ଶ୍ରୀ ଜୟଦେବ ରାଷ୍ଟ୍ରୀୟ ସମାରୋହ: ଶଶିଲତା କ୍ରିଷ୍ଣନ୍‌ଙ୍କୁ ପଦ୍ମାବତୀ ରାଷ୍ଟ୍ରୀୟ ସମ୍ମାନ

ଭୁବନେଶ୍ୱର: ଭୁବନେଶ୍ୱର ଭଞ୍ଜ କଳାମଣ୍ଡପରେ ଚାଲିଥିବା ତିନିଦିନିଆ ଶ୍ରୀ ଜୟଦେବ ରାଷ୍ଟ୍ରୀୟ ସମାରୋହର ଆଜି ଥିଲା ଦ୍ବିତୀୟ ଦିବସ। ଏହି ଅବସରରେ ବିଶାଖାପାଟଣାର ପ୍ରସିଦ୍ଧ କୁଚିପୁଡ଼ି ନୃତ୍ୟଗୁରୁ ଶଶିଲତା କ୍ରିଷ୍ଣନଙ୍କୁ ପଦ୍ମାବତୀ ରାଷ୍ଟ୍ରୀୟ ସମ୍ମାନରେ ସମ୍ମାନିତ କରାଯାଇଥିଲା। ପୂର୍ବାହ୍ନରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ନବ ପ୍ରତିଭାମାନେ ନବୀନ କଳାକାରମାନେ କାର୍ଯ୍ୟକ୍ରମରେ ଓଡ଼ିଶୀ, କୁଚିପୁଡ଼ି, ଭାରତନାଟ୍ୟମ୍‌ ଆଦି ଏକକ ନୃତ୍ୟ ପରିବେଷଣ କରିଥିଲେ। ପୂର୍ବାହ୍ନ ଅଧିବେଶନରେ ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ସିନେ କଳାକାର ପ୍ରତିଭା ପଣ୍ଡା, ପ୍ରସନ୍ନ ବିଶୋଇ, ନୃତ୍ୟ ଗୁରୁ ମନୋଜ ବେହେରା, ସନାତନ ନାୟକ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ। ଜଗବନ୍ଧୁ ଜେନା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସନ୍ଧ୍ୟାରେ କୋଲକାତାର ନନ୍ଦିନୀ ଚୌଧୁରୀଙ୍କ ଓଡ଼ିଶୀ, ସୋମା ମଣ୍ଡଳଙ୍କ ଭାରତନାଟ୍ୟମ୍‌, ଶ୍ରାବଣୀ ଦାସଙ୍କ ଗୌଡିୟ, ମୋମିତା ମଜୁମ୍‌ଦାର ଦତ୍ତଙ୍କ ଭାରତ ନାଟ୍ୟମ୍‌, ହାଇଦ୍ରାବାଦର ଜ୍ୟୋତି ଶେଖରନଙ୍କ କୁଚିପୁଡ଼ି, ଭୁବନେଶ୍ୱରର ଶ୍ରଦ୍ଧା ସୁମନ ରଥଙ୍କ ଓଡ଼ିଶୀ ନୃତ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ସନ୍ଧ୍ୟା ଅଧିବେଶନର ସମ୍ବର୍ଦ୍ଧନା ପର୍ବରେ ଜଗବନ୍ଧୁ ଜେନା ପୌରୋହିତ୍ୟ କରିଥିଲେ। ଅତିଥି ଭାବେ ପୂର୍ବତନ ଆୟକର କମିସନର ଶରତ ଦାସ, ଉପାୟୁକ୍ତ ଦୁର୍ଗା ପ୍ରସାଦ ମହାପାତ୍ର, ବେଙ୍ଗାଲୁରୁ ଅନ୍ତର୍ଜାତୀୟ କଳା ସଂଗଠକ ସାଇ ଭେଙ୍କଟେଶ, ବିଶାଖାପାଟଣା ବିକ୍ରମ ଗୌଡ଼, ମାନବାଧିକାର କର୍ମୀ ମନୋଜ ଜେନା, ବାସୁଦେବ ଭଟ୍ଟ, ପ୍ରସନ୍ନ ବିଷୋୟୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର