ଶ୍ରୀଲିଙ୍ଗରାଜ ସୌନ୍ଦର୍ଯ୍ୟୀକରଣ ସମୀକ୍ଷା କଲେ ପୂର୍ତ୍ତ ସଚିବ, ସିଂହଦ୍ବାର ସମ୍ମୁଖ ପୁରୁଣା ସେଡ୍‌ ହଟିବ

ମନ୍ଦିର ସମ୍ମୁଖରୁ ହଟିଲେ ଉଠା ଦୋକାନୀ, ବସି ଦେଖି ହେବ ମହାଦୀପ

ପୁରୁଣା ଭୁବନେଶ୍ୱର: ଆସନ୍ତା ୨୧ତାରିଖରେ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ଅବସରରେ ପୂର୍ତ୍ତ ସଚିବ ଡ. କ୍ରିଷନ କୁମାର ଆଜି ସକାଳେ ଶ୍ରୀଲିଙ୍ଗରାଜ ମନ୍ଦିର ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥିଲେ। ମନ୍ଦିର ସିଂହଦ୍ବାର ସମ୍ମୁଖରୁ ପୁରୁଣା ସେଡ୍‌ ହଟାଇ ଦିଆଯିବା ସହ ଶ୍ରଦ୍ଧାଳୁ ଯେପରି ସହଜରେ ବସି ମହାଦୀପ ଦେଖି ପାରିବେ ସେଥିପାଇଁ ମନ୍ଦିର ସମ୍ମୁଖରୁ ଉଠା ଦୋକାନୀଙ୍କୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସଂଧ୍ୟାରେ ଉଠା ଦୋକାନୀଙ୍କୁ ହଟାଇ ଦିଆଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ବିଏମ୍‌ସି ପକ୍ଷରୁ ବର୍ଷ ତମାମ ୫୦ ଜଣ ଘରୋଇ ସିକୁରିଟି ମନ୍ଦିର ନିକଟରେ ମୁତୟନ କରାଯିବା ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ଜାଗର ଦିନ ଦକ୍ଷିଣ ପାର୍ଶ୍ବ ଫାଇବର ସେଡ୍‌ ତଳେ ଭକ୍ତମାନେ ଧାଡ଼ିରେ ରହିବେ। ସେଠାରେ ୫ଥାକିଆ ଜିଗ୍‌ଜାଗ୍‌ ଧାଡ଼ିରେ ମନ୍ଦିରକୁ ଯିବେ। ଏହା ନିକଟରେ ଜୋତା ଷ୍ଟାଣ୍ଡ୍‌ ରହିବ। ସେଠାରେ ଶୌଚାଳୟ ବ୍ୟବସ୍ଥା ମଧ୍ୟ କରାଯିବ। ସେହିପରି ମନ୍ଦିର ସିଂହଦ୍ବାର ବାମ ପାର୍ଶ୍ବ ଦେବୀପାଦହରା ପୁଷ୍କରିଣୀ ପାର୍ଶ୍ବରେ ଶ୍ରଦ୍ଧାଳୁମାନେ ବସି ମହାଦୀପ ଦେଖିବେ। ଡ. କୁମାରଙ୍କ ସହ ବିଏମ୍‌ସି ଅତିରିକ୍ତ କମିଶନର ଅବନୀକାନ୍ତ ପଟ୍ଟନାୟକ, ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁ, ପ୍ରଦୀପ କୁମାର ଦାଶ, ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସେଚ୍ଛାସେବୀଙ୍କ ଆଜି ସଫେଇ: ମନ୍ଦିର ଭିତରେ ସ୍ବେଚ୍ଛାସେବୀମାନଙ୍କ ଦ୍ବାରା ଆସନ୍ତାକାଲିଠୁ ସଫେଇ କରାଯିବ। ଏହା ପୂର୍ବରୁ ଆଜି ପୂର୍ବାହ୍ନରେ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ତଥା ଖୋର୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ ବିଭିନ୍ନ ସ୍ବେଚ୍ଛାସେବୀମାନଙ୍କ ସହ ମନ୍ଦିର ଭିତର ବୁଲି ଦେଖିଥିଲେ। ମନ୍ଦିରରୁ ପାଉଁଶ ବାହାରିଲା: ମନ୍ଦିର ରୋଷ ଘରୁ ଆଜି ଦୀର୍ଘଦିନର ପାଉଁଶକୁ ସଫା କରାଯାଇଛି। ଏଏସ୍ଆଇ କର୍ମଚାରୀଙ୍କ ଅନୁପସ୍ଥିତିରେ ମନ୍ଦିର କର୍ମଚାରୀ ଏହାକୁ ସଫେଇ କରିଥିଲେ। ସଫା ହେଲା ଗର୍ଭଗୃହ: ଏଏସ୍ଆଇ କର୍ମଚାରୀ ମାନଙ୍କ ଦ୍ବାରା ମନ୍ଦିର ଗର୍ଭ ଗୃହର ପୁରୁଣା ଚାନ୍ଦୁଆ ଖୋଲାଯାଇଛି। ସେହିପରି କାନ୍ଥ ସଫେଇ କରାଯାଇଛି। ଆସନ୍ତା ୧୯ ତାରିଖରେ ଗର୍ଭଗୃହ ରଙ୍ଗ କରାଯିବାକୁ ଥିବା ବେଳେ ମନ୍ଦିରର ବିଭିନ୍ନ ମଣ୍ଡପର ରଙ୍ଗ କାମ ଚାଲିଛି।

ସମ୍ବନ୍ଧିତ ଖବର