ଶ୍ରୀଲିଙ୍ଗରାଜଙ୍କ ଗର୍ଭଗୃହ ଶକ୍ତିରେ ବିଦ୍ୟୁତ ପ୍ରବାହ, ଘଣ୍ଟାଏ ନୀତି ବିଳମ୍ବ
ଦେବୋତ୍ତର ବିଭାଗକୁ ଚିଠି ଲେଖିଲା ମନ୍ଦିର ପ୍ରଶାସନ
ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିର ଗର୍ଭଗୃହ ଶକ୍ତିରେ ବିଦ୍ୟୁତ୍ ପ୍ରବାହ। କେବଳ ଶକ୍ତି ନୁହେଁ ଗର୍ଭଗୃହ ବାଡ଼ ଓ କାନ୍ଥ ଚଟାଣରେ ଆଜି ବିଦ୍ୟୁତ୍ ଚାର୍ଜ ହୋଇଯାଇଥିଲା। ସେବାୟତମାନେ ବିଦ୍ୟୁତ ଝଟ୍କା ଖାଇ ଅସନ୍ତୋଷ ପ୍ରକାଶ କରିଥିଲେ। ଏପରିକି ଭୟରେ କେହି ଗର୍ଭଗୃହକୁ ଯାଇନଥିଲେ। ଫଳରେ ପ୍ରାୟ ଘଣ୍ଟାଏ ନୀତି ବିଳମ୍ବ ହୋଇଥିଲା। ଏନେଇ ମନ୍ଦିର ପ୍ରଶାସନ ଦେବୋତ୍ତର ବିଭାଗକୁ ଚିଠି ଲେଖିଥିବା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସେବାୟତମାନଙ୍କଠୁ ମିଳିଥିବା ସୂଚନା ଅନୁଯାୟୀ ଆଜି ମଧ୍ୟାହ୍ନ ପ୍ରାୟ ସାଢ଼େ ୧ଟାରେ ସକାଳ ଧୂପ ପରେ ସାହାଣମେଲା ଦର୍ଶନ ବେଳେ ସେବାୟତ ଓ ଭକ୍ତ ଗର୍ଭଗୃହକୁ ପ୍ରବେଶ ବେଳେ ସେମାନଙ୍କୁ ବିଦ୍ୟୁତ ଝଟ୍କା ଲାଗିଥିଲା। ସେମାନେ ସଙ୍ଗେ ସଙ୍ଗେ ଆଡ଼କାଠ ପାଖକୁ ଚାଲି ଆସିଥିଲେ। ଗର୍ଭଗୃହରେ ଶକ୍ତି, ଶକ୍ତି ଚାରିପଟେ ଲାଗିଥିବା ବାଡ଼ା(ରେଲିଙ୍ଗ୍), କାନ୍ଥ ଓ ଚଟାଣରେ ବିଦ୍ୟୁତ୍ ଚାର୍ଜ ହୋଇଯାଇଥିଲା। ଆଡ଼କାଠ ଠାରୁ ଗର୍ଭ ଗୃହ ପର୍ଯ୍ୟନ୍ତ ଚାର୍ଜ ହୋଇଯାଇଥିଲା। ଫଳରେ ପାଳିଆ ସେବାୟତ ଓ ଭକ୍ତମାନେ ମଧ୍ୟ ଭିତରକୁ ଯାଇପାରିନଥିଲେ। ଏହା ପରେ ବିଦ୍ୟୁତ୍ ବିଭାଗ କର୍ମଚାରୀ ଆସି ମୁଖ୍ୟ ଲାଇନ୍ କାଟି ବିଦ୍ୟୁତ୍ ତାର ମରାମତି କରିଥିଲେ। ପରେ ସେବାୟତ ଓ ଶ୍ରଦ୍ଧାଳୁମାନେ ମନ୍ଦିର ଗର୍ଭଗୃହକୁ ପ୍ରବେଶ କରିଥିଲେ। ତେବେ ଏନେଇ ଘଣ୍ଟାଏ ନୀତି ବିଳମ୍ବ ହୋଇଥିଲା। ଫଳରେ ସେବାୟତମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ସେହିପରି ଦୀର୍ଘ ୫ଦିନ ହେଲା ମନ୍ଦିର ଭିତରେ ଲାଗିଥିବା ହାଇମାଷ୍ଟ ଲାଇଟ୍ ଜଳୁନାହିଁ। ମନ୍ଦିରରେ ବିଦ୍ୟୁତ୍ କାମର ପୁନରୁଦ୍ଧାର ନହେବାରୁ ଏପରି ହୋଇଛି ବୋଲି ସେବାୟତମାନେ କହିଛନ୍ତି। ଗତମାସରେ ୪ଥର ନୀତି ବିଳମ୍ବ ହୋଇଥିବା ବେଳେ ଚଳିତ ମାସ ଆରମ୍ଭରୁ ପୁଣି ନୀତି ବିଳମ୍ବ ନେଇ ସେବାୟତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁଙ୍କୁ ପଚାରିବାରୁ ସେ କୁହନ୍ତି, ମନ୍ଦିର ଭିତରେ ବିଦ୍ୟୁତ୍ ସଂଯୋଗ ବହୁ ଦିନର। ଏହାର ପୁନରୁଦ୍ଧାର ପାଇଁ ବହୁବାର ବୈଠକରେ କହିଛି। ଏନେଇ ବିଏମ୍ସି କମିସନରଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରିଛି। ତେବେ ଆଜି ଗର୍ଭଗୃହରେ ଲାଗିଥିବା ଫ୍ୟାନ୍ ସର୍ଟ ହେବାରୁ ବିଦ୍ୟୁତ ଚାର୍ଜ ହୋଇ ଯାଇଥିଲା। ଆର୍ଥିଙ୍ଗ୍ର କରେଣ୍ଟ୍ ସାମାନ୍ୟ ପରିମାଣରେ ଝିମି୍ଝିମ୍ କରିଥିଲା। ଏନେଇ ଦେବୋତ୍ତର ବିଭାଗକୁ ଚିଠି ଲେଖି ଜଣାଯାଇଛି ବୋଲି ଶ୍ରୀ ସାହୁ କହିଛନ୍ତି।