ଦିନ କେଇଟାର ଅପେକ୍ଷା। ଲୋକାର୍ପିତ ହେବ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ସାରା ବିଶ୍ବ ଦେଖିବ ଶ୍ରୀମନ୍ଦିର ଚୌହଦୀର ନୂଆ ରୂପ। ତା ସାଙ୍ଗକୁ ବିକଶିତ ଶ୍ରୀକ୍ଷେତ୍ରର ନୂଆ କଳେବର। ଏ ନେଇ ଜାନୁଆରି ୧୨ରୁ ୧୭ ତାରିଖ ହୋଇଛି ଭବ୍ୟ ଆୟୋଜନ। ନୂଆ ବୋହୂ ଭଳି ସଜେଇ ହେଉଛି ପବିତ୍ର ଶ୍ରୀକ୍ଷେତ୍ର। ରାସ୍ତାଘାଟ, ଗଛପତ୍ର, କୋଠାବାଡ଼ି, ସବୁକିଛି ଜୀବନ୍ତ ହୋଇଉଠିଛି। ଶ୍ରୀକ୍ଷେତ୍ରର ପ୍ରତି ରାସ୍ତାକୁ ଆଲୋକମାଳାରେ ସଜ୍ଜିତ କରାଯାଇଛି। ସେ ଭିଆଇପି ରୋଡ୍ ହେଉ କି ବେଳାମାର୍ଗ, ଦେବୀଘାଟ କି ଭୂଦାନ ଛକ, ସବୁ ରାସ୍ତାଘାଟ ଆଲୋକମାଳାର ଭଳକି ଭଳି ରଙ୍ଗରେ ଭିନ୍ନ ଆକର୍ଷଣ ସୃଷ୍ଟି କରୁଛି। ବିଦ୍ୟୁତ୍ ଖୁଣ୍ଟ ସବୁ ତ୍ରିରଙ୍ଗାର ଚିତ୍ର ବଖାଣୁଛି। ଏହା ସାଙ୍ଗକୁ ଶୋଭା ବଢ଼ାଉଛି ପିପିଲିର ବିଶ୍ବପ୍ରସିଦ୍ଧ ଚାନ୍ଦୁଆ। ଅଧିକ ଆକର୍ଷଣୀୟ ସାଜିଛି, ଗଛପତ୍ରର ଆଲୋକୀକରଣ। ନାଲି, ନେଳି, ହଳଦିଆ ଆଦି ଭଳିକି ଭଳି ରଙ୍ଗର ଚାନ୍ଦୁଆ ସାଙ୍ଗକୁ ଲିଚୁ ମାଳର ସୌନ୍ଦର୍ଯ୍ୟ ଦେଖି ଆଖି ଲାଖି ଯାଉଛି। ରାତ୍ରୀରେ ଏହି ଦୃଶ୍ୟ ଯିଏ ବି ଦେଖୁଛି, ଦଣ୍ଡେ ଅଟକି ଯାଉଛି। ବାହାବା ଦେବାରେ କାର୍ପଣ୍ୟତା ବି କରୁନାହାନ୍ତି। ନିମନ୍ତ୍ରିତ ଅତିଥିଙ୍କୁ ସ୍ବାଗତ ପାଇଁ ଏଭଳି ଢ଼ଙ୍ଗରେ ସଜେଇ ହୋଇଛି ପୂରା ଶ୍ରୀକ୍ଷେତ୍ର।
ଚମକିବ ବଡ଼ଦାଣ୍ଡ କୋଠା
ଜାନୁଆରି ୧୨ରୁ ୧୭ ତାରିଖ ପର୍ଯ୍ୟନ୍ତ ଚମକିବ ବଡ଼ଦାଣ୍ଡ। ଏଥିପାଇଁ ଆପଣା ଯାଇଛି ‘ଫେକେଡ୍ ଇଲ୍ୟୁମିନେସନ୍’ ବ୍ୟବସ୍ଥା। ଶ୍ରୀମନ୍ଦିର ସିଂହଦ୍ବାରରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡ ଦୁଇପାର୍ଶ୍ବରେ ଥିବା କୋଠାକୁ ଆଲୋକରେ ରଙ୍ଗାୟିତ କରାଯିବ। ଏଥିପାଇଁ ଚାଲିଛି ପ୍ରସ୍ତୁତି। ବଡ଼ଦାଣ୍ଡ ଦୁଇପାର୍ଶ୍ବରେ ଲାଗୁଛି ରଙ୍ଗବେରଙ୍ଗର ଇଲିମିନେଟର୍ ଲାଇଟ୍, ଏଲଇଡି ଲାଇଟ୍। ଡିଜେରେ ଲାଗୁଥିବା ଏହି ଲାଇଟ୍କୁ ବଡ଼ଦାଣ୍ଡର ଦୁଇପାର୍ଶ୍ବରେ ଧାଡ଼ି କରି ଲଗାଯାଇଛି। ଯାହାର ଆଲୋକ ବଡ଼ଦାଣ୍ଡ ପାର୍ଶ୍ବ କୋଠାଗୁଡ଼ିକ ଉପରେ ପଡ଼ିବ। ଏହା ଏକ ଭିନ୍ନ ପରିବେଶ ବି ସୃଷ୍ଟି କରିବାକୁ ଯାଉଛି। ଜିଲ୍ଲାପାଳ ସମର୍ଥ ବର୍ମା ଗଣମାଧ୍ୟମକୁ କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ଶ୍ରୀମନ୍ଦିର ସିଂହଦ୍ବାରରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡର ଦୁଇପାର୍ଶ୍ବ କୋଠାକୁ ଆଲୋକୀକରଣ ପାଇଁ ସମସ୍ତ ବ୍ୟବସ୍ଥା ପ୍ରାୟ ଶେଷ ହୋଇଛି। ବଡ଼ଦାଣ୍ଡ ଦେଇ ଯାଉଥିବା ଭକ୍ତ, ପର୍ଯ୍ୟଟକ ଏକ ଭିନ୍ନ ଅନୁଭୂତି ସାଉଁଟିବେ।
ବଡ଼ଦାଣ୍ଡ ଓ ଶ୍ରୀଦାଣ୍ଡରେ ସମାନତା
ବଦଳିଛି ବଡ଼ଦାଣ୍ଡର ରଙ୍ଗ। ଆସିଛି ସମାନତା। ବ୍ୟାବସାୟିକ ପ୍ରତିଷ୍ଠାନ ହେଉ ଅବା ବ୍ୟକ୍ତିଗତ ଘର, ସବୁ ସଜେଇ ହୋଇଛି ଗୋଟିଏ ରଙ୍ଗରେ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପୂର୍ବରୁ ବଡ଼ଦାଣ୍ଡରେ ସମାନତା ଆଣିଛନ୍ତି ରାଜ୍ୟ ସରକାର। ବଡ଼ଦାଣ୍ଡର ପ୍ରାୟ ୬ଶହ ଘର ଫିକା ଗୋଲାପି ରଙ୍ଗରେ ରଙ୍ଗେଇ ହୋଇଛି। କେବଳ ବଡ଼ଦାଣ୍ଡ ନୁହେଁ, ଶ୍ରୀଜଗନ୍ନାଥ ବଲ୍ଲଭରୁ ଦୋଳବେଦି କୋଣକୁ ବଡ଼ଦାଣ୍ଡ ଭଳି ସଂଯୋଗ କରୁଥିବା ଚଉଡ଼ା ରାସ୍ତା ‘ଶ୍ରୀଦାଣ୍ଡ’ ଦୁଇପାର୍ଶ୍ବ କୋଠା ବି ଫିକା ଗୋଲାପି ରଙ୍ଗ ଦିଆଯାଇଛି। ସରକାରଙ୍କ ପକ୍ଷରୁ ଏସବୁ କୋଠାର ମରାମତି ପରେ ରଙ୍ଗ କାମ ସରିଛି। ଅନ୍ୟପଟେ ବଡ଼ଦାଣ୍ଡରେ ଗୋଟିଏ ରଙ୍ଗରେ ସବୁ ନାମଫଳକ ଟଙ୍ଗାଯାଇଛି। ହେରିଟେଜ୍ ରଙ୍ଗ(ଟେରାକୋଟା)ର ଏହି ନାମଫଳକ ସବୁ ବ୍ୟକ୍ତିଗତ କୋଠା ଓ ବ୍ୟାବସାୟିକ କୋଠାରେ ଲଗାଯାଇଛି। ସୂଚନାଯୋଗ୍ୟ, ପୂର୍ବରୁ ବଡ଼ଦାଣ୍ଡରେ ସମାନତା ଆଣିବାକୁ ସବୁ କୋଠାକୁ ଫିକା ହଳଦିଆ ରଙ୍ଗ ଦିଆଯାଇଥିଲା। ପ୍ରାୟ ୬ ବର୍ଷ ପରେ ପୁଣି ବଡ଼ଦାଣ୍ଡ ନୂଆ ରଙ୍ଗରେ ସଜେଇ ହୋଇଛି।
ଆଲୋକମାଳାରେ ଶ୍ରୀଗୁଣ୍ଡିଚା ମନ୍ଦିର
ଆଲୋକମାଳାରେ ସଜେଇ ହୋଇଛି ଶ୍ରୀଗୁଣ୍ଡିଚା ମନ୍ଦିର। ସେ ସିଂହଦ୍ବାର ହେଉ କି ନାକଚଣା ଦ୍ବାର, ସବୁକୁ ଭିନ୍ନ ରୂପ ଦିଆଯାଇଛି। ମନ୍ଦିର ଉପରୁ ତଳ ପର୍ଯ୍ୟନ୍ତ ଖଞ୍ଜାଯାଇଛି ଏଲ୍ଇଡି ଲାଇଟ୍। ବେଶ ଆକର୍ଷଣୀୟ ସାଜିଛି, ରାତିରେ ମନ୍ଦିରର ଏହି ମନୋରମ ଦୃଶ୍ୟ। ଏହା ସାଙ୍ଗକୁ ମନ୍ଦିର ଆଗରେ ଥିବା ଗଛରେ ବି ଚାନ୍ଦୁଆ ସହ ଲିଚୁମାଳରେ ଆଚ୍ଛାଦିତ କରାଯାଇଛି। ଯାହା ଶ୍ରୀଗୁଣ୍ଡିଚା ମନ୍ଦିରର ସୌନ୍ଦର୍ଯ୍ୟକୁ ବହୁଗୁଣା କରି ଦେଇଛି। ଅପରପକ୍ଷେ ସଜେଇ ହେଉଛି, ଶ୍ରୀକ୍ଷେତ୍ରର ସବୁ ଦେବଦେବୀ ମନ୍ଦିର। ଏଲ୍ଇଡି ଲାଇଟ୍ ସାଙ୍ଗକୁ ଲିଚୁମାଳରେ ଚାଲିଛି ବ୍ୟାପକ ସାଜସଜ୍ଜା।
ଝଟକୁଛି ‘ଅଠରନଳା’
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ଐତିହ୍ୟସଂପନ୍ନ ‘ଅଠରନଳା’କୁ ବି ଆଖିଝଲସା ଅଳଙ୍କରଣ କରାଯାଇଛି। ଅଠରନଳା ମଝିରେ ବଡ଼ ବଡ଼ ଓଡ଼ିଆ ଅକ୍ଷରରେ ଲାଗିଛି ଜୟ ଜଗନ୍ନାଥ ଫଳକ। ବିଦ୍ୟୁତ୍ ସଂଯୋଗ ହୋଇଥିବା ଏହି ଫଳକ ରାତିରେ ସାଜୁଛି ଆକର୍ଷଣର କେନ୍ଦ୍ରବିନ୍ଦୁ। ଜୟ ଜଗନ୍ନାଥ ଲେଖାର ପ୍ରତିବିମ୍ବ ମୂଷାନଈ ପାଣିରେ ସ୍ପଷ୍ଟ ଦୃଶ୍ୟମାନ ହେଉଛି। ଏହା ସାଙ୍ଗକୁ ଅଠରନଳାର ଟେରାକୋଟା ଚିତ୍ର ଅଙ୍କିତ ପ୍ରସ୍ତରରେ ନାଳି, ନେଳି, ଗୋଲାପି ଆଦି ରଙ୍ଗର ଲିଚୁମାଳ, ଏହି ଆକର୍ଷଣକୁ ଦ୍ବିଗୁଣିତ କରିଦେଉଛି। କେବଳ ଅଠରନଳା ନୁହେଁ, ମୂଷାନଈର ପ୍ରସ୍ତର ଗରୁଡ଼ ମୂର୍ତ୍ତି, ପାଖ ବଗିଚା, ନଈ ଉପର ଦେଇ ଯାଇଥିବା ରାସ୍ତାର ମେଡିଆନ୍ର ଗଛରେ ଆଲୋକମାଳା ଓ ରଙ୍ଗ ବେରଙ୍ଗର ଝାଲର ବି ଆଖି ଝଲସାଇ ଦେଉଛି।