ଭୁବନେଶ୍ବର: ବାହୁଡ଼ାର ଅବ୍ୟବହିତ ପୂର୍ବରୁ ଆଜି ପ୍ରେକ୍ଷାଳୟରେ କାଳିଆ ଭକ୍ତିରେ ଲୀନ ହୋଇଥିଲେ ଦର୍ଶକ।   ଆଜି ଏସ୍‌ପ୍ଲାନେଡ୍‌ ମଲ୍‌ସ୍ଥିତ ସିନେପଲିସ୍‌ଠାରେ ସାଇ ଶ୍ରଦ୍ଧା ଟେଲି ପ୍ରଡକ୍ସନ ନିବେଦିତ ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ର ପ୍ରିମିୟର୍‌ ସୋ ଏହି ଅବସର ସୃଷ୍ଟି କରିଥିଲା। ଚଳଚ୍ଚିତ୍ରର ପ୍ରଯୋଜିକା ତଥା ନିର୍ଦ୍ଦେଶିକା ବିନି ସାମଲଙ୍କ ସମେତ ଅନ୍ୟତମ ପ୍ରଯୋଜକ ଦିଲୀପ କୁମାର ଜେନା, ଅଭିନେତା ଶ୍ରୀତମ, ଅଂଶୁମାନ ଓ ପିଙ୍କି ପ୍ରଧାନ ପ୍ରମୁଖ ଏହି ପ୍ରିମିୟର୍‌ ସୋ’ରେ ଉପସ୍ଥିତ ଥିଲେ। ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀ ଏଠାରେ ଉପସ୍ଥିତ ରହି ଚଳଚ୍ଚିତ୍ର ମୁକ୍ତିଲାଭ ଅବସରରେ କେକ୍‌ କାଟିଥିଲେ।

Advertisment

ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ନାଟ୍ୟକାର ଶଙ୍କର ତ୍ରିପାଠୀଙ୍କ ଏକ ଚର୍ଚ୍ଚିତ ନାଟକ ଆଧାରରେ ନିର୍ମିତ ଏହି ଚଳଚ୍ଚିତ୍ରରେ ସଙ୍ଗୀତ ଦେଇଛନ୍ତି ମଳୟ ମିଶ୍ର। ଏଥିରେ କଣ୍ଠଦାନ କରିଛନ୍ତି ଇରା ମହାନ୍ତି, ସତ୍ୟଜିତ ପ୍ରଧାନ, ଅନ୍ତରା ଚକ୍ରବର୍ତ୍ତୀ ଓ ସତ୍ୟବ୍ରତ ସାହୁ। ଡ. ନିର୍ମଳ ନାୟକଙ୍କ ରଚିତ ‘ଜଗତରେ ପାଇବୁନି ଏମିତି ଠାକୁର..’ ଗୀତଟି ବେଶ ଭାଇରାଲ୍‌ ହୋଇଛି। ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀ ମଧ୍ୟ ଏଥିରେ ଗୀତ ରଚନା କରିବା ସହିତ ଦୁଇଟି ଗୀତରେ ସଙ୍ଗୀତ ଦେଇଛନ୍ତି। ଚଳଚ୍ଚିତ୍ରରେ ରହିଛି ମୋଟ୍‌ ସାତଟି ଗୀତ। ଗୀତଗୁଡ଼ିକ ବେଶ ଚିତ୍ତାକର୍ଷକ ହେବା ସହ ଶ୍ରୁତିମଧୁର ହୋଇଛି। ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ବବି ଇସ୍‌ଲାମ ଓ ଜିତୁ ରାଉତ। ଚିତ୍ରୋତ୍ତଳନ କରିଛନ୍ତି ଧୃବାନନ୍ଦ ପଣ୍ଡା। ଦୃଶ୍ୟଗୁଡ଼ିକ ସୁକୁମାର ମଣିଙ୍କ ଦ୍ୱାରା ସମ୍ପାଦିତ ହୋଇଛି। ପ୍ରଚାର ମୁଖ୍ୟ ଅଛନ୍ତି ହରପ୍ରସାଦ ମହାପାତ୍ର। ଚଳଚ୍ଚିତ୍ରଟି ସର୍ବଭାରତୀୟ ସ୍ତରରେ ପାଖାପାଖି ଶହେଟି ପ୍ରେକ୍ଷାଳୟରେ ଆଜି ମୁକ୍ତିଲାଭ କରିଛି। ଏହାର ବିତରଣ ଦାୟିତ୍ୱ ଗ୍ରହଣ କରିଛି ପ୍ରକାଶ ଫିଲ୍ମସ।