ଶ୍ରୀଲିଙ୍ଗରାଜଙ୍କ ପଇତା ଲାଗିକୁ ନେଇ ବିବାଦ: ନୀତି ୪ଘଣ୍ଟା ବିଳମ୍ବ, ଦେବୋତ୍ତର ବିଭାଗକୁ ଚିଠି ଲେଖିବ ମନ୍ଦିର ପ୍ରଶାସନ

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରରେ ପୁଣି ନୀତି ବିଭ୍ରାଟ। ଠାକୁରଙ୍କ ପଇତା ଲାଗି ନୀତିକୁ ନେଇ ଦୁଇ ସେବାୟତ ନିଯୋଗ ମଧ୍ୟରେ ବିବାଦ ହେବାରୁ ମନ୍ଦିରରେ ନୀତି ପ୍ରାୟ ୪ଘଣ୍ଟା ବିଳମ୍ବ ହୋଇଥିଲା। ଏଥିଯୋଗୁଁ ମଧ୍ୟ ଠାକୁରଙ୍କ ବଲ୍ଲଭ ନୀତି ହୋଇପାରିନଥିବା ଜଣାପଡ଼ିଛି। ଆଜି ଥିଲା ମହାପ୍ରଭୁଙ୍କ ପବିତ୍ରାରୋପଣ ବା ପଇତା ଲାଗି ନୀତି। ଏଥିପାଇଁ ଗତକାଲି ସନ୍ଧ୍ୟାରେ ବିନ୍ଦୁସାଗରରେ ଏହି ପଇତାକୁ ଧୁଆ ହୋଇଥିଲା। ମନ୍ଦିରରେ ଅଧିବାସ ହୋମ ପରେ ପଇତାକୁ ରଖାଯାଇଥିଲା। ତେବେ ଆଜି ମନ୍ଦିରରେ ପବିତ୍ରାରୋପଣ ନୀତି ବେଳେ ଆରମ୍ଭ ହୋଇଥିଲା ବିବାଦ। ଏହି ବିବାଦ ଫଳରେ ବଲ୍ଲଭ ନୀତି ମଧ୍ୟ ହୋଇପାରିଲା ନାହିଁ। ଯାହାକୁ ନେଇ ଦେବୋତ୍ତର ବିଭାଗକୁ ଚିଠି ଲେଖାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ପୂର୍ବ ବର୍ଷ ମାନଙ୍କରେ ପବିତ୍ରାରୋପଣରେ ପ୍ରଥମେ ପୂଜାପଣ୍ଡା ନିଯୋଗ ପକ୍ଷରୁ ୩ପଟ ପଇତା ଲାଗି କରାଯାଏ। ପରେ ବଡ଼ୁ ନିଯୋଗ ପକ୍ଷରୁ ଠାକୁରଙ୍କୁ ୨୪ପଟ ପଇତା ଲାଗି ହୁଏ। ଏହାପରେ ବଲ୍ଲଭ ନୀତି ପୂଜା କରାଯାଏ। ତେବେ ଚଳିତ ବର୍ଷ ବଡ଼ୁ ନିଯୋଗ ପକ୍ଷରୁ ସବୁ ପଇତା ଲାଗି କରାଯାଇଥିଲା। ଏହାକୁ ନେଇ ପୂଜାପଣ୍ଡା ନିଯୋଗ ପୂଜାରେ ଅସହଯୋଗ କରିଥିଲା। ଏହା ପରମ୍ପରା ବିରୋଧୀ କହି ପୂଜାପଣ୍ଡା ନିଯୋଗ ଅସନ୍ତୋଷ ପ୍ରକାଶ କରିଥିଲା। ପ୍ରଥମେ ସେମାନେ ୩ପଟ ଲାଗି କରିବା ପରେ ବଡ଼ୁ ନିଯୋଗ ଅନ୍ୟ ୨୪ପଟ ପଇତା ଲାଗି କରିବା ନିୟମ ରହିଥିବା କଥା ମନ୍ଦିର ସୁପରଭାଇଜରଙ୍କୁ କହିଥିଲେ। ଏହି ପରମ୍ପରା ଭଙ୍ଗ ଯୋଗୁଁ ସେମାନେ ନୀତି ଆଗକୁ ବଢ଼ାଇନଥିଲେ। ମନ୍ଦିରରେ ଅପରାହ୍ନ ପ୍ରାୟ ୨ଟାରୁ ନୀତି ବନ୍ଦ ରହିଥିଲା। ଅପରାହ୍ନ ୪ଟାରେ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ, ଟ୍ରଷ୍ଟି ତଥା ବିଏମ୍‌ସି ଅତିରିକ୍ତ କମିସନର ଅବନୀକାନ୍ତ ପଟ୍ଟନାୟକ, ୩ ନିଯୋଗର ସମ୍ପାଦକଙ୍କୁ ନେଇ ମନ୍ଦିର କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପଇତା ଲାଗି ସମ୍ପର୍କରେ ତର୍କ ବିତର୍କ ଚାଲିଥିଲା। ତେବେ ୨ଘଣ୍ଟା ପର୍ଯ୍ୟନ୍ତ ବିବାଦର ସମାଧାନ ହୋଇ ପାରିନଥିଲା। ଶେଷରେ ମନ୍ଦିର ପ୍ରଶାସନ କହିଥିଲା ଯେ, ଆମେ ଏଥିରେ ଅଧିକ କିଛି କରିପାରିବୁ ନାହିଁ। ଏ ସମ୍ପର୍କରେ ଆମେ ଦେବୋତ୍ତର ବିଭାଗକୁ ଜଣାଇବୁ। ଦେବୋତ୍ତର ବିଭାଗ ଯେପରି କହିବ ସେପରି ନୀତି ହେବ। ବଲ୍ଲଭ ନୀତିକୁ ବାଦ୍‌ ଦେଇ ଅନ୍ୟ ନୀତି କରିବା ପାଇଁ ମନ୍ଦିର ପ୍ରଶାସନ ସେବାୟତଙ୍କୁ ଅନୁରୋଧ କରିଥିଲା। ସଂଧ୍ୟା ପ୍ରାୟ ୬ଟାରେ ପୂଜାପଣ୍ଡା ନୀତିରେ ସହଯୋଗ କରିଥିଲେ। ଏହାପରେ ଦ୍ବିପ୍ରହର ନୀତି ଓ ଅନ୍ୟ ସମସ୍ତ ନୀତି କରାଯାଇଥିଲା।

ଶ୍ରୀଲିଙ୍ଗରାଜଙ୍କ ଶୟନ ଆରମ୍ଭ
ପୁରୁଣା ଭୁବନେଶ୍ୱର: ହରିଶୟନ ଚର୍ତୁଦ୍ଦଶୀ ତିଥି ଉପଲକ୍ଷେ ଶ୍ରୀଲିଙ୍ଗରାଜ ମହାପ୍ରଭୁ ଆଜିଠାରୁ ଶୟନ କରିଛନ୍ତି। ମହାପ୍ରଭୁ ଆସନ୍ତା ୪ମାସ ପାଇଁ ଶୟନ କରବେ। ଏହି ୪ମାସ ଶ୍ରୀପର୍ଶୁରାମେଶ୍ବର ରାଜ୍ୟ ଭାର ସମ୍ଭାଳିବେ। ଏହି ଦାୟିତ୍ୱ ସମ୍ଭାଳିବା ପାଇଁ ପୂର୍ବରୁ ମହାଦେବ ତାଙ୍କୁ ଦାୟିତ୍ୱ ଅର୍ପଣ କରିଥିଲେ। ଏଥିପାଇଁ ଗତ ପର୍ଶୁରାମାଷ୍ଠମୀରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ତାଙ୍କ ପାଖକୁ ଯାତ୍ରା କରିଥିଲେ। ଉତ୍‌ଥାପନ ଚତୁର୍ଦ୍ଦଶୀ ଅଥାତ୍‍ କାର୍ତ୍ତିକ ମାସ ପୂର୍ଣ୍ଣିମା ପୂର୍ବ ଦିନ ଠାକୁର ଉଠିବେ। ଆଜି ସନ୍ଧ୍ୟାରେ ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମାକୁ ନୀତି ପୂଜା କରାଯାଇ ଭଣ୍ଡାର ଘରକୁ ନିଆଯାଇ ଏହି ନୀତି ସମାପନ କରାଯାଇଥିଲା। କୁହାଯାଏ ଯେ, ଏହି ସମୟରେ ଅଶୁଦ୍ଧି ଯୋଗୁଁ କୌଣସି ମାଙ୍ଗଳିକ କାର୍ଯ୍ୟ କରାଯାଏ ନାହିଁ।

ସମ୍ବନ୍ଧିତ ଖବର