ସ୍ବାମୀ ବୈରାଗ୍ୟାନନ୍ଦଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା, ମରଣୋତ୍ତର ପଦ୍ମଶ୍ରୀ ଦାବି

ଭୁବନେଶ୍ବର: କଳାହାଣ୍ଡିରେ ଶ୍ରୀ ରାମକୃଷ୍ଣ ଆଶ୍ରମ ପ୍ରତିଷ୍ଠା କରିଥିବା କର୍ମଯୋଗୀ ସ୍ବାମୀ ବୈରାଗ୍ୟାନନ୍ଦ ସରସ୍ବତୀ ମହାରାଜଙ୍କୁ ମରଣୋତ୍ତର ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଉ। ଏଥିପାଇଁ ରାଜ୍ୟ ସରକାର ସୁପାରିସ୍ କରନ୍ତୁ ବୋଲି ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଡ. ବିମଳେନ୍ଦୁ ମହାନ୍ତି ଦାବି କରିଛନ୍ତି। ବୁଦ୍ଧମନ୍ଦିରରେ ସ୍ବାମୀ ବୈରାଗ୍ୟାନନ୍ଦଙ୍କ ଉଦ୍ଦେଶ୍ୟରେ ଓଡ଼ିଶା ପୂଜ୍ୟ ପ୍ରଣାମ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ସାମୂହିକ ଦୀପଦାନ ଓ ଶ୍ରଦ୍ଧାଞ୍ଜଳି ସଭାରେ ଶ୍ରୀ ମହାନ୍ତି ଏହି ଦାବି କରିଛନ୍ତି। ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରୋହିତ୍ୟରେ ଏହି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା।

କଳିଙ୍ଗ ବିଶ୍ବ ବିଦ୍ୟାଳୟର ପ୍ରତିଷ୍ଠାତା ଡ. ବଦ୍ରିନାଥ ପଟ୍ଟନାୟକ କହିଲେ, ସ୍ବାମୀଜୀ କର୍ମଯୋଗୀ ଥିଲେ। ପୂର୍ବତନ ପ୍ରଶାସକ ନରେନ୍ଦ୍ର କୁମାର ମିଶ୍ର କହିଥିଲେ ସ୍ବାମୀଜୀ ହୃଦୟଙ୍ଗମ କରିଥିଲେ, କୃଷି ଦ୍ବାରା ସମାଜର ପଛୁଆ ବର୍ଗକୁ ମୁଖ୍ୟସ୍ରୋତରେ ସାମିଲ କରାଯାଇପାରିବ। ତେଣୁ ସେ ଗ୍ରାମାଞ୍ଚଳର ଅବହେଳିତ ବର୍ଗର ଯୁବକଯୁବତୀଙ୍କୁ କୃଷି ପ୍ରଶିକ୍ଷଣ ଦେଉଥିଲେ। ରାଜ୍ୟ ସରକାର ନିଜ ଉଦ୍ୟମରେ ସ୍ବାମୀଜୀଙ୍କ ଆଶ୍ରମରେ ଏକ ଫରେଷ୍ଟ୍ରି କଲେଜ ଖୋଲିଲେ ସାରା ପଶ୍ଚିମ ଓଡ଼ିଶାର ଛାତ୍ରଛାତ୍ରୀ ଉପକୃତ ହୁଅନ୍ତେ ବୋଲି କୃଷି ବିଶ୍ବବିଦ୍ୟାଳୟର ପୂର୍ବତନ ଡିନ୍ ପ୍ରଫେସର୍ ବୁଦ୍ଧଦେବ ମିଶ୍ର କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଶ୍ରମିକ ନେତା ସୌରୀବନ୍ଧୁ କର, ପୂର୍ଣ୍ଣାଙ୍ଗ ଉତ୍କଳ ନ୍ୟାସର ପ୍ରତିଷ୍ଠାତା ସଂପାଦକ ପର୍ଶୁରାମ ଦ୍ବିବେଦୀ, ଡ. ସୌରେନ୍ଦ୍ର କୁମାର ମହାପାତ୍ର, ସୀତାବଲ୍ଲଭ ମହାପାତ୍ର, ବାସ୍ତୁବିତ୍ ଡ ମନୋଜ ଲେଙ୍କା, ରାମ ନାରାୟଣ ମିଶ୍ର, ଯୋଗଗୁରୁ ନାରାୟଣ ଚନ୍ଦ୍ର ନନ୍ଦ, ନବୀନ କୁମାର ସାହୁ, ଆଶୁତୋଷ ମିଶ୍ର, ଜଗଦୀଶ ପ୍ରଧାନ, ରାଜକିଶୋର ସାହୁ ପ୍ରମୁଖ ସଭାରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର