ଶ୍ରୀଲିଙ୍ଗରାଜ ମନ୍ଦିରରେ ଅବ୍ୟବସ୍ଥା: ସକାଳ ଓ ଦ୍ବିପ୍ରହର ଧୂପରେ ବାଜୁନି କାହାଳୀ

ପୁରୁଣା ଭୁବନେଶ୍ୱର: ଦୁଇ ସପ୍ତାହ ହେଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସକାଳ ଓ ଦ୍ବିପ୍ରହର ଧୂପରେ କାହାଳୀ ବାଜୁ ନାହିଁ। ମନ୍ଦିରର ସମସ୍ତ ଧୂପ ନୀତି ବେଳେ କାହଳୀ ବଜାଇବା ନୀତି ଥିବା ବେଳେ ଏବେ କେବଳ ସନ୍ଧ୍ୟା ଧୂପ ବେଳେ କାହାଳୀ ବଜାଯାଉଛି। ଏପରି ଅବ୍ୟବସ୍ଥାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ମନ୍ଦିରର ଏହି ପୂରାତନ ପରାମ୍ପରା ପାଳନରେ ଯେପରି ତ୍ରୁଟି ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ଉଭୟ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ମନ୍ଦିର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ଓ ପୂଜ‌ାପଣ୍ଡା ନିଯୋଗ ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡାଙ୍କ ଅଭିଯୋଗ ଅନୁଯାୟୀ ମନ୍ଦିରର ଏହା ଏକ ପୁରାତନ ପରମ୍ପରା। ମନ୍ଦିରର ପ୍ରତି ଧୂପ ନୀତି ବେଳେ କାହାଳୀ ବଜାଯାଇଥାଏ। ମାତ୍ର ଗତ ଦୁଇ ସପ୍ତାହ ହେଲା ସକାଳ ଓ ଦ୍ବିପ୍ରହର ଧୂପ ନୀତି ବେଳେ କାହାଳୀ ବାଜୁ ନଥିବା ଦେଖାଯାଇଛି। କାହଳୀ ବଜାଇବା ପାଇଁ ଗୋଟିଏ ପରିବାରକୁ ଏହି ଦାୟିତ୍ବ ଦିଆଯାଇଛି। ସେ ଅନୁପସ୍ଥିତ କିମ୍ବା ଅସୁସ୍ଥ ଥିଲେ ଅନ୍ୟ ଜଣେ ଏହି ଦାୟିତ୍ବ ତୁଲାଇଥାନ୍ତି। ତେବେ କିଛିଦିନ ତଳେ ତାଙ୍କର ଦୁର୍ଘଟଣା ଘଟିଥିଲା। ସେ ଏବେ ଅସୁସ୍ଥ ଅଛନ୍ତି। ଏପରି ସ୍ଥିତିରେ ମହାପ୍ରଭୁଙ୍କ ସମସ୍ତ ଧୂପ ନୀତିରେ ସେ କାହାଳୀ ବଜାଇ ପାରୁ ନଥିବା ବେଳେ ଗତ ଧନୁ ସଂକ୍ରାନ୍ତିଠାରୁ କେବଳ ସନ୍ଧ୍ୟା ଧୂପରେ ହିଁ କାହାଳୀ ବଜାଉଛନ୍ତି ବୋଲି ଦୁଇ ନିଯୋଗ ସଂପାଦକ ଅଭିଯୋଗ କରିଛନ୍ତି। ମନ୍ଦିରର ଏହି ପୁରାତନ ପରମ୍ପରାରେ ଯେପରି ତ୍ରୁଟି ନହୁଏ ସେଥିପ୍ରତି ମନ୍ଦିର ପ୍ରଶାସନ ଗୁରୁତ୍ବ ଦେବା ଦରକାର। ଅନ୍ୟପକ୍ଷରେ ମନ୍ଦିର ନୀତିକାନ୍ତି ତଦାରଖ କରୁଥିବା କର୍ମଚାରୀ ଛୁଟିରେ ଥିବାରୁ ଅନ୍ୟ କାହାକୁ ଏହି ଦାୟିତ୍ବ ଦିଆଯାଇ ନଥିବା ଶ୍ରୀ ପତି ଓ ଶ୍ରୀ ପୂଜାପଣ୍ଡା କହିଛନ୍ତି।

ଏତଦ୍‌ବ୍ୟତୀତ ମନ୍ଦିରର ଅନ୍ୟ ଅବ୍ୟବସ୍ଥା ସଂପର୍କରେ ମଧ୍ୟ ଉଭୟ ନିଯୋଗ ସଂପାଦକ ପ୍ରଶ୍ନ ଉଠାଇଛନ୍ତି। ଠାକୁରଙ୍କ ସମ୍ପତ୍ତି ପୁନରୁଦ୍ଧାର କରାଯିବାକୁ ପ୍ରଶାସନ ପକ୍ଷରୁ କମିଟି କରାଯାଇଥିଲେ ହେଁ ଏହା ଠିକ୍‌ ଭାବେ କାର୍ଯ୍ୟକାରୀ ହେଉ ନାହିଁ। ଫଳରେ ଠାକୁରଙ୍କ ସମ୍ପତ୍ତି ଜବରଦଖଲ ମୁକ୍ତ ହେବା ପରିବର୍ତେ ଏହା ବଢ଼ିବଢ଼ି ଚାଲିଛି। ମନ୍ଦିର ଟ୍ରଷ୍ଟ୍‌ବୋର୍ଡ ବୈଠକ ୫ମାସରେ ୩ଥର ବନ୍ଦ ହେଲାଣି। ଶ୍ରୀଲିଙ୍ଗରାଜଙ୍କ ସମ୍ପତ୍ତି ଉପରେ ଲିଙ୍ଗରାଜ ମାର୍କେଟ ତିଆରି ହୋଇ ଭଡ଼ା ଆଦାୟ ଆରମ୍ଭ ହୋଇଥିଲେ ମଧ୍ୟ ମନ୍ଦିର ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରିପାରୁ ନାହିଁ। ମହାଶିବରାତ୍ରି ପୂର୍ବରୁ ଏହିସବୁ ସମସ୍ୟାର ସମାଧାନ ହେବା ଦରକାର ବୋଲି ଉଭୟ କହିଛନ୍ତି। ସେହିପରି ମନ୍ଦିରର ଅବକ୍ଷୟ ମୂର୍ତ୍ତିର ପୁନରୁଦ୍ଧାର କାମ ଆରମ୍ଭ ହୋଇପାରି ନାହିଁ। ଏ ସବୁ ଅବ୍ୟବସ୍ଥା ସଂପର୍କରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହିତ ଯୋଗାଯୋଗ କରିବାରୁ ସେ କହିଥିଲେ, ଶ୍ରୀଲିଙ୍ଗରାଜ ନୂଆ ମାର୍କେଟ ଠାକୁରଙ୍କ ସମ୍ପତ୍ତି, ତେଣୁ ଏ ସଂପର୍କରେ ସେ କହିଛି କହିପାରିବେ ନାହିଁ। ଟ୍ରଷ୍ଟ ବୋର୍ଡ ବୈଠକ ଖୁବ୍‌ ଶୀଘ୍ର ହେବ। ଅନ୍ୟ କିଛି ସମସ୍ୟା ସମ୍ପର୍କରେ ସେ ଜାଣି ନଥିବା କହିଥିଲେ।

ସମ୍ବନ୍ଧିତ ଖବର