ଦିନରାତି ଏକ କରି ଦେଇଛି ଦିବ୍ୟ। ବସ୍ତି ବାସିନ୍ଦାଙ୍କ ପ୍ରେରଣା ସାଜିଥିବା ଏହି କୁନି ବାଳକ ସମାଜ ଆଖିରେ ଶ୍ରବଣ କୁମାର ପାଲଟି ଯାଇଛି।

ରାଜଧାନୀସ୍ଥିତ ସତ୍ୟନଗର ରାଜକୁମାର ବସ୍ତିରେ ଘର ଭଡ଼ା ନେଇ ରହୁଛନ୍ତି ସନାତନ ସାହୁ। ପତ୍ନୀ କଲ୍ୟାଣୀ ସାହୁ ଓ ୮ ବର୍ଷର ପୁଅ ଦିବ୍ୟଦର୍ଶନଙ୍କୁ ନେଇ ତାଙ୍କ ପରିବାର। ନିଜ ଘର କେନ୍ଦ୍ରାପଡ଼ା ଜିଲ୍ଲାରେ ହୋଇଥିବା ବେଳେ ୧୪ ବର୍ଷ ହେଲା ପରିବାର ସହ ଭୁବନେଶ୍ବରରେ ରହୁଛନ୍ତି। ସନାତନ ଓ କଲ୍ୟାଣୀ ଅଜଣା ରୋଗରେ ପୀଡ଼ିତ ହୋଇ ଦୃଷ୍ଟି ଶକ୍ତି ହରାଇ ବସିଥିଲେ। ଓଡ଼ିଶା ଦୃଷ୍ଟିହୀନ ସଂଘରେ ଟ୍ରେନିଂ ନେବା ସମୟରେ ଉଭୟଙ୍କ ବିବାହ ହୋଇଥିଲା। ସନାତନ ପ୍ରତିଦିନ ଏକ ଓଜନ ମେସିନ୍ ଧରି ରାଜଧାନୀର ବିଭିନ୍ନ ସ୍ଥାନରେ ବସୁଛନ୍ତି। ସେଥିରୁ ଯାହା ରୋଜଗାର ହେଉଛି ଘର ଭଡ଼ା ଦେବା ସହ ଅନ୍ୟାନ୍ୟ ଖର୍ଚ୍ଚ କରୁଛନ୍ତି। କଷ୍ଟେମଷ୍ଟେ ସନାତନଙ୍କ ପରିବାର ଚାଲିଥିବା ବେଳେ କେବଳ ପୁଅ ଦିବ୍ୟ ସେମାନଙ୍କ ପାଇଁ ଆଶାବାଡ଼ି ସାଜିଛି। ପାଠପଢ଼ା ଓ ଖେଳକୁଦ କରିବା ସମୟରେ ଘରେ ରହି ଦୃଷ୍ଟିହୀନ ପିତାମାତାଙ୍କ ସେବାରେ ସମର୍ପିତ ହୋଇଛି। ଏହି କୋମଳମତି ବୟସରେ ଘର କାମରେ ସମୟ ଦେଉଥିବା ବେଳେ ବଳକା ସମୟରେ ପଢ଼ାପଢ଼ିରେ ସମୟ ଦିଏ। ଦିବ୍ୟ ବର୍ତ୍ତମାନ ଚତୁର୍ଥ ଶ୍ରେଣୀରେ ପଢୁଛି। ପିତାମାତା ଦୃଷ୍ଟିହୀନ ହୋଇଥିବାରୁ ଦିବ୍ୟ ଘରେ ନିଜେ ଗ୍ୟାସ୍ ଲଗାଇ ରୋଷେଇ କରିବା, ଲୁଗା ଧୋଇବା ସହ ସେମାନଙ୍କୁ ଖାଦ୍ୟ ଖୁଆଇ ଦେବା ଭଳି କାମ କରେ।

ପିତାମାତାଙ୍କ ସେବା କରିବା ଦ୍ୱାରା ବହୁତ ଖୁସି ଅନୁଭବ କରୁଛି। ସେମାନଙ୍କୁ ଦେଖା ଯାଉନାହିଁ, ବହୁତ ହଇରାଣ ହେଉଛନ୍ତି। ତାଙ୍କୁ ନେବା ଆଣିବା କରୁଛି। ତାଙ୍କର ଏହି ସମୟରେ ମୁଁ ଘରେ ରହି ସେବା ଶୁଶ୍ରୁଶା କରିବା ସହ ପଢାପଢିରେ ସମୟ ଦେଉଛି। ଆଗକୁ ଡାକ୍ତର ହୋଇ ସାଧାରଣ ଲୋକଙ୍କ ସେବା କରିବି ବୋଲି ବୋଲି ଦିବ୍ୟ କହିଛି।
ଦିବ୍ୟଙ୍କ ପିତାମାତା କୁହନ୍ତି, ପୁଅକୁ ପାଠ ପଢ଼ାଇ ବଡ଼ ମଣିଷ କରିବାକୁ ଆମର ଆଶା ରହିଛି। ସରକାର ଆମକୁ କିଛି ସାହାଯ୍ୟ କଲେ ପୁଅର ପାଠ ପଢା କାମରେ ଲାଗିପାରନ୍ତା। ଯଦି କୌଣସି ସହୃଦୟ ବ୍ୟକ୍ତି ବା ଅନୁଷ୍ଠାନ ସାହାଯ୍ୟ କରିବାକୁ ଚାହୁଥିବେ ତେବେ ମୋବାଇଲ ନଂ ୮୦୯୩୨୫୩୩୯୫ ରେ ଯୋଗାଯୋଗ କରିବାକୁ ସନାତନ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର