ଆଇନ ପିଠିରୁ ଚମଡ଼ା ଉତାରି କରିବାକୁ ହବ ଜୋତା... ବେଆଇନ୍ ଭାବେ ଆଣିବାକୁ ହେବ ମଣିଷର ସ୍ୱାଧୀନତା...ଭଳି ପଙ୍କ୍ତିରେ ସେ ସୃଷ୍ଟି କରିପାରନ୍ତି ବିପ୍ଳବର ବହ୍ନି। ‘ଚରମପତ୍ର ଦେଲି ଭଗବାନ ଚରମପତ୍ର ଘେନ.., ଆଗାମୀ କାଲିର ଏଇ ପ୍ରଭାତରେ ଖାଲି କର ତମେ ଗୋଲକ ସିଂହାସନ... ପଙ୍କ୍ତିରେ ସେ ଭଗବାନଙ୍କୁ ଆହ୍ଵାନ ଦେବାର ସତ୍ସାହସ ବି କରିପାରନ୍ତି। ଖାସ୍ ଏଇଥି ପାଇଁ ସେ କବିତା ସାମ୍ରାଜ୍ୟ ଭିତରେ ବାରି ହୋଇପଡ଼ୁଥିଲେ ରବି ସିଂ। ଆଜି ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ତାଙ୍କୁ ‘ଅତିବଡ଼ୀ ପୁରସ୍କାର’ ପାଇଁ ମନୋନୀତ କରାଯିବା ପରେ ତାଙ୍କ ଗୁରୁଗମ୍ଭୀର ସ୍ୱରରୁ ସାଉଁଟିିଥିଲୁ କ୍ରାନ୍ତିକାରୀ କବିତା ଜୀବନର ଯାତ୍ରା....
ବିପ୍ଳବୀ ଶବ୍ଦର ସ୍ୱର ଆପଣଙ୍କ ସାହିତ୍ୟରେ ଶାଣିତ ହେବା ପଛର ରହସ୍ୟ କ’ଣ ?
ମୋ ବାପା ତଥା ସ୍ୱାଧୀନତା ସଂଗ୍ରାମୀ ରାମଚନ୍ଦ୍ର ସିଂ ପାଟ୍ନା କ୍ୟାମ୍ପ୍ ଜେଲ୍ରେ ବନ୍ଦୀ ହୋଇଥିବା ବେଳେ ମୁଁ ଜନ୍ମ ନେଇଥିଲି। ଆମର ସମସ୍ତ ଜମିବାଡ଼ି ବ୍ରିଟିସ୍ କମ୍ପାନି ବାଜ୍ୟାପ୍ତି କରିଥିଲା। ମୁଁ ବାରିପଟେ ଖତଗଦା ନିକଟରେ ଜନ୍ମ ନେଇଥିଲି। ମୋ ମା’ ଖାଇବା ବିନା ମରିଗଲା। ବ୍ରିଟିସ୍ ଆମ ଘରକୁ ଘେରାଉ କରି ରଖିଥିବାରୁ ପଡ଼ିଶା ଘରେ ଆଶ୍ରା ନେବାକୁ ପଡ଼ିଥିଲା। ଏସବୁ ଘଟଣା ଶୁଣି ଦେଖି ମୋ ମନରେ ବିପ୍ଳବର ଶବ୍ଦମାନେ ଜମାଟ ବାନ୍ଧିଥିଲେ। ‘ପରାସ୍ତ ସୈନିକ’ ଓ ‘ଚଳନ୍ତିକା’ ଭଳି ଗଳ୍ପ ପୁସ୍ତକ ଲେଖିଲି। ହେଲେ ହଠାତ୍ ଗଦ୍ୟର ମରୁବାଲି ଭିତରୁ କବିତାର ମଧୁର ଧ୍ୱନି ଶୁଣାଗଲା।‘ନିଆଁଖୁଣ୍ଟା’ର ସମ୍ପାଦକ ଗୋଦାବରୀଶ ମହାପାତ୍ରଙ୍କ ସଂସ୍ପର୍ଶରେ ଆସିବା ପରେ ମୋ ଭିତରେ କବିତାର ଧାରା ବହିଥିଲା।
ପରିଣତ ବୟସରେ ସାହିତ୍ୟ ଏକାଡେମିର ଏ ସର୍ବୋଚ୍ଚ ସମ୍ମାନ କେତେ ଖୁସି ଦେଇଛି ?
ଅତିବଡ଼ୀ ସମ୍ମାନ କଥା ଶୁଣି ହଠାତ୍ ମୋ ଭିତରେ ଏକ ଚମକ ସୃଷ୍ଟି ହେଲା। ବିଚଳିତ ହେଲି। ମୋ ଭଳି ଗୋଟେ ବିଦ୍ରୋହୀ କବିକୁ ପୁରସ୍କାର ମିଳିବା ଜାଣି ଭଲ ଲାଗୁଛି। ମାତ୍ର ପୁରସ୍କାର ମୋ ପାଇଁ ନୂଆ ନୁହେଁ। କେନ୍ଦ୍ର ସାହିତ୍ୟ ଏକାଡେମି ସମ୍ମାନ ମୁଁ ପାଇନାହିଁ। ଗୋଦାବରୀଶ ମହାପାତ୍ର ବି ଜୀବଦଶାରେ ଏ ସମ୍ମାନ ପାଇ ନଥିଲେ ତ କ’ଣ ହେଲା। ମୁଁ ପୁରସ୍କାର ପାଇଁ କେବେ ଲବି କରିନି ଯାହା ମିଳିଛି ଆପେଆପେ।
ଆପଣଙ୍କ ସାରସ୍ୱତ ଜୀବନର ସବୁଠୁ ବଡ଼ ଉପଲବ୍ଧି କୁହନ୍ତୁ ?
୧୯୬୪ରେ ଛାତ୍ର ଆନ୍ଦୋଳନକୁ ତୀବ୍ର କରିବା ପାଇଁ ମୋ ‘ବେଆଇନ୍ କବିତା’ ଖାଦ୍ୟ ଯୋଗାଇଥିଲା। ମୋ’ର ବେଆଇନ୍ କବିତାକୁ ଲିଫ୍ଲେଟ୍ କରି ନବକୃଷ୍ଣ ଚୌଧୁରୀ ଓ ମାଳତି ଚୌଧୁରୀ ବାଣ୍ଟିଥିଲେ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓ ମତେ କଟକ ଡକାଇ କବିତାର ଲେଖା ସାମ୍ବିଧାନିକ ହେଉ ବୋଲି ମତେ କହିଥିଲେ। ମୁଁ ବି କହିଦେଇଥିଲେ ଶ୍ରୀକୃଷ୍ଣଙ୍କ ଜନ୍ମ ଯଦି ସାମ୍ବିଧାନିକ ନୁହେଁ ମୋ କବିତା କେମିତି ସାମ୍ବିଧାନିକ ହେବ। ଆଉ ଏକ ଉପଲବ୍ଧି ହେଉଛି ସୋଭିଏତ୍ ୟୁନିୟନ ଭାଙ୍ଗିବା ପୂର୍ବରୁ ମୁଁ ଜେଲ୍ରେ ଥାଇ ଏହାର ପୂର୍ବାନୁମାନ କରି କବିତାରେ ଲେଖି ଦେଇଥିଲି। କମ୍ୟୁନିଷ୍ଟ ପାର୍ଟିର ତୁଙ୍ଗନେତା ସରୋଜ ପଟ୍ଟନାୟକ ସେତେବେଳେ ମତେ କହିଥିଲେ ତମେ କ’ଣ ସତରେ ପଲିଟିକାଲ୍ ପ୍ରଫେଟ୍, ତମେ ଯାହା ଲେଖୁଛ ସେୟା ହୋଇଯାଉଛି।
ଆଜିକାଲିର କବିତାରେ ସେଇ ବିପ୍ଳବର ସ୍ୱର ନାହିଁ ବୋଲି ହୃଦବୋଧ କରୁଛନ୍ତି କି ?
ନା। ଯନ୍ତ୍ରଣା ନଥିଲେ, ସଂଗ୍ରାମ କରି ନଥିଲେ ସେ ଅନୁଭୂତି ଆସିବ କେଉଁଠୁ। ମୋ ଜୀବନଟା ସମ୍ପୂର୍ଣ୍ଣ ସଂଗ୍ରାମ। ଜେଲ୍, ଜରିମାନା, ଲାଠି, ଗୁଳି ଭିତରେ ମୋ ଜୀବନ କଟିଛି। ପିଲାଦିନେ ମୁଁ ସ୍କୁଲ୍ ଯାଇନି, ଯାହା ପଢ଼ିଛି ଆପେଆପେ। ମୁଁ ଯାହା ଲେଖିଛି ତାକୁ ଗୋଟେ ଲୋକ ପଢ଼ି ବସିଲେ ତାକୁ ୨୦ ବର୍ଷ ଲାଗିଯିବ।
ଆପଣଙ୍କ ମତରେ କବିତା ଲେଖିବାର ସୂତ୍ର କ’ଣ?
କବିତାର ମାନେ ହେଉଛି ଜୀବନର ସଂଗୀତ। କିନ୍ନରଙ୍କୁ ଶାଢ଼ି ପିନ୍ଧାଇଲେ ଯେମିତି ସେ ନାରୀ ହୁଏ ନାହିଁ, ଗଦ୍ୟଗୁଡ଼ାକ ତଳକୁ ତଳ ସଜେଇ ଲେଖିଲେ ସେ କେବେ କବିତା ହୁଏନି। ସାହିତ୍ୟ ଏକ ଅସଂପୃକ୍ତ ଯୋଗାଭ୍ୟାସ ନୁହେଁ, ତାହା ସାମାଜିକ ଏବଂ ମର୍ମସ୍ପର୍ଶୀ ହେବା ଦରକାର।
ଆଜିକାଲି ବହୁତ କବିତା ଲେଖାଯାଉଛି, ପ୍ରତିଦିନ କବିଙ୍କର ଅଭ୍ୟୁଦୟ ହେଉଛି କିନ୍ତୁ କବିତାଗ୍ରାହୀ ପାଠକମାନେ କବିତା ପ୍ରତି ଆକୃଷ୍ଟ ହେଉନାହାନ୍ତି କାହିଁକି?
କବିତାର ମର୍ମବସ୍ତୁ ହେଲା ଛନ୍ଦ। ଛନ୍ଦ ଏମାନେ ଜାଣନ୍ତିନି। ଭାଷାର ଅଭାବବୋଧ ରହୁଛି। ତେଣୁ ପାଠକ କେମିତି ଆକୃଷ୍ଟ ହେବ।
ଆପଣ କବିତାର ଚରିତ୍ର ମାନଙ୍କୁ କେଉଁଠୁ ଗୋଟାନ୍ତି ?
ଲୋକଙ୍କ ଭିତରୁ ପାଇଛି, ତାହା ମତେ ଆଲୋଡ଼ନ କରିବାରୁ ମୁଁ ତାକୁ କାଗଜରେ ଉତାରିଛି। ବାଟ ଚାଲିବା ବେଳେ, ରାତିରେ ଶୋଇବା ବେଳେ ଲେଖିପକାଇଛି। କ୍ଷୁଧାତୁର ସମୟରେ ଲେଖିଛି। ଯେଉଁଠି ଭୋକିଲା ଲୋକଟେ ଦେଖେ ସେଇଠି ତା’ର ଯନ୍ତ୍ରଣା ଦେଖି ଅଟକିଯାଇ ଦେଖିଛି, ଆଉ ଲେଖିଛି।