ଶ୍ରୀଲିଙ୍ଗରାଜ ମନ୍ଦିର ସୁରକ୍ଷା ବ୍ୟବସ୍ଥା ଢିଲା

ମନ୍ଦିରକୁ କିପରି ପଶିଗଲେ ବିଦେଶିନୀ, ଜାଗର ଆସିଲେ ମନେ ପଡ଼େ ସୁରକ୍ଷା ଚିନ୍ତା

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିର ସୁରକ୍ଷା ବ୍ୟବସ୍ଥା ଏବେ ପୂରା ଢିଲା। କେବଳ ମହାଶିବରାତ୍ରି ଆସିଲେ ଏଠାରେ ସୁରକ୍ଷା ବ୍ୟବସ୍ଥାକୁ ଲୋକଦେଖାଣିଆ ଭାବେ କଡ଼ାକଡ଼ି କରାଯାଇଥାଏ। ବାସ୍‌ ତା’ପରେ ସ୍ଥିତି ଯଥା ପୂର୍ବଂ ତଥା ପରଂ। ଢିଲା ସୁରକ୍ଷା ବ୍ୟବସ୍ଥା ଯୋଗୁଁ ଗତକାଲି ଜଣେ ବିଦେଶିନୀ ମନ୍ଦିରରେ ପ୍ରବେଶ କରିଥିଲେ ବୋଲି ଆଜି ସେବାୟତମାନେ ଅଭିଯୋଗ କରିଛନ୍ତି। ମନ୍ଦିରକୁ ବିଦେଶୀ ପ୍ରବେଶ ବାରଣ କରିବା ଦାୟିତ୍ୱ ମନ୍ଦିର ପ୍ରଶାସନର ହୋଇଥିଲେ ମଧ୍ୟ ଏହା ଠିକଣା ଭାବେ ହେଉନାହିଁ। ଖାଲି ସେତିକି ନୁହେଁ, ଚାରିବର୍ଷ ପୂର୍ବରୁ ମନ୍ଦିର ଚାରିପଟେ ୱାଚ୍‌-ଟାୱାର୍‌ ଲଗାଯିବା କେବଳ ଘୋଷଣା‌ରେ ସୀମିତ ରହିଛି। ମନ୍ଦିର ଭିତରେ ଥିବା ଫାଣ୍ଡି କାମରେ ଲାଗୁ ନାହିଁ। ସେହିପରି ମନ୍ଦିର ଚପରାସି ଠିକଣା ଭାବେ କାର୍ଯ୍ୟ କରୁ ନଥିବାରୁ ଗତକାଲି ଏପରି ଏକ ଅଘଟଣ ଘଟିଗଲା ବୋଲି ସେବାୟତମାନେ ଅଭିଯୋଗ କରିଛନ୍ତି। ଏଠାରେ ପ୍ରକାଶଯୋଗ୍ୟ, ଗତକାଲି ସ୍ପେନ୍‌ର ଜଣେ ମହିଳା ପାରମ୍ପରିକ ହିନ୍ଦୁ ବେଶରେ ଅପରାହ୍‌ଣ ସାଢ଼େ ୨ଟାରେ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ସେ ମନ୍ଦିର ଭିତରେ ପୂଜା କରିବା ବେଳେ ତାଙ୍କ ଭାଷାରୁ ସେ ଜଣେ ବିଦେଶିନୀ ବୋଲି ଜଣା ପଡ଼ିଥିଲା। ମନ୍ଦିରକୁ ଅଣହିନ୍ଦୁ ପ୍ରବେଶ ବାରଣ ଥିବାରୁ ସେ ଏହି ନିୟମ ମାନି ନଥିବାରୁ ପୁଲିସ ତାଙ୍କୁ ଥାନାରେ ଅଟକ ରଖିଥିଲା। କିନ୍ତୁ ସେ ଗର୍ଭବତୀ ଥିବାରୁ ‌ତାଙ୍କୁ ଛାଡ଼ି ଦେବାକୁ ସେବାୟତମାନେ ଅନୁରୋଧ କରିଥିଲେ। ଏନେଇ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଏ ସଂପର୍କରେ ଅନୁଧ୍ୟାନ କରାଯାଇ ଟ୍ରଷ୍ଟ ବୋର୍ଡ ବୈଠକରେ ଆଲୋଚନା କରାଯିବ।

ସମ୍ବନ୍ଧିତ ଖବର