ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ୩କୋଟି ଟଙ୍କାର ମୂଲ୍ୟବାନ ଜମିକୁ ମନ୍ଦିର ପ୍ରଶାସନ ଜବରଦଖଲ ପାଇଁ ସୁଯୋଗ ଦେଇଛି। ଏନେଇ ସେବାୟତମାନେ ଅଭିଯୋଗ କରିଛନ୍ତି। ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଏକ ମିଥ୍ୟା ପ୍ରେସ୍ ଇସ୍ତାହାର ପ୍ରଦାନ କରି ଚୁପ୍ ବସିବାରୁ ଏବେ ଉକ୍ତ ଜମି ଉପରେ ଘର ତିଆରି ହୋଇ ଛାତ ପଡ଼ିବାକୁ ଯାଉଛି। ରାଜ୍ୟ ଦେବୋତ୍ତର କାର୍ଯ୍ୟାଳୟରୁ ୨କିଲୋମିଟର ଓ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ୧କିଲେମିଟର ଦୂରରେ ରହିଛି ମହାପ୍ରଭୁଙ୍କ ଏହି ମୂଲ୍ୟବାନ ଜମି। ହେଲେ ପ୍ରଶାସନ ଆଖି ଦୃର୍ଶିଆ ପଦକ୍ଷେପ ନେଉନଥିବାରୁ ଜବରଖଲକାରୀ ଏହି ଜମିକୁ ଦଖଲ କରିବାରେ ଲାଗି ପଡ଼ିଛନ୍ତି। ଅନେକ ଜମିରେ ମକଦ୍ଦମା ଫଇସଲା ହୋଇଥିଲେ ହେଁ ପ୍ରଶାସନ ଏହାକୁ ନିଜ ଆୟତ୍ତକୁ ଆଣିବାକୁ ଫେଲ୍ ମରିଛି। ମିଳିଥିବା ସୂଚନା ଅନୁଯାୟୀ ରାଜଧାନୀର ଗୁରୁତ୍ବପୂର୍ଣ୍ଣ ସ୍ଥାନ ରାଜାରାଣୀ ମୌଜାରେ ଖାତା ନଂ ୬୦୪/୨୪୯ରେ ପ୍ଲଟ୍ ନଂ ୮୬୯ ଓ ୮୭୦ ଉପରେ ୩୦୮ ଡେସିମିଲି ଜମି ଜବରଦଖଲ ହୋଇଥିବା ଘଟଣା ପଦାକୁ ଆସିଥିଲା। ଏହି ଖବର ପାଇବା ପରେ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁ ଏହାର ତଦନ୍ତ କରିଥିଲେ ଓ ପୁନରୁଦ୍ଧାର କରିଥିଲେ ବୋଲି କହିଥିଲେ। ଏପରିକି ଏହି ଜମି ପୁନରୁଦ୍ଧାର ହେଲା ବୋଲି ଶ୍ରୀସାହୁ ଗତ ଜାନୁଆରୀ ମାସ ୨୫ତାରିଖରେ ଏକ ପ୍ରେସ ଇସ୍ତାହାର ଜରିଆରେ ଜଣାଇଥିଲେ। ତେବେ ପ୍ରକୃତରେ ଜମି ପୁନରୁଦ୍ଧାର ହୋଇନଥିଲା। ଏହି ଜମି ଉପରେ କୋଠା ନିର୍ମାଣ କରାଯାଉଛି। ଘଟଣାଟି ଚପିଯିବା ପାଇଁ ମନ୍ଦିର ନିର୍ବାହୀ ଅଧିକାରୀ ଶ୍ରୀ ସାହୁ ପ୍ରେସ ଇସ୍ତାହାର ପ୍ରଦାନ କରିଥିଲେ ବୋଲି ବହୁ ସେବାୟତମାନେ ଅଭିଯୋଗ କରିଛନ୍ତି। କାହା ସ୍ବାର୍ଥରେ ଏପରି କରାଯାଉଛି ଆଉ ଏହି ଜମି ଜବରଦଖଲ ପାଇଁ କେଉଁ ଅଧିକାରୀ ସାହାଯ୍ୟ କରୁଛନ୍ତି ତାହା ସର୍ବସାଧାରଣରେ ପ୍ରକାଶ କରିବାକୁ ସେବାୟତମାନେ ଦାବି କରିଛନ୍ତି।
ଏନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ଓ ପୂଜାପଣ୍ଡା ନିଯୋଗ ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା କୁହନ୍ତି ନିର୍ବାହୀ ଅଧିକାରୀ ମିଥ୍ୟା ଇସ୍ତାହାର ପ୍ରଦାନ କରିବା ପରେ ଜମି ଉପରେ କାମ ହେଉଛି। ଜବରଦଖଲକାରୀଙ୍କ ସହ କିଛି ଅସାଧୁ ଅଫିସର ସାମିଲ ଅଛନ୍ତି। ବଡ଼ୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡ଼ୁ କୁହନ୍ତି ଜବରଦଖଲ ଜମି ଉପରେ ଘର ତିଆରି ଚାଲିଥିବା ବେଳେ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ମିଥ୍ୟା ପ୍ରେସ ଇସ୍ତାହାର ଦେଇ ନିଜକୁ ସୁରକ୍ଷା ଦେବାକୁ ଚାହୁଁଛନ୍ତି। ଦୁଇ ସପ୍ତାହ ପୂର୍ବରୁ ସାମନ୍ତରାପୁର ଟାଟା ଅଫିସ୍ ସମ୍ମୁଖରେ ଶ୍ରୀଲିଙ୍ଗରାଜଙ୍କ ଜମି ଜବରଦଖଲ ଖବର ପାଇ ଶ୍ରୀ ସାହୁ ମାପ କରିବାକୁ ଯାଇଥିଲେ। ଅଥଚ ଏହି ଘଟଣାକୁ ଚାପି ଦେଇ ବସିଛନ୍ତି। ଏଥିରୁ ତାଙ୍କ କାର୍ଯ୍ୟକଳାପ ଜଳ ଜଳ ଜଣାପଡ଼ୁଛି ବୋଲି ଶ୍ରୀ ବଡ଼ୁ କହିଛନ୍ତି। ଏକାମ୍ର ଜନ ଜାଗରଣ ମଞ୍ଚର ସଭାପତି ଭୀଷ୍ମ ନାରାୟଣ ନାୟକ କୁହନ୍ତି କିଛି ଅସାଧୁ ଅଧିକାରୀଙ୍କ ଯୋଗୁଁ ମନ୍ଦିର ଜମି ଜବରଦଖଲ ବୃଦ୍ଧି ପାଉଛି। ଏନେଇ କାର୍ଯ୍ୟାନୁଷ୍ଠାନ ନନେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ। ଏ ସମ୍ପର୍କରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସାହୁଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ଏହା ସମ୍ଭବ ହୋଇନଥିଲା। ମନ୍ଦିର ଟ୍ରଷ୍ଟ ବୋର୍ଡ ସଭ୍ୟ ଅବନୀ ପଟ୍ଟନାୟକ କୁହନ୍ତି ଏ ସଂକ୍ରାନ୍ତରେ ପଦକ୍ଷେପ ନିଆଯିବ। ଦେବୋତ୍ତର କମିସନର ଚିତ୍ତରଞ୍ଜନ ମହାପାତ୍ର କୁହନ୍ତି ଘଟଣାର ତଦନ୍ତ କରାଯାଇ ଆଇନ ଅନୁଯାୟୀ ନୂତନ ଟ୍ରଷ୍ଟ ବୋର୍ଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/dg8j78dg9j7d987jd98g7j98dgj798dgjdgdgdgdgdgdgdgdgdgdgdgdgdgdgdgdgdgdgdgdgdgdgdgdgdgdgdgdg.jpg)
