ଶ୍ରୀଲିଙ୍ଗରାଜ ପିନ୍ଧିଲେ ଶୀତବସ୍ତ୍ର

ପୁରୁଣା ଭୁବନେଶ୍ୱର: ଶୀତ ଦିନରେ ମଣିଷ ଶୀତ ବସ୍ତ୍ର ପରିଧାନ କରିଥାଏ। ସେହିପରି ଦେବତାମାନଙ୍କୁ ମଧ୍ୟ ଶୀତରୁ ରକ୍ଷା କରିବା ପାଇଁ ସେବାୟତଙ୍କ ଦ୍ୱାରା ଶୀତବସ୍ତ୍ର ପ୍ରସ୍ତୁତ କରାଯାଇଛି। ଓଢ଼ଣ ଷଷ୍ଠୀ ଉପଲକ୍ଷେ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଘୋଡ଼ଲାଗି ନୀତି କରାଯାଇଥିଲା। ମନ୍ଦିରରେ ଶ୍ରୀ ଲିଙ୍ଗରାଜ ମହାପ୍ରଭୁ ଓ ଅନ୍ୟାନ ଦେବଦେବୀଙ୍କୁ ଆଜି ଘୋଡ଼ଲାଗି କରାଯାଇଛି। ଅପରାହ୍‌ଣରେ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଓଢ଼ଣ ଷଷ୍ଠୀ ପୂଜା ପାଇଁ ସୂର୍ଯ୍ୟ ପୂଜା, ଦ୍ଵାରପାଳ ପୂଜା ପରେ ମହାସ୍ନାନ ପୂଜା କରାଯାଇଥିଲା। ଏହା ପରେ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର କାର୍ଯ୍ୟାଳୟରୁ ବେହରଣ ମଣ୍ଡପକୁ ଶ୍ରୀଜିଉଙ୍କ ଘୋଡ଼ (ଧଳା ଲୁଗା), ନୂଆ ପାଟ, ସୁଗନ୍ଧିତ ଫୁଲମାଳ ଆଦି ଆସିଥିଲା। ସେଗୁଡ଼ିକୁ ରୁପା ଥାଳିରେ ରଖାଯାଇଥିଲ। ପରେ ପୂଜାପଣ୍ଡା ସେବାୟତ ସେଠାରେ ଅଧିବାସ ପୂଜା କରିଥିଲେ। ପତ୍ରୀ ସେବାୟତ ବଡ଼ୁ ସେବାୟତଙ୍କୁ ଶ୍ରୀଜିଉଙ୍କ ଘୋଡ଼ (ଧଳା ଲୁଗା), ନୂଆ ପାଟ, ସୁଗନ୍ଧିତ ଫୁଲମାଳ ଆଦି ପ୍ରଦାନ କରିଥିଲେ। ଅପରାହ୍‌ଣରେ ବଡୁ ସେବାୟତ ଏହି ଘୋଡ଼, ନୂଆ ପାଟ, ସୁଗନ୍ଧିତ ଫୁଲମାଳ ଲାଗି କରିଥିଲେ। ଶ୍ରୀ ଲିଙ୍ଗରାଜଙ୍କ ଏହି ଘୋଡ଼ଲାଗି ବେଶ ନୀତି ମହାଶିବରାତ୍ରୀ ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟେକ ଦିନ ମହାପ୍ରଭୁଙ୍କ ସକାଳ ଧୂପ, ଦ୍ଵିପହର ଧୂପ, ସନ୍ଧ୍ୟା ଧୂପ ଓ ବଡ଼ସିଂହାର ଧୂପରେ ଏହି ଘୋଡ଼ ଲାଗି କରାଯିବ।

ଆଜି ଶ୍ରୀ ଲିଙ୍ଗରାଜଙ୍କ ଘୋଡ଼ ଲାଗି ପରେ ମନ୍ଦିରରେ ଥିବା ସିଦ୍ଧିବିନାୟକ, ମା’ ପାର୍ବତୀ, ଶ୍ରୀ ଦୋଳଗୋବିନ୍ଦ, ମା’ ଭୁବନେଶ୍ୱରୀ, ଶ୍ରୀଜଗନାଥ, ଲକ୍ଷ୍ମୀ ନୃସିହଂ, ଶ୍ରୀନାରାୟଣ ଆଦି ସମସ୍ତ ଦେବାଦେବୀଙ୍କୁ ଘୋଡ଼ଲାଗି କରାଯାଇଥିଲା। ସେହିପରି ଶ୍ରୀ କପିଳନାଥ, ଶ୍ରୀ ଡାକରା ବିଭୀଷଣେଶ୍ୱର, ଶ୍ରୀ ରାମେଶ୍ୱର ଆଦି ଏକାମ୍ର କ୍ଷେତ୍ରର ଅନ୍ୟାନ୍ୟ ଦେବଦେବୀଙ୍କୁ ଘୋଡ଼ ଲାଗି କରାଯାଇଥିଲା।

ସମ୍ବନ୍ଧିତ ଖବର