ଭୁବନେଶ୍ୱର: ରଥଯାତ୍ରା ଆଉ ଢେର ଦିନ ବାକି ଅଛି। ଆଉ ଏବେ ବି ମହାପ୍ରଭୁଙ୍କର ସେମିତି କୌଣସି ବିଶେଷ ଉତ୍ସବ ନାହିଁ। ତଥାପି ଦେଶବିଦେଶର ଭକ୍ତ ଓ କଳାକାରଙ୍କ ସମାଗମ ଦେଖିବାକୁ ମିଳିଥିଲା। ସଭିଏଁ ଜଗନ୍ନାଥଙ୍କ ଭକ୍ତିଭାବରେ ତଲ୍ଲୀନ ହୋଇ ଯାଇଥିଲେ। ଏପରି ଅବସର ସୃଷ୍ଟି ହୋଇଥିଲା ସ୍ଥାନୀୟ ଭଞ୍ଜକଳା ମଣ୍ଡପରେ ଜାତୀୟ ସଂସ୍କୃତି ମିସନ୍ ପକ୍ଷରୁ ଆୟୋଜିତ ଶ୍ରୀ ଜଗନ୍ନାଥ ଆନ୍ତର୍ଜାତୀୟ ସମାରୋହର ଉଦ୍ଘାଟନୀ ଦିବସରେ। ବିଶିଷ୍ଟ ସ୍ଥପତି ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ସମାରୋହକୁ ଉଦ୍ଘାଟନ କରି କହିଲେ, ମହାପ୍ରଭୁଙ୍କ କୃପା ଥିଲେ କୌଣସି ବି କାମ ଅସାଧ୍ୟ ନୁହେଁ । ସେ ସାରା ବିଶ୍ୱର ଦେବତା। ସାଂସଦ ପ୍ରଶନ୍ନ ପାଟ୍ଟଶାଣୀ ମୁଖ୍ୟଅତିଥି, ରାମକୃଷ୍ଣ ମିସନ୍, କଳାହାଣ୍ଡିର ସ୍ୱାମୀ ବୈରାଗ୍ୟାନନ୍ଦ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ।
ଜଗନ୍ନାଥ ସଂସ୍କୃତି ଗବେଷିକା କଲ୍ୟାଣୀ ନନ୍ଦୀ, ଭାସ୍କର ମିଶ୍ର ପ୍ରମୁଖ ଜଗନ୍ନାଥଙ୍କ ବିଭିନ୍ନ ରୀତିନୀତି ସମ୍ପର୍କରେ ଆଲୋଚନା କରିଥିଲେ। ସାନ୍ଧ୍ୟ ଅଧିବେଶନରେ ବ୍ରାଜିଲ କଳାକାର କାମଲକ୍ଷ୍ମୀ ରୂପାନୀ ଗୀତଗୋବିନ୍ଦରେ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିଥିବା ବେଳେ ବ୍ରୁନୋ ହେନେରିକ୍ ଟୋନିଲି ଇଂରାଜୀରେ ଜଗନ୍ନାଥଙ୍କ ଭଜନ ପରିବେଷଣ କରିଥିଲେ। ଦୁବାଇର କଳାକାର ପ୍ରୀତି ତାପାଭୋଟାଲ କୁଚୁପୁଡ଼ି ନୃତ୍ୟ ପ୍ରଦର୍ଶନ କରିଥିଲେ। ଗୁରୁ ନିମାକାନ୍ତ ରାଉତରାୟ ଜଗନ୍ନାଥ ଅଷ୍ଟକମ୍ ସହ ଗୀତଗୋବିନ୍ଦ ଗାଇଥିଲେ। ଜାପାନ୍, ଦୁବାଇ ଆଦି ଦେଶରେ ରହୁଥିବା ବିଦେଶୀ ଭକ୍ତ ଏହି ସମାରୋହରେ ଯୋଗ ଦେଇଥିଲେ। ଏହି ଅବସରରେ ଶିକ୍ଷାବିତ୍ ବଦ୍ରିନାଥ ପଟ୍ଟନାୟକ, ମର୍ଦଳ ଗୁରୁ ବନମାଳି ମହାରଣାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ଇଂ ଦୁଷ୍ମନ୍ତ କୁମାର ସ୍ୱାଇଁ ପ୍ରାରମ୍ଭିକ ସୂଚନା ଦେଇଥିଲେ। ସାଙ୍ଗଠନିକ କମିଟି ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ଉତ୍ସବ କମିଟି ଅଧ୍ୟକ୍ଷ ସଞ୍ଜୀବ ପାଇକରାୟ, ଆବାହକ ଜଗବନ୍ଧୁ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଦୁଇଦିନିଆ ସମାରୋହ ଆସନ୍ତାକାଲି ଉଦ୍ଯାପିତ ହେବ।
ଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ ସମାରୋହ ଉଦ୍ଘାଟିତ
ଯୋଗଦେଲେ ଦେଶବିଦେଶର ଭକ୍ତ ଓ କଳାକାର
/sambad/media/post_attachments/wp-content/uploads/2018/02/m26-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)