ଶ୍ରୀଲିଙ୍ଗରାଜଙ୍କୁ ‘ଶ୍ରୀଲିଙ୍ଗରାଜ’ ପୁସ୍ତକ ସମର୍ପିତ

ଭୁବନେଶ୍ୱର: ‘ଆମ ଓଡ଼ିଶା’ ପକ୍ଷରୁ ସଦ୍ୟ ପ୍ରକାଶିତ ‘ଶ୍ରୀଲିଙ୍ଗରାଜ’ ପୁସ୍ତକ ଆଜି ମଧ୍ୟାହ୍ନରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ସମର୍ପିତ ହୋଇଛି। ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ଦେବେନ୍ଦ୍ରନାଥ ମହାନ୍ତି ଓ ଦ୍ୱାରିକାନାଥ ପତିଙ୍କ ଉପସ୍ଥିତିରେ ଏହାର ଲେଖକ ତଥା ଶ୍ରୀଲିଙ୍ଗରାଜଙ୍କ ସେବକ ଭାଗୀରଥି ମହାସୁଆର ନିଜେ ପ୍ରଭୁଙ୍କୁ ଏହି ପୁସ୍ତକ ସମର୍ପଣ କରିଛନ୍ତି। ଏହି ଅବସରରେ ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ମଧ୍ୟ ପାଠକ/ପାଠିକାଙ୍କ ଉଦ୍ଦେଶ୍ୟରେ ଏହାର ଲୋକାର୍ପଣ କରିଥିଲେ। ଏହି ଅଣଆନୁଷ୍ଠାନିକ ଲୋକାର୍ପଣ ଉତ୍ସବରେ ‘ଆମ ଓଡ଼ିଶା’ର ପ୍ରକାଶନ ସଂପାଦକ ଅସିତ ମହାନ୍ତି ଓ ସଂପାଦକ ସ୍ୱରାଜ ମିଶ୍ର ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିର ଏକାଦଶ ଶତାବ୍ଦୀର ଏକ ଅନୁପମ କୀର୍ତ୍ତି ହେଲେ ମଧ୍ୟ ଏଯାଏ ଓଡ଼ିଆ ଭାଷାରେ ତାହାକୁ ନେଇ ଖଣ୍ଡିଏ ହେଲେ ଉଲ୍ଲେଖନୀୟ ପୁସ୍ତକ ନଥିଲା। ଏହି ଅଭାବକୁ ଦୃଷ୍ଟିରେ ରଖି ‘ଆମ ଓଡ଼ିଶା’ର ଅନୁରୋଧରେ ବରିଷ୍ଠ ସ୍ତମ୍ଭକାର ତଥା ଶ୍ରୀଲିଙ୍ଗରାଜଙ୍କ ସେବକ ଭାଗୀରଥି ମହାସୁଆର ଏହି ପୁସ୍ତକ ସ୍ୱତନ୍ତ୍ର ଭାବରେ ରଚନା କରିଛନ୍ତି। ଏଥିପାଇଁ ଶ୍ରୀ ପଟ୍ଟନାୟକ ତାଙ୍କୁ ସାଧୁବାଦ ଜଣାଇବା ସଙ୍ଗେ ସଙ୍ଗେ ଏହି ପୁସ୍ତକ ଓଡ଼ିଶାର ଦୀର୍ଘଦିନର ଆବଶ୍ୟକତା ପୂରଣ କରିବ ବୋଲି କହିଛନ୍ତି। ‘ଶ୍ରୀଲିଙ୍ଗରାଜ’ ପୁସ୍ତକରେ ଶ୍ରୀଲିଙ୍ଗରାଜଙ୍କର ଓ ତାଙ୍କ ମନ୍ଦିରର ଇତିହାସ, ତତ୍ତ୍ୱ, ସେବା ଓ ସେବକ, ନୀତିକାନ୍ତି, ଯାତ୍ରା ଉପଯାତ୍ରା, ଭୋଗପ୍ରକରଣ, ବେଶ, ମନ୍ଦିର ପରିସରର ଦେବଦେବୀ, ଏକାମ୍ର କ୍ଷେତ୍ରର ଅନ୍ୟାନ୍ୟ ଦେବଦେବୀ, ମନ୍ଦିର ସହ ସଂପୃକ୍ତ ଅନ୍ୟାନ୍ୟ ଦେବପୀଠ, ଲିଙ୍ଗରାଜ ମନ୍ଦିର ପରିଚାଳନା ଓ ମନ୍ଦିରର ସଂରକ୍ଷଣ ଓ ସୁରକ୍ଷା ବାବଦରେ ବିଶଦ ବିବରଣୀ ସହିତ ୩୨ପୃଷ୍ଠାର ରଙ୍ଗିନ ଫଟୋଚିତ୍ର ମଧ୍ୟ ପ୍ରକାଶ ପାଇଛି। ଏବେ ଭୁବନେଶ୍ୱରରେ ଚାଲିଥିବା ରାଜ୍ୟ ପୁସ୍ତକ ମେଳାର ‘ସମ୍ୱାଦ-ଆମ ଓଡ଼ିଶା’ ଷ୍ଟଲ୍‍ (ବି-୧୦)ରେ ଏହା ସ୍ୱତନ୍ତ୍ର ରିହାତି ମୂଲ୍ୟରେ ମିଳିପାରିବ ବୋଲି ‘ଆମ ଓଡ଼ିଶା’ ତରଫରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର