ଶ୍ରୀଲିଙ୍ଗରାଜଙ୍କ ଜମି ଜବରଦଖଲ ଘଟଣା: ପଦକ୍ଷେପ ନେଲା ମନ୍ଦିର ପ୍ରଶାସନ

ପୁରୁଣା ଭୁବନେଶ୍ୱର: ରାଜାରାଣୀ ମୌଜାରେ ଥିବା ଶ୍ରୀଲିଙ୍ଗରାଜଙ୍କ ଜମି ଜବରଦଖଲ ଘଟଣାରେ ମନ୍ଦିର ପ୍ରଶାସନ ପଦକ୍ଷେପ ଗ୍ରହଣ କରିଛି। ସେହି ଜମିରେ ଘର ତିଆରି ଚାଲିଥିବା ବେଳେ ମନ୍ଦିର ପ୍ରଶାସନ ପକ୍ଷରୁ ପୁଲିସ ସହାୟତାରେ କାମ ବନ୍ଦ କରାଯାଇଛି। ମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରାଜାରଣୀ ମୌଜାର ଖାତା ନଂ ୬୦୪/୨୪୯ରେ ପ୍ଲଟ୍‌ ନଂ ୮୬୯ ଓ ୮୭୦ ଉପରେ ୩୦୮ ଡେସିମିଲି ଜମି ଜବରଦଖଲ ହୋଇଥିବା ଘଟଣା ପଦାକୁ ଆସିଥିଲା। ଜମି ଜବରଦଖଲ ଖବର ‘ସମ୍ବାଦ’ରେ ଲଗାତାର ପ୍ରକାଶ ପାଇବା ପରେ ମନ୍ଦିର ପ୍ରଶାସନ ପ୍ରକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁଙ୍କ କହିବା ଅନୁଯାୟୀ ଉକ୍ତ ଜମି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନାମରେ ରହିଛି। ଏଥିରେ ଘର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ବଡ଼ଗଡ଼ ଥାନା ପୁଲିସ ସେଠାକୁ ଯାଇଥିଲା। ପୁନରୁଦ୍ଧାର ପାଇଁ ପଦକ୍ଷେପ ଗ୍ରହଣ କରି ମନ୍ଦିର ପ୍ରଶାସନ ବୋର୍ଡ ଲଗାଇଥିଲା। ସେଠାରେ କାମ କରୁଥିବା ଦୁଇ ଜଣ କର୍ମଚାରୀଙ୍କୁ ବଡ଼ଗଡ଼ ଥାନା ଜିମା ଦେଇଥିଲେ। ରାଜାରାଣୀ ମୌଜାରେ ଏହି ଜମିର ମୂଲ୍ୟ ୩କୋଟିରୁ ଊର୍ଧ୍ବ ହେବ। ଦେବୋତ୍ତର ବିଭାଗ ଅନୁମତି ଅଣାଯାଇ ସମ୍ପତ୍ତି ପୁନରୁଦ୍ଧାର ପାଇଁ ପଦକ୍ଷେପ ନିଆଯାଇଛି ବୋଲି ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର