ଶ୍ରୀପଞ୍ଚମୀ ପଡ଼ିଆରେ ମହାପ୍ରଭୁଙ୍କ ସିଂହାସନ ଉଭାନ୍‌

ରିପୋର୍ଟ ଦେଲେ ଆର୍‌ଆଇ, ତଦନ୍ତ ଦାବିକଲେ ସ୍ଥାନୀୟ ଲୋକେ

ପୁରୁଣା ଭୁବନେଶ୍ୱର: ଶ୍ରୀପଞ୍ଚମୀ ପଡ଼ିଆରେ ଥିବା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସିଂହାସନ ଉଭାନ ହୋଇଯାଇଛି। ଏପରି ରିପୋର୍ଟ ପ୍ରଦାନ କରିଛନ୍ତି ମନ୍ଦିର ପ୍ରଶାସନର ରାଜସ୍ୱ ନିରୀକ୍ଷକ। ଠାକୁରଙ୍କ ସମ୍ପତ୍ତି ଜବରଦଖଲ ଯୋଗୁଁ ସିଂହାସନ ଆଉ ଦେଖା ଯାଉ ନଥିବା ରିପୋର୍ଟରେ କୁହାଯାଇଛି। ତେବେ ଜବରଦଖଲ ଅଞ୍ଚଳରେ କେବଳ ଆମ୍ବ ଗଛ ରହିଥିବା ଦର୍ଶାଯାଇଛି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ଲୋକେ।

ପ୍ରକାଶ ଯେ, ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ କାଠ ଅନୁକୂଳ ନୀତି ଯେଉଁ ସ୍ଥାନରେ ହୋଇଥାଏ ତାହା ଏବେ ଜବରଦଖଲକାରୀ କବ୍‌ଜାରେ ରହିଛି। ଏ ସଂପର୍କରେ କିଛି ଶ୍ରଦ୍ଧାଳୁ ମନ୍ଦିର ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ମନ୍ଦିର ପ୍ରଶାସନ ପକ୍ଷରୁ ତଦନ୍ତ ନିର୍ଦେଶ ଦିଆଯାଇଥିଲା। ମନ୍ଦିର ପ୍ରଶାସନର ବରିଷ୍ଠ ରାଜସ୍ୱ ନିରୀକ୍ଷକ ସୁଶାନ୍ତ ସ୍ୱାଇଁ ସର୍‌ଜମିନ୍‌ ତଦନ୍ତ କରିଛନ୍ତି। ସେଠାରେ ସିଂହାସନ ସମ୍ପୂର୍ଣ୍ଣ ଉଭାନ ହୋଇଯାଇଛି ବୋଲି ସେ ରିପୋର୍ଟ ପ୍ରଦାନ କରିଛନ୍ତି। ତେବେ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ନିଜେ ସେଠାକୁ ଗସ୍ତ କରି ତଦନ୍ତ କରିବେ ବୋଲି କହିଛନ୍ତି। ଅନ୍ୟପଟେ ଆସନ୍ତା ସୋମବାର ଶ୍ରୀପଞ୍ଚମୀ ସନ୍ଧ୍ୟାରେ ଶ୍ରୀପଞ୍ଚମୀ ପଡ଼ିଆକୁ ଠାକୁର ବିଜେ କରିବେ। ସେଠାରେ ସିଂହାସନ ଉପରେ ବିରାଜମାନ କରିବା ପରେ ଠାକୁରଙ୍କ ପୂଜା ନୀତି ସଂପନ୍ନ ହେବ। ସେଠାରେ ଥିବା ଆମ୍ବ ଗଛରେ କୁରାଢ଼ି ଲାଗାଇ କାଠ ଚିରା ଅନୁକୂଳ କରାଯିବ। ମାତ୍ର ସିଂହାସନ ନଥିବାରୁ ଠାକୁର କେଉଁଠି ବିରାଜମାନ କରିବେ ସେ ନେଇ ପ୍ରଶାସନ ଚିନ୍ତାରେ ପଡ଼ିଛି। ସେପଟେ ଠାକୁରଙ୍କ ସମ୍ପତି ଜବରଦଖଲ ଘଟଣା ପ୍ର୍ରଶାସନ ଦାୟୀ ବୋଲି ଅଭିଯୋଗ ହୋଇଛି। ଦେବୋତ୍ତର ବିଭାଗ ଓ ମନ୍ଦିର ପ୍ରଶାସନ ମିଳିମିଶି ଏପରି କରିଛନ୍ତି ବୋଲି ଏକାମ୍ର ଜନ ଜାଗରଣ ମଞ୍ଚ ପକ୍ଷରୁ କୁହାଯାଇଛି। ଏନେଇ ପଦକ୍ଷେପ ନିଆ ନଗଲେ ଆନ୍ଦୋଳନ କରାଯିବ ବୋଲି ମଞ୍ଚର ସଭାପତି ଭୀଷ୍ମନାରାୟଣ ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର