ଶ୍ରୀଲିଙ୍ଗରାଜଙ୍କ ସ୍ବତନ୍ତ୍ର ଆଇନରେ ରହିଲାନି ବାପାମା’ଙ୍କ ମନ୍ଦିର, ନଜର ଅଢ଼ୁଆଳରେ ପାତାଳି ମନ୍ଦିର

ପୁରୁଣା ଭୁବନେଶ୍ୱର: ବୁଢ଼ା ବାପାମା’ଙ୍କୁ ଅଣଦେଖା କରିବା ଏକ ସାମାଜିକ ଅପରାଧ ବୋଲି ବିବେଚିତ ହେଉଥିଲେ ମଧ୍ୟ ସମ୍ପ୍ରତି ଏହା ସମାଜରୁ ଥମିବା ନାଁ ଧରୁନାହିଁ। ପୁଅଝିଅ ଥାଇ ବି ଆଜି ବହୁ ଅସହାୟ ବୃଦ୍ଧ ବାପାମା’ ଜରାଶ୍ରମରେ ଆଶ୍ରୟ ନେଇଛନ୍ତି। ପୁଅଝିଅଙ୍କ ପାଇଁ ଅଲୋଡ଼ା ହୋଇ ପଡ଼ିଥିବା ବହୁ ବୃଦ୍ଧ ବାପାମା’ ବି ରାସ୍ତାକଡ଼ରେ ଭିକ୍ଷା ବୃତ୍ତି କରିବା ଦେଖିବାକୁ ମିଳୁଛି। ମଣିଷ କ୍ଷେତ୍ରରେ ଘଟୁଥିବା ଏହି ଅଭାବନୀୟ ସ୍ଥିତିରୁ ଭଗବାନ ବି ମୁକୁଳି ପାରିନାହାନ୍ତି। ଠିକ୍‌ ସେମିତି ଘଟିଛି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବାପାମା’ଙ୍କ କ୍ଷେତ୍ରରେ। ପ୍ରଶାସନ ଆଖିରେ ପୁଅ ବଡ଼ ଠାକୁର ଓ ତା’ପାଇଁ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି। ଅଥଚ ତାଙ୍କ ବାପାମା’ କୁହାଯାଉଥିବା ମହାକାଳ ଓ ମହାକାଳୀଙ୍କୁ ପ୍ରଶାସନ ଭୁଲି ଯାଇଛି। ପାତାଳି ମନ୍ଦିରରେ ରହୁଥିବା ମହାକାଳ ଓ ମହାକାଳୀ ପ୍ରଶାସନର ନଜର ଅଢ଼ୁଆଳରେ ଅଲୋଡ଼ା ହୋଇ ପଡ଼ି ରହିଛନ୍ତି। ପୁଅ ଲିଙ୍ଗରାଜଙ୍କ ପାଇଁ ପ୍ରଶାସନ ସ୍ବତନ୍ତ୍ର ଆକ୍ଟ ପ୍ରସ୍ତୁତ କରାଯାଇଥିଲେ ବି ବାପାମା’ଙ୍କୁ ଏଥିରେ ସାମିଲ୍‌ କରାଯାଇନାହିଁ। ପ୍ରଶାସନର ଏଭଳି ନିଷ୍ପତ୍ତିକୁ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଛି।

ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ଅଣାଯାଇଥିବା ସ୍ବତନ୍ତ୍ର ଆକ୍ଟରେ ନିକଟସ୍ଥ ବହୁ ଛୋଟ ମନ୍ଦିର ସାମିଲ ହୋଇଛନ୍ତି। ଫଳରେ ସେହିସବୁ ମନ୍ଦିରର ପୂଜାପର୍ବାଣୀରେ ଉପୁଜୁଥିବା ସମସ୍ୟା ସବୁ ଏଣିକି ଦୂର ହୋଇପାରିବ। କିନ୍ତୁ ପରିତାପର କଥା ଏହି ସ୍ବତନ୍ତ୍ର ଆକ୍ଟରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବାପାମା’ଙ୍କ ମନ୍ଦିରର ନାଁ ନାହିଁ। ତେଣୁ ଦୀର୍ଘ ବର୍ଷ ହେଲା ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ଏହି ମନ୍ଦିର ସେମିତି ଦୟନୀୟ ସ୍ଥିତିରେ ରହିବ ବୋଲି ଜଳଜଳ ହୋଇ ଦିଶିଯାଉଛି।

ସୂଚନାଯୋଗ୍ୟ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରର ଦକ୍ଷିଣ ଓ ପୂର୍ବ କୋଣରେ ରହିଛି ମହାକାଳ ଓ ମହାକାଳୀ ମନ୍ଦିର। ସେମାନଙ୍କୁ ମହାପ୍ରଭୁଙ୍କ ବାପାମା’ ବୋଲି ବିଶ୍ବାସ କରାଯାଏ। ପୂର୍ବରୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବା ପୂର୍ବରୁ ତାଙ୍କ ବାପାମା’ ମହାକାଳ ଓ ମହାକାଳୀଙ୍କୁ ଦର୍ଶନ କରୁଥିଲେ। କିନ୍ତୁ କାଳକ୍ରମେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଭିତରେ ଏହି ଭାବନା କମିବାରେ ଲାଗିଲା। ତେଣୁ ଏହି ମନ୍ଦିରକୁ ଅଧିକ ସଂଖ୍ୟାରେ ଲୋକେମାନେ ଆସିଲେ ନାହିଁ। ତେବେ ବଡ଼ ସମସ୍ୟା ହେଲା ମନ୍ଦିରର ସ୍ଥିତି। ମନ୍ଦିରଟି ପାତାଳି ଥିବାରୁ ବାହାରକୁ ଦୃଶ୍ୟମାନ ହେଉନାହିଁ। ବାହାରକୁ ଏହା ଏକ ପାଚେରି ଘେରା କୌଣସି ପରିତ୍ୟକ୍ତ ମନ୍ଦିର ଭଳି ମନେହୁଏ। ସେହିଭଳି ଦୀର୍ଘ ଦିନ ହେଲା ଏହି ମନ୍ଦିରରେ ବିଦ୍ୟୁତ୍ ବତି ଜଳୁନାହିଁ। ବର୍ଷା ଦିନେ ମନ୍ଦିର ବୁଡ଼ି ଯାଉଛି। ବର୍ଷା ପାଣି ମନ୍ଦିର ଭିତରକୁ ପଶିଯିବାରୁ ଠାକୁର ଠାକୁରାଣୀ ପୂଜା ପାଇବାରେ ସମସ୍ୟା ହେଉଛି। ଶ୍ରଦ୍ଧାଳୁମାନଙ୍କ ପାଇଁ ଏଠାରେ କିଛି ସୁବିଧାସୁଯୋଗ ବି ନାହିଁ। ମହାପ୍ରଭୁଙ୍କ ବାପାମା’ଙ୍କୁ ବି ଅବ‌ହେଳା କରାଯାଉଛି ବୋଲି ପୂଜକ ଦେ‌ବରାଜ ଦାଶ କ୍ଷୋଭର ସହ କହିଛନ୍ତି। ଏନେଇ ବିଏମ୍‌ସି ଜୋନାଲ୍‌ ଡେପୁଟି କମିସନରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଏ ନେଇ କିଛି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର