ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରରେ ପୂଜା ପରେ ବାହାରୁଥିବା ପାଦୁକ, ବେଲପତ୍ର, କଦଳୀ ଚୋପାକୁ ଆଉ ଏଣେ ତେଣେ ଫିଙ୍ଗାଯିବ ନାହିଁ। ବଳକା ଅବଢ଼ା, କଦଳୀପତ୍ରକୁ ଡଷ୍ଟ୍ବିନ୍ରେ ପକାଯିବ ନାହିଁ। ମନ୍ଦିର ପରିସରରେ ବସିବ ବର୍ଜ୍ୟବସ୍ତୁ ପରିଚଳନା ମେସିନ୍। ଏହି ମେସିନ୍ ଦ୍ବାରା ଏହି ସବୁ ବର୍ଜ୍ୟ ସାମଗ୍ରୀରୁ ସାର ପ୍ରସ୍ତୁତ କରାଯିବ। ମନ୍ଦିର ଟ୍ରଷ୍ଟ ବୋର୍ଡର ଜଣେ ସଭ୍ୟଙ୍କ ସୂଚନା ଅନୁଯାୟୀ ମନ୍ଦିରରୁ ପ୍ରତିଦିନ ପାଖାପାଖି ଗୋଟିଏ ଟ୍ରକ୍ ପାଦୁକ ବାହାରୁଛି। ଶ୍ରାବଣ ମାସ, ମହା ଶିବରାତ୍ରି ଆଦି ପର୍ବ ପର୍ବାଣୀରେ ୫ରୁ ୭ଟ୍ରକ୍ ଆବର୍ଜନା ବାହରୁଛି। ଠାକୁରଙ୍କ ଉପରେ ଲାଗି ହେଉଥିବା ବେଲପତ୍ର, କଦଳୀ, ଛଡ଼ା ଫୁଲ ଆଦିକୁ ହାଟ ନିକଟ ଡଷ୍ଟ୍ବିନ୍ରେ ପକାଯାଉଛି। ସେହିପରି ଆନନ୍ଦ ବଜାରରୁ ବାହାରୁଥିବା ଅଇଁଠା ପତ୍ର ଓ ବଳକା ଅବଢ଼ାକୁ ମଧ୍ୟ ବାହାରେ ଫିଙ୍ଗା ଯାଉଛି। ଠାକୁରଙ୍କୁ ଲାଗି ହେଉଥିବା ପାଦୁକ ଡଷ୍ଟବିନ୍ରେ ଫିଙ୍ଗା ହେବାରୁ ତାହା ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଘାତ କରୁଛି। ତେବେ ଏହି ପାଦୁକକୁ ଆଉ ସାଧାରଣ ଡଷ୍ଟବିନ୍ରେ ପକାଯିବ ନାହିଁ। ସେଥିରୁ ସାର ତିଆରି କରାଯାଇ ଗଛମୂଳରେ ଦିଆଯିବ। ପାୱାର୍ ଗ୍ରିଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ନାମକ ଏକ କମ୍ପାନି ଏହି ମେସିନ୍ ବସାଇବା ଦାୟିତ୍ବ ନେଇଥିବା ମନ୍ଦିର ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି। ଉକ୍ତ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ଏଥିପାଇଁ ମନ୍ଦିର ପ୍ରଶାସନକୁ କୌଣସି ଅର୍ଥ ଦେବାକୁ ପଡ଼ିବ ନାହିଁ। ସଂସ୍ଥା ପକ୍ଷରୁ ମନ୍ଦିର ପରିସରରେ ମେସିନ୍ ବସାଇବା ପାଇଁ ଟ୍ରଷ୍ଟ ବୋର୍ଡରେ ପ୍ରସ୍ତାବ ଦିଆଯାଇଛି। ସଂସ୍ଥାର ଏକ ବିଶେଷଜ୍ଞ ଟିମ୍ ଆସନ୍ତାକାଲି ଏ ସଂପର୍କରେ ଅନୁଧ୍ୟାନ କରିବାକୁ ମନ୍ଦିର ପରିସରକୁ ଆସୁଥିବା ଜଣାପଡ଼ିଛି। ମେସିନ୍ରେ ୨୪ ଘଣ୍ଟା ରହିବା ପରେ ଏହି ବର୍ଜ୍ୟ ସାମଗ୍ରୀ ସାରରେ ପରିଣତ ହୋଇଯିବ। ମେସିନ୍ର ଚଉଡ଼ା ୧୨ଫୁଟ୍ ଓ ଲମ୍ବା ୧୦ଫୁଟ୍ ରହିବ। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଏକ ସେଡ୍ ତିଆରି କରାଯିବ। ଏନେଇ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ସେ କହିଥିଲେ, ଏହା ଏକ ସ୍ବାଗତଯୋଗ୍ୟ ପ୍ରସ୍ତାବ। ତେବେ ମନ୍ଦିର ନିକଟରେ କିମ୍ବା ଭିତରେ ବସିବା ପାଇଁ ଏଏସ୍ଆଇ ଓ ଦେବୋତ୍ତର ବିଭାଗର ଅନୁମତି ଅଣାଯିବା। ଏହା ପରେ ଯାହା କିଛି କରାଯାଇପାରିବ।
ଶ୍ରୀଲିଙ୍ଗରାଜ ମନ୍ଦିରରେ ବସିବ ବର୍ଜ୍ୟବସ୍ତୁ ପରିଚାଳନା ମେସିନ୍
/sambad/media/post_attachments/wp-content/uploads/2018/07/lingaraj-mandira.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)