ଶ୍ରୀଲିଙ୍ଗରାଜଙ୍କ ଜମିରେ ବୋର୍ଡ ଲଗାଇଲା ମନ୍ଦିର ପ୍ରଶାସନ, ସୋମବାରରୁ ପୁଣି ଉଚ୍ଛେଦ

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ମୂଲ୍ୟବାନ ଜମି ଉପରେ ଆଜି ମନ୍ଦିର ପ୍ରଶାସନ ସୂଚନା ବୋର୍ଡ ଲଗାଇଛି। ପୁରୁଣା ଭୁବନେଶ୍ୱର ରଥରୋଡ୍‌ ନିକଟରେ ଜନୈକ ବିଲଡର୍‌ ସଂସ୍ଥା ଜମି ନିକଟରେ ଥିବା ଏହି ଜମି ଜବରଦଖଲ ଆଶଙ୍କା ଥିବାରୁ ପ୍ରଶାସନ ଏପରି ପଦକ୍ଷେପ ନେଇଛି। ମିଳିଥିବା ସୂଚନା ଅନୁଯାୟୀ ଶ୍ରୀଲିଙ୍ଗରାଜଙ୍କ ଜମି ବୋଲି ଲିଖିତ ବୋର୍ଡଟି ପୂର୍ବରୁ ରାସ୍ତା କଡ଼ରେ ଲଗା ଯାଇଥିଲା। ଗୌତମନଗର ମୌଜାର ନଂ. ୬୦୨/୪୮୫୬, ଜମିଟିକୁ ପୂର୍ବରୁ ଜବରଦଖଲ ମୁକ୍ତ କରାଯାଇ ଶ୍ରୀଲିଙ୍ଗରାଜଙ୍କ ସମ୍ପତ୍ତି ବୋଲି ବୋର୍ଡ ମରାଯାଇଥିଲା।

ସୋମବାରରୁ ପୁଣି ଉଚ୍ଛେଦ
ଭୁବନେଶ୍ବର: ଏକାମ୍ର କ୍ଷେତ୍ରର ସୌନ୍ଦର୍ଯ୍ୟୀକରଣ ପାଇଁ ରାଜ୍ୟ ସରକାର ଲିଙ୍ଗରାଜ ମନ୍ଦିର ଚାରିପାର୍ଶ୍ବରୁ ଉଚ୍ଛେଦ ଆରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଜବରଦଖଲରେ ଥିବା ସରକାରୀ ଜମି, ସରକାରୀ କାର୍ଯ୍ୟାଳୟ ଆଦି ଭଙ୍ଗା ହୋଇଥିବା ବେଳେ ଏବେ ସ୍ଥାୟୀ ଘର ଭାଙ୍ଗିବା ଆରମ୍ଭ ହୋଇଛି। ଏନେଇ ଗତ ୪ ତାରିଖରେ ବିନ୍ଦୁସାଗର କୂଳରୁ କୋଟି ତୀର୍ଥେଶ୍ବର ରାସ୍ତା ଆଡ଼କୁ ଥିବା ସ୍ଥିତିବାନ ଜମିରୁ ଉଚ୍ଛେଦ କରାଯାଇଥିଲା। ସେଠାରେ ଉଚ୍ଛେଦ ହୋଇଥିବା ସ୍ବର୍ଗତ କାଳୁ ନନ୍ଦଙ୍କ ପରିବାର ଟଙ୍କା ପାଇ ସାରିଲେଣି। ଏଣୁ ପୁଣି ସୋମବାରଠାରୁ ଉଚ୍ଛେଦ ପକ୍ରିୟା ଜୋରଦାର କରାଯିବ ବୋଲି ବିଏମ୍‌ସିର ଅତିରିକ୍ତ କମିସନର ଅବନୀକାନ୍ତ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର