ଶ୍ରୀଲିଙ୍ଗରାଜଙ୍କ ସୌନ୍ଦର୍ଯ୍ୟୀକରଣ: ସିଂହଦ୍ବାର ସାମ୍ନାରେ ୩ ଫୁଟ୍‌ର ମାଟି ଖୋଳା ଆରମ୍ଭ

ସମସ୍ୟା ଦେଖାଦେଲେ ବିକଳ୍ପ ବ୍ୟବସ୍ଥା ହେବ

ପୁରୁଣା ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ବାର ସାମ୍ନାରେ ୩ଫୁଟ୍‌ର ମାଟି ଖୋଳା ଆରମ୍ଭ ହୋଇଛି। ମନ୍ଦିର ସମ୍ମୁଖ ପୂର୍ବ ସ୍ଥିତି ଫେରାଇ ଆଣିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ପ୍ରଥମେ ରାସ୍ତାକୁ ଛାଡ଼ି ଅନ୍ୟ ସବୁ ଅଞ୍ଚଳ ଖୋଳାଯିବ ବୋଲି ସୂଚନା ଦିଆଯାଇଛି। ଓଡ଼ିଶା ବ୍ରିଜ୍‌ କନ୍‌ଷ୍ଟ୍ରକ୍ସନ କର୍ପୋ‌ରେସନ୍‌ (ବିସିସି) ପକ୍ଷରୁ କୁହାଯାଇଛି ଯେ ସିଂହଦ୍ବାର ନିକଟ ଦକ୍ଷିଣ ଓ ଉତ୍ତରକୋଣରେ ପ୍ରଥମେ ୩ଫୁଟ୍‌ ଲେଖାଏଁ ମାଟି ବାହାର କରାଯିବ। ପରେ ମନ୍ଦିରକୁ ସଂଯୋଗ ପାଚେରି ନିକଟ ରାସ୍ତାରୁ ୩ଫୁଟ୍‌ ଲେଖାଏଁ ଖୋଳାଯିବ। ତେବେ ଆବଶ୍ୟକ ପଡ଼ିଲେ ଅଧିକ ଖୋଳାଯିବ ବୋଲି ଓଡ଼ିଶା ବିସିସି ଜେନେରାଲ ମ୍ୟାନେଜର୍‌ ଅବନୀ ଦାସ ସୂଚନା ଦେଇ କହିଛନ୍ତି।

ଆଜି ଭୋର ସମୟରୁ ମନ୍ଦିର ନିକଟ ଏକାମ୍ରେଶ୍ବର ମନ୍ଦିର ଚଟାଣ ସହ ଲିଙ୍ଗରାଜ ମନ୍ଦିର ସିଂହଦ୍ବାର ପାର୍ଶ୍ବ ବ୍ୟ‌ାଖ୍ୟାନ କେନ୍ଦ୍ର ଥିବା ସ୍ଥାନ ଖୋଳା ଆରମ୍ଭ ହୋଇଛି। ଏହାକୁ ଡାକରା ବିଭୀଷଣେଶ୍ବର ମନ୍ଦିର ନିକଟ ରାସ୍ତା ସହ ସମାନ କରାଯିବ। ସେହି ଖାଲୁଆ ସ୍ଥାନ ସମତୁଲ କରାଯିବ। ମନ୍ଦିର ନିର୍ମାଣ ବେଳେ ଯେଉଁ ଉଚ୍ଚତା ଥିଲା, ସେହି ଅନୁସାରେ ରଖିବା ପାଇଁ ଏହି ଖୋଳା ଆରମ୍ଭ ହୋଇଛି। ଖୋଳା ଯାଇଥିବା ଅଞ୍ଚଳରେ ପାହାଚ ନିର୍ମାଣ ହେବ। ପର୍ଯ୍ୟଟକଙ୍କଠାରୁ ଆରମ୍ଭ କରି ସେବାୟତ ପର୍ଯ୍ୟନ୍ତ ସମସ୍ତେ ପାଦରେ ଚାଲି ଚାଲି ମନ୍ଦିରକୁ ଯିବେ। ତେବେ ମନ୍ଦିର ଭିତର ଓ ବାହାର ଅଞ୍ଚଳରୁ ବର୍ଷା ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରାଯିବ। ପ୍ରକାଶ ଥାଉକି ଲିଙ୍ଗରାଜ ମନ୍ଦିରର କିଛି ଦୂର ତିନି ମୁଣ୍ଡିଆ ଛକର ବୈତାଳ ମନ୍ଦିର ଓ ଟଙ୍କପାଣି ରୋଡ଼୍‌ ନିକଟରେ ଥିବା ମେଘେଶ୍ବର ମନ୍ଦିର କଡ଼ରେ ରାସ୍ତା ଉଚ୍ଚା ଥିବାରୁ ବର୍ଷା ଦିନେ ବର୍ଷା ପାଣି ଓ ଡ୍ରେନ୍‌ ପାଣି ମନ୍ଦିର ଭିତରେ ପ୍ରବେଶ କରିଥାଏ। ତେବେ ଅନ୍ୟପଟ ଅର୍ଥ‌‌ାତ ମନ୍ଦିର ରାସ୍ତା ସହ ହାଟ ସାହି ରାସ୍ତା, ଜଗନ୍ନାଥ ମଠ ରାସ୍ତା, ହସ୍ପିଟାଲ ରାସ୍ତା ମଧ୍ୟ ସମାନ ଅଛି । ମନ୍ଦିର ସିଂହଦ୍ବାର ନିକଟ ଖୋଳ‌‌ା ଗଲେ ପାଣି ସେହି ଖାଲୁଆ ଅଞ୍ଚଳରେ ଜମିବ। ତେଣୁ ପ୍ରଥମେ ମନ୍ଦିର ସିଂହଦ୍ବାର ଓ ପରେ ଅନ୍ୟ ପାର୍ଶ୍ବ ଖୋଳାଯିବ ବୋଲି ଶ୍ରୀ ଦାସ କହିଛନ୍ତି। ତେବେ ମନ୍ଦିରକୁ ଜାଗା ଛାଡ଼ି ଉଚ୍ଚରେ ରାସ୍ତା ନିର୍ମାଣ କରାଯିବ। ଫଳରେ ବାହାର ପାଣି ମନ୍ଦିର ଆଡ଼କୁ ଆସି ପାରିବ ନାହିଁ। ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ତଥା ଅତିରିକ୍ତ ଜିଲାପାଳ ଅରୁଣ ବେହେରା କୁହନ୍ତି ଇଞ୍ଜିନିୟରିଂ ବିଭାଗ ସହ ଆଲୋଚନା କରାଯାଇ କାମ ଚାଲିଛି। ପୂର୍ବ ଗଭୀରତା ସମ୍ପର୍କରେ ଅନୁଧ୍ୟାନ କରାଯାଉଛି। ୩ ଫୁଟ୍‌ ଖୋଳାଯିବା ପରେ ଯଦି ଆବଶ୍ୟକ ପଡ଼େ, ଅଧିକ ଖୋଳାଯିବ। ସେଥିପାଇଁ ମନ୍ଦିର ନିକଟରେ ଯାଇଥିବା ପିଏଚ୍‌ଡି ପାଇପ୍‌ ଲାଇନ୍‌ ଅଧିକ ଗଭୀରରେ ନେବା କିମ୍ବା ଅନ୍ୟ ପଟେ ନେବା ପାଇଁ କୁହାଯାଇଛି।

ସମ୍ବନ୍ଧିତ ଖବର