‘ଶ୍ରୀମନ୍ଦିର ସେବା କର୍ମାଙ୍ଗୀ’ ଗ୍ରନ୍ଥ ଲୋକାର୍ପିତ: ଶ୍ରୀଜଗନ୍ନାଥଙ୍କ ସେବା,ପୂଜା ଅନନ୍ୟ

ଚନ୍ଦ୍ରଶେଖରପୁର: ଶ୍ରୀଜଗନ୍ନାଥଙ୍କ ନୀତି, ସେବା, ପୂଜା ଅନନ୍ୟ ଓ ଅତୁଳନୀୟ ବୋଲି ଶୈଳଶ୍ରୀ ବିହାରସ୍ଥିତ ଏକ ହୋଟେଲରେ ‘ଶ୍ରୀମନ୍ଦିର ସେବା କର୍ମାଙ୍ଗୀ’ ଗ୍ରନ୍ଥ ଲୋକାର୍ପଣ ଉତ୍ସବରେ ଯୋଗଦେଇଥିବା ଅତିଥିମାନେ ମତପ୍ରକାଶ କରିଛନ୍ତି। ବିଶିଷ୍ଟ ଗବେଷକ ଭାସ୍କର ମିଶ୍ରଙ୍କ ସ୍ୱରଚିତ ଗ୍ରନ୍ଥକୁ ନାଲ୍‌କୋର ପୂର୍ବତନ ଅଧକ୍ଷ ତପନ କୁମାର ଚାନ୍ଦ ଉନ୍ମୋଚନ କରି ଶ୍ରୀଜଗନ୍ନାଥଙ୍କ ମାହାତ୍ମ୍ୟ ଉପରେ ଆଲୋକପାତ କରିଥିଲେ। ବିଶିଷ୍ଟ ସାହିତ୍ୟିକ ତଥା ଗବେଷକ ଅସିତ ମହାନ୍ତି ଗ୍ରନ୍ଥର ସମୀକ୍ଷା କରି କହିଲେ ଶ୍ରୀଜଗନ୍ନାଥଙ୍କ ପ୍ରମାଣିକ ତଥ୍ୟ ସମ୍ବଳିତ ପୁସ୍ତକର ସଂଖ୍ୟା ବହୁତ କମ୍‌। ତେଣୁ ଓଡ଼ିଶାର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ହେଲେ ମଧ୍ୟ ତାଙ୍କ ବିଷୟରେ ଆମେ ବିଶେଷ କଥା କିଛି ଜାଣିପାରିନୁ। ଏହାର ସୁଯୋଗର ବହୁ ବିଭ୍ରାନ୍ତିକର ତଥ୍ୟ ଆମ ପାଖକୁ ଆସେ ଏବଂ ବିନା ପରୀକ୍ଷା‌ନିରୀକ୍ଷାରେ ଆମେ ତାହାକୁ ଗ୍ରହଣ କରିଥାଉ। ଥରେ ଗ୍ରହଣ କରି ନେବା ପରେ ଠିକ୍‌ କଥା ଆ‌ସିଲେ ବି ତାହାକୁ ଗ୍ରହଣ କରି ନଥାଉ। ଏଭଳି ସମୟରେ ‘ଶ୍ରୀମନ୍ଦିର ସେବା କର୍ମାଙ୍ଗୀ’ ଗ୍ରନ୍ଥ ବହୁତ ଗୁରୁତ୍ବପୂର୍ଣ୍ଣ। ପାଖାପାଖି ୪୦୦ ପୃଷ୍ଠାର ଏହି ଗ୍ରନ୍ଥର ୩ଟି ପରିଚ୍ଛେଦରେ ୧୧୦ଟି ବିଷୟବସ୍ତୁ ରହିଛି। ଏହି ପୁସ୍ତକରେ ଉଲ୍ଲେଖ ରହିଛି ଯେ ୧୮୭୦ରୁ ୧୯୯୩ ମଧ୍ୟରେ ଶ୍ରୀମନ୍ଦିରରୁ ପ୍ରାୟ ୨୦ଟି ସେବା ବିଲୁପ୍ତ ହୋଇଛି। ଏବେ ପ୍ରାୟ ୧୭୦୦ ସେବକ ରହିଛନ୍ତି। ପ୍ରତିଦିନ ପ୍ରାୟ ୨୨ଟି ନୀତିରେ ୮୫ ଜଣ ସେବକ ରହିଛନ୍ତି। ଶ୍ରୀମନ୍ଦିରର ଶାଢ଼ି ବନ୍ଧା ପରମ୍ପରା, ପ୍ରଚଳିତ ବେଢ଼ା ପ୍ରଥା, ଗଜପତି ମହାରାଜା ସେବା ପରମ୍ପରା, ଶ୍ରୀମନ୍ଦିର ସେବା ପୂଜାରେ କରଣ ସେବକ ଭୂମିକା ଆଦି ସମ୍ପର୍କରେ ଗ୍ରନ୍ଥରେ ଉଲ୍ଲେଖ ହୋଇଛି। ଯାହାକି ପାଠକଙ୍କ ପାଇଁ ବେଶ ଉପାଦେୟ ହେବ।
ସାଧାରଣ ପ୍ରଶାସନ ଓ ପେନସନ ଅଭିଯୋଗ ବିଭାଗର ଅତିରିକ୍ତ ଶାସନ ସଚିବ ସୁଶାନ୍ତ କୁମାର ଦାଶ ସମ୍ମାନିତ ଅତିଥିଭାବେ ଯୋଗଦେଇ ଶ୍ରୀଜଗନ୍ନାଥ ସେବା ସମ୍ବନ୍ଧୀୟ ଏହି ଗ୍ରନ୍ଥଟି ଜଗନ୍ନାଥପ୍ରେମୀ ପାଠକ ଓ ଗ୍ରନ୍ଥାଳୟ ପାଇଁ ଉପଯୋଗୀ ହେବ ବୋଲି କହିଥିଲେ। ପୁସ୍ତକର ରଚୟିତା ଶ୍ରୀ ମିଶ୍ର କହିଥିଲେ ଯେ ଦୁଇ ବର୍ଷ ତଳେ ଏହି ପୁସ୍ତକର ରଚନା ଆରମ୍ଭ କରିଥିଲି। ୨୦୧୯ରେ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଥିଲେ ମଧ୍ୟ ସାମାନ୍ୟ ବିଳମ୍ବ ହୋଇଛି। ୪୦୦ ପୃଷ୍ଠାର ଏହି ଗ୍ରନ୍ଥରେ ୧୨୦ ପ୍ରକା‌ର ସେବା ସମ୍ପର୍କରେ ଉଲ୍ଲେଖ ରହିଛି। ଏହି ଗ୍ରନ୍ଥକୁ ନାଲ୍‌କୋର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଚାନ୍ଦଙ୍କୁ ଉତ୍ସର୍ଗିତ କରାଯାଉଛି ବୋଲି ସେ କହିଥିଲେ।

ଶ୍ରୀମନ୍ଦିର ବଡୁ ସୁଆର ନିଯୋଗର ବିଶ୍ୱନାଥ ସାମନ୍ତରା ଅତିଥିମନଙ୍କୁ ସ୍ୱାଗତ କରିଥିବାବେଳେ ନନ୍ଦ କିଶୋର ଜେନା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ବିଶିଷ୍ଟ ଜଗନ୍ନାଥ ସଂସୃତି ପ୍ରେମୀ ରାଧାବଲ୍ଲଭ ସିଂ, ରବିନାରାୟଣ ମହାପାତ୍ର, ଅନିମା ଜେନା, ଦୁଷ୍ମନ୍ତ ସ୍ୱାଇଁ ଓ ପ୍ରଫୁଲ୍ଲ ରଥଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ମହେଶ ନାୟକ ଓ ବିଶ୍ୱନାଥ ସାମନ୍ତରା ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର