ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମ୍ପୂର୍ଣ୍ଣ ମଡେଲକୁ ପାଖରୁ ଦେଖିବେ ଶ୍ରଦ୍ଧାଳୁ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦେଖିବାକୁ ଯାଇପାରୁ ନଥିବା ଭୁବନେଶ୍ବରବାସୀଙ୍କୁ ପ୍ରକଳ୍ପ ଉନ୍ମୋଚନ ସମୟରେ ଏହି ସୁଯୋଗ ଦେବା ପାଇଁ ରାଜଧାନୀର ବିଭିନ୍ନ ସ୍ଥାନରେ ମିନି ପରିକ୍ରମା ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଖଣ୍ଡୋଲାଇଟ୍‌ ପଥରରେ ସୁସଜ୍ଜିତ ପରିକ୍ରମା ମାର୍ଗ, ନୂଆରୂପ ନେଇଥିବା ମଠ, ମନ୍ଦିରର ଅପରୂପ ଓ ଅବିକଳ ବିଭବ ଏଥିରେ ଦୃଶ୍ୟମାନ ହୋଇଥିଲା।

Advertisment

ମୁମ୍ବାଇରୁ ଆସିଥିବା ଶିଳ୍ପୀମାନେ କାର୍ଡବୋର୍ଡରେ ଏହାକୁ ପ୍ରସ୍ତୁତ କରିଥିଲେ। ଶ୍ରୀଜଗନ୍ନାଥ ମନ୍ଦିରକୁ ଭକ୍ତଙ୍କୁ ଆହୁରି ନିକଟତର କରିବା ପାଇଁ ପ୍ରାୟ ୧୫ ଫୁଟ ବ୍ୟାସାର୍ଦ୍ଧର ଏକ ମଣ୍ଡପରେ ପ୍ରକଳ୍ପ ପ୍ରସ୍ତୁତ କରାଯାଇ  ଜନଗହଳି ସ୍ଥାନ ଯେପରିକି ରାମମନ୍ଦିର, ମାର୍କେଟ ବିଲଡିଂ, ଆଇଜି ପାର୍କ, ବିଏମ୍‌ସି କାର୍ଯ୍ୟାଳୟ, ଉତ୍କଳମଣ୍ଡପ ପ୍ରଭୃତି ସ୍ଥାନରେ ଏହାକୁ ସ୍ଥାପନ କରାଯାଇଥିଲା। ଏକ ବିଶାଳ କାଚର ଘୋଡ଼ଣୀରେ ଏହାକୁ ସଂଗୃହିତ କରି ରଖାଯାଇଥିଲା। ଯିଏ ବି ଯାଉଥିଲା ଘଡ଼ିଟିଏ ପାଇଁ ରହି ଏହାକୁ ଦେଖି ପୁରୀ ଯିବା ପାଇଁ ମନ ବଳାଉଥିଲା। ହେଲେ ବର୍ତ୍ତମାନ ପରିଚାଳନା ଅଭାବରୁ ଏହା ଶୋଚନୀୟ ସ୍ଥିତିରେ ପଡ଼ିରହିଛି। ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟନ ସମୟରେ ଦର୍ଶକଙ୍କୁ ଆକର୍ଷିତ କରୁଥିବା ପ୍ରକଳ୍ପ ମଧ୍ୟ ଆବର୍ଜନା ପରି ପଡ଼ିରହିଛି। 

ଆଇଜି ପାର୍କରେ କାଚଘୋଡ଼ଣୀ ଆଉ ନାହିଁ। କାର୍ଡବୋର୍ଡଗୁଡ଼ିକ ସ୍ଥାନେ ସ୍ଥାନେ ଭାଙ୍ଗିଗଲାଣି। ଏପରିକି ପାଣି ପଡ଼ି କିଛି ସ୍ଥାନରେ ଶିଉଳି ହୋଇଗଲାଣି। ସେହିପରି ମାର୍କେଟ ବିଲଡିଂରେ ମଧ୍ୟ ବୋର୍ଡରୁ ପଟ୍ଟା ବାହାରିଗଲାଣି। ଏପରିକି କିଛି ପଟ୍ଟାରେ ଉଇ ଲାଗି ନଷ୍ଟ ହୋଇଗଲାଣି। ସେହିପରି ରାମମନ୍ଦିର ସମ୍ମୁଖରେ ମଧ୍ୟ ସମାନ ଅବସ୍ଥା। ସେଠାରେ ମଧ୍ୟ ପ୍ରକଳ୍ପଟି ନଷ୍ଟ ହୋଇଗଲାଣି। ଖାଲି ନାମକୁ ମାତ୍ର କାଚଘୋଡ଼ଣୀ ରହିଛି। ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ଆମର ନୁହେଁ କହି ବିଏମ୍‌ସିଠାରୁ ଆରମ୍ଭ କରି ପର୍ଯ୍ୟଟନ ବିଭାଗ ପର୍ଯ୍ୟନ୍ତ ସମସ୍ତେ ପ୍ରସଙ୍ଗକୁ ଏଡ଼ାଇ ଯାଉଛନ୍ତି।