ଶ୍ରୀଲିଙ୍ଗରାଜ ମନ୍ଦିର ନିକଟ ସ୍ଥିତିବାନ ସମ୍ପତ୍ତିର ମାପ କରାଯାଇଛି

ପୁରୁଣା ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ମନ୍ଦିର ନିକଟ ସ୍ଥିତିବାନ ସମ୍ପତ୍ତିକୁ ଆଜି ପୁଣି ମାପ କରାଯାଇଛି। କେଉଁ ରାସ୍ତାକଡ଼ରେ କେତେ ସମ୍ପତ୍ତି ରହିଛି, ତାହାର ଅନୁଧ୍ୟାନ କରାଯାଇଛି। ମନ୍ଦିର ପ୍ରଶାସନ ପକ୍ଷରୁ ଆଜି ମାପଚୁପ କରାଯିବା ସହ ରିପୋର୍ଟ ପ୍ରସ୍ତୁତି ପରେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପଠାଯାଇଛି। ସୂଚନାନୁସାରେ, ମନ୍ଦିର ନିକଟ ତଳ ବଜାରର ବିନ୍ଦୁସାଗର ପର୍ଯ୍ୟନ୍ତ ଓ ଐଶାନେଶ୍ବର ମନ୍ଦିର ପର୍ଯ୍ୟନ୍ତ ମାପ କରାଯାଇଥିଲା। ତହସିଲ ଆର୍‌ଆଇ, ଅମିନ ଓ ମନ୍ଦିର ପ୍ରଶାସନର ଆର୍‌ଆଇ ମିଶି ନକ୍ସା ଓ ଲେଜର ଲାଇଟ୍‌ ଦ୍ବାରା ଏହି ମାପ କରିଥିଲେ। ତେବେ ଏହି ମାପ ବେଳେ କିଛି ସ୍ଥାନରେ ମାପ ଭୁଲ ଥିବା ଲୋକେ ଅଭିଯୋଗ କରିଥିଲେ। ଏନେଇ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ଉପସ୍ଥିତ ଅମିନ, ଆର୍‌ଆଇ ସେମାନଙ୍କୁ ବୁଝାସୁଝା କରିବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଅନ୍ୟପଟେ କେତେକ ସ୍ଥିତିବାନ ଘର ମାଲିକଙ୍କୁ ଡକାଇ ଆଜି ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଲୋଚନା କରାଯାଇଛି। ହାଟସାହିର ୫ଟି ପରିବାର ଓ ହସ୍ପିଟାଲ ପଛରେ ଥିବା ୬ଟି ପରିବାର ସହ ଆଲୋଚନା କରି କ୍ଷତିପୂରଣ ଦିଆଯାଇ ଘର ଭଙ୍ଗା ଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର