ପୁରୁଣା ଭୁବନେଶ୍ୱର: ଭଞ୍ଜ କଳାମଣ୍ଡପରେ ଚାଲିଥିବା ଦୁଇଦିନିଆ ଶ୍ରୀଜୟଦେବ ରାଷ୍ଟ୍ରୀୟ ସମାରୋହ ଓ ନବୀନ କଳାକାର ଜାତୀୟ ପ୍ରତିଭା ସନ୍ଧାନ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ସନ୍ଧ୍ୟାର ଆକର୍ଷଣ ଥିଲା ପୁରୀର ମାହାରୀ ନୃତ୍ୟ। ନୃତ୍ୟଶିଳ୍ପୀ ଦେବରୂପା ଦାସଗୁପ୍ତାଙ୍କ ମାହାରୀ ନୃତ୍ୟ ପରେ ଲୋକନାଥ ସଂଗୀତ କଳା ନିକେତନ ପକ୍ଷରୁ ଗ୍ରୁପ୍‌ ନୃତ୍ୟ ପରିବେଷଣ କରାଯାଇଥିଲା। ପରେପରେ ମାଲେସିଆର ୱାଇବିଡିଜି ଦତ୍ତ ଓ ଡ. ଏନ୍‌ ନିଶା କୋଗିଲା ରାମାସ୍ବାମୀ ଭାରତନାଟ୍ୟମ୍ ପରିବେଷଣ କରିଥିଲେ। ସେହିପରି କଟକର ବର୍ଷା ପ୍ରିୟଦର୍ଶିନୀ ଷଡ଼ଙ୍ଗୀ ଓଡ଼ିଶୀ ନୃତ୍ୟ, କେରଳର ନୀତା ଦିଲୀପ ଭାରତନାଟ୍ୟମ୍, ଗୌହାଟିର ଶିବାଙ୍ଗୀ ରତ୍ନା ବରୁଆ ସତ୍ରିୟା ନୃତ୍ୟ, କେରଳର ଅନିଲ ଭେଟ୍ଟିକାଟିରୀ କୁଚୁପୁଡ଼ି ପରିବେଷଣ କରିଥିଲେ।

Advertisment

ଓଡ଼ିଶୀ ଗୁରୁ ଭାରତ ଚରଣ ଗିରି ଓ କୋଲକାତାର ରମିତା ମୁଖାର୍ଜୀ ଓ ସୁମନା ଚାଟାର୍ଜୀ ଭାରତନାଟ୍ୟମ ଓ ମଣିପୁରୀ ନୃତ୍ୟ ପରିବେଷଣ କରିଥିଲେ। ଏହି ନୃତ୍ୟଶିଳ୍ପୀମାନଙ୍କୁ ଜୟଦେବ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇଥିଲା। ଅନୁଷ୍ଠାନର ନିର୍ଦ୍ଦେଶକ ଜଗବନ୍ଧୁ ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ଡ. ବିପିନ ବିହାରୀ ମିଶ୍ର, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ଗଦାଧର ମହାପାତ୍ର, ଦୈନିକ ‘ସମୟ’ର ସମ୍ପାଦକ ଗୁରୁକଲ୍ୟାଣ ମହାପାତ୍ର ଯୋଗଦେଇଥିଲେ। ନୃତ୍ୟଶିଳ୍ପୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମକୁ କୁଚୁପୁଡ଼ି ନୃତ୍ୟଗୁରୁ ଅନୁପମା ମୋହନ, ଓଡ଼ିଶୀ ନୃତ୍ୟଗୁରୁ ଡ. ଗଜେନ୍ଦ୍ର କୁମାର ପଣ୍ଡା,  ଗୁରୁ ପୁଷ୍ପରଞ୍ଜନ ମଙ୍ଗରାଜ, ନୃତ୍ୟଗୁରୁ ଗୌରୀଶଙ୍କର ଦାଶ ଓ ଉପଦେଷ୍ଟା ପ୍ରସନ୍ନ ବିଶୋୟୀ ଉଦ୍‌ଘାଟନ କରିଥିଲେ। ନୃତ୍ୟଗୁରୁ ପାରମିତା ମୁଖାର୍ଜୀ, ସୁମନା ଚାଟାର୍ଜୀ, ସୁଚିସ୍ମିତା ନାୟକ ବିଚାରକ ଭାବେ ଥିଲେ। ଓଡ଼ିଶୀ ଗୁରୁ ଦେବମିତା ସାହୁ ଓ ନାୟିକା ନୀଳପଦ୍ମା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।