ସ୍ଥାନାନ୍ତର ହେବ ଶ୍ରୀଲିଙ୍ଗରାଜ ଥାନା, ବଦଳିବ ବ୍ରିଟିଶ ଅମଳର ଗୃହ

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ଥାନାକୁ ସ୍ଥାନାନ୍ତର କରାଯାଇଛି। ଥାନା ପଛପଟ ନୂତନ ଗୃହକୁ ଥାନା ସ୍ଥାନାନ୍ତର ହୋଇଛି। ପୂର୍ବରୁ ଏହା ବ୍ରିଟିଶ ଅମଳର ଆଜ୍‌ବେଷ୍ଟସ ଗୃହରେ ଚାଲୁଥିଲା। ପୁରୁଣା ଘର ବିପଦସଂକୁଳ ଘୋଷଣା ହେବାପରେ ଥାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଲିଙ୍ଗରାଜ ଥାନା ରାଜଧାନୀ‌ର‌ ସର୍ବପୁରାତନ ଥାନା ହୋଇଥିବା ବେ‌ଳେ ପ୍ରଥମେ ଏହାର ନାମ ଥିଲା ଭୁବନେଶ୍ବର ଥାନା। ପରବର୍ତୀ ସମୟରେ ଶ୍ରୀଲିଙ୍ଗରାଜ ଥାନା ନାମରେ ନାମିତ ହୋଇଥିଲା। ଏହି ଥାନାରେ ବ୍ରିଟିଶ ଅମଳର ଟ୍ରେଜେରି ରହିଛି। ବର୍ତମାନ ଏହି ଥାନାଟି କମିସନରେଟ ପୁଲିସ ଅଧୀନରେ ଥିବାବେଳେ ଅନେକ ସମସ୍ୟା ଲାଗି ରହିଥିଲା। ଥାନାର ଘରଗୁଡିକ ଭାଙ୍ଗିରୁଜି ଯାଇଥିଲା। ବର୍ଷା ହେଲେ ଥାନା ଭିତରେ ପାଣି ଜମୁଥିଲା। ଅନ୍ୟ କାର୍ଯ୍ୟାଳୟଗୁଡ଼ିକର ସ୍ଥିତି ମଧ୍ୟ ଶୋଚନୀୟ ଥିଲା। ଆଜବେଷ୍ଟସଗୁଡିକ ଭାଙ୍ଗିରୁଜି ଯିବା ସହ ଥାନା ବାରଣ୍ଡାରେ ବର୍ଷା ହେଲେ ପାଣି ଗଳୁଥିଲା। କାଗଜପତ୍ର ସୁରକ୍ଷିତ ରଖିବା ସମ୍ଭବ ହେଉନଥିଲା। ଥାନାର କେତେକ କବାଟ ଝରକା ମଧ୍ୟ ଭାଙ୍ଗିରୁଜିଯାଇଥିଲା। ପୁଲିସ କମିସନରଙ୍କ ସହ ଆଲୋଚନା ପରେ ଥାନା ପକ୍ଷରୁ ନୂତନ ଗୃହ ପ୍ରବେଶ ହୋଇଛି ବୋଲି ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର