ପୁରୁଣା ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିବାହ ପରେ ଆଜି ଚତୁର୍ଥୀ ନୀତି ସମ୍ପନ୍ନ ହୋଇଛି। ଏହି ଉପଲକ୍ଷେ ପୂଜା, ସ୍ନାନ, ଗଇଣ୍ଠାଳ ଖୋଲିବା ଓ ହୋମ କାର୍ଯ୍ୟ ଆଦି ଅନୁଷ୍ଠିତ ହୋଇଥିଲା। ଆଜି ମନ୍ଦିରରେ ସନ୍ଧ୍ୟା ଧୂପ ପରେ ନବ ଦମ୍ପତି ପାଲିଙ୍କିରେ ବସି ସେବାୟତମାନଙ୍କ ଗହଣରେ ବିନ୍ଦୁସାଗର ବ୍ରହ୍ମା ଘାଟ କୂଳକୁ ଆସିଥିଲେ। ସେଠାରେ ସେବାୟତମାନଙ୍କ ଦ୍ଵାରା ବିନ୍ଦୁସାଗରରେ ସ୍ନାନ କରାଯାଇ ନୂଆ ଲୁଗା ପିନ୍ଧା ଯାଇଥିଲା ।

Advertisment

ଏହି ଅବସରରେ ପାଣି ଭିତରେ ପାଣିକୁଆ, ପାଣି ରକେଟ୍‌, ପାଣି କୁମ୍ପି ଭଳି ବାଣ ଆକର୍ଷଣ ସାଜିଥିଲା। ଏହାକୁ ଦେଖିବାକୁ ବିନ୍ଦୁସାଗର କୂଳରେ ଲୋକଙ୍କ ସମାଗମ ହୋଇଥିଲା। ଏହାପରେ ଦେବଦେବୀ ବାସୁଦେବ ମନ୍ଦିରକୁ ଯାତ୍ରା କରିଥିଲେ। ପଞ୍ଚ ଉପଚାରରେ ପୂଜା କରାଯାଇ ବାସୁଦେବଙ୍କ ସହ ଭେଟ ଆଳତି କରାଯାଇଥିଲା। ପରେ ଦେବଦେବୀ ବଢ଼େଇବାଙ୍କ ଛକ ନିକଟରେ ଥିବା ବଡ଼ ମଠକୁ ଯାଇଥିଲେ। ସେଠାରେ ମହାପ୍ରଭୁଙ୍କ ଭଉଣୀ କାମାକ୍ଷା ଠାକୁରାଣୀଙ୍କ ନିକଟକୁ ଯାଇଥିଲେ। ମା’ କାମାକ୍ଷା ଦେବଦେବୀଙ୍କ ଗଇଣ୍ଠାଳ ଖୋଲିଥିଲେ। ପରେ ଭେଟ ଆଳତି ଓ ନୀତି ପୂଜା ପରେ ଦେବଦେବୀ ଗମ୍ଭୀରାକୁ ପ୍ରତ୍ୟାବର୍ତନ କରିଥିଲେ। ମନ୍ଦିରରେ ଚତୁର୍ଥୀ ହୋମ ହେବା ସହ ଆଡ଼ କାଠ ନିକଟରେ ଏକ ଖଟରେ ଦେବଦେବୀ ପରସ୍ପର ସମ୍ମୁଖରେ ବସିଥିଲେ । ଦେବାଦେବୀଙ୍କ ପକ୍ଷରୁ ସେବାୟତମାନେ ଚତୁର୍ଥୀ ନୀତି ଅନୁଯାୟୀ ୭ଥର କଉଡ଼ି ଖେଳ ଅନୁଷ୍ଠିତ ହୋଇଥିଲା। ଏହାପରେ ଦେବଦେବୀ ଦକ୍ଷିଣୀ ଗୃହକୁ ପ୍ରବେଶ କରିଥିଲେ।