ଜଟଣୀ: ରାଜଧାନୀର ପରିସୀମା ବଢ଼ିବା ସଙ୍ଗେସଙ୍ଗେ ଉପକଣ୍ଠରେ ଚାଷ ଜମି କମି କମି ଯାଉଛି। ଚାଷ ଜମିରେ ଗଢ଼ି ଉଠୁଛି ବଡ଼ ବଡ଼ ଅଟ୍ଟାଳିକା। ଚାଷଜମିରୁ ଯେତିକି ଲାଭ ମିଳୁଥିଲା, ଏଥିରୁ କାହିଁ କେତେ ଗୁଣା ଅଧିକ ଲାଭ ମିଳୁଛି। ତେଣୁ ଉପକଣ୍ଠରେ ଥିବା ଚାଷଜମିରେ ବର୍ତ୍ତମାନ ବଡ଼ ବଡ଼ ଶିକ୍ଷାନୁଷ୍ଠାନ, କମ୍ପାନି, ହୋଟେଲ ଆଦି ଛିଡ଼ା ହେଉଛି। ଗୋଟିଏ ପଟେ ରାସ୍ତା କଡ଼ ଜମିକୁ ବିଲଡରମାନେ ଜମି ମାଲିକଙ୍କଠାରୁ କମ ଦାମରେ କିଣି ବେଆଇନ୍ ଭାବେ ପ୍ଲଟିଂ କରି ଚଢ଼ା ଦରରେ ବିକ୍ରି କରୁଛନ୍ତି। ଅନ୍ୟପଟେ ଚାଷୀଙ୍କ ସହାୟତା ପାଇଁ କରାଯାଇଥିବା ଜଳସେଚନ ପ୍ରକଳ୍ପ ଅଭାବରୁ ତଳିଆ ଅଞ୍ଚଳ ଜମିକୁ ପାଣି ଯାଇପାରୁ ନାହିଁ। ଫଳରେ ସେମାନେ ମଧ୍ୟ ଜମି ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଏହା ଭାତ ହାଣ୍ଡିକୁ ମାଡ଼ ଭଳି ମନେ ହେଉଛି। ଏଥିପାଇଁ ତଳିଆ ଅଞ୍ଚଳ ଜମି ଦିନକୁ ଦିନ ହ୍ରାସ ପାଉଛି ଓ ଚାଷ ସଂପୂର୍ଣ୍ଣ ବନ୍ଦ ହେବାକୁ ବସିଲାଣି। ତେବେ ବିଡିଏ ଅଞ୍ଚଳରେ ପ୍ଲଟିଂ କରିବା ହେଉ କିମ୍ବା ଘର କରିବା ପାଇଁ ବିଡିଏ କର୍ତୃପକ୍ଷଙ୍କଠାରୁ ଅନୁମତି ଆଣିବାର ନିୟମ ଥିଲେ ମଧ୍ୟ ଏହାର ଖୋଲାଖୋଲି ଉଲ୍ଲଂଘନ ହେଉଥିବା ଅଭିଯୋଗ ହେଉଛି। ଫଳରେ ଅନେକ ସ୍ଥାନରେ ଘର ନିର୍ମାଣ ବେଳେ ଏଥିପ୍ରତି ଗୁରୁତ୍ୱ ନ ଦେଇ ଏଭଳି କରାଯାଉଥିବା ଦେଖିବାକୁ ମିଳିଛି। ସେହିପରି କେତେକ ସ୍ଥାନରେ କିସମ ପରିବର୍ତ୍ତନ କରା ନଯାଇ ଘର ନିର୍ମାଣ ହେଉଥିବା ଅଭିଯୋଗ ରହିଛି।
ସମୟ ଥିଲା ଉପକଣ୍ଠ ଅଞ୍ଚଳର ଜମିରେ ଫସଲ ପୂରି ଉଠୁଥିଲା। ଚାଷୀ ଭାଇମାନେ ଶଗଡ଼, ଟ୍ରଲି ଓ ଟ୍ରାକ୍ଟରରେ ନିଜ ଖଳାକୁ ଧାନ ବୋହି ଆଣୁଥିଲେ। ହେଲେ ଧୀରେ ଧୀରେ ରାଜଧାନୀର କଳେବର ବଢ଼ିଲା। ତା’ର ପ୍ରଭାବରେ ଉପକଣ୍ଠ ଅଞ୍ଚଳର ଚାହିଦା ମଧ୍ୟ ବଢ଼ିଲା। ସାମ୍ପ୍ରତିକ ସମୟରେ ଜମି ପ୍ଲଟିଂ (ରିୟଲ୍ ଇଷ୍ଟେଟ୍) ବେପାର ସବୁଠୁ ଅଧିକ ଲାଭଜନକ ହେଉଥିବାରୁ ରାସ୍ତା ପାର୍ଶ୍ୱ ଜମିକୁ କିଣାଯାଇ ବେଆଇନ ଭାବେ ପ୍ଲଟିଂ କରାଯାଇ ଚଢ଼ା ଦରରେ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଯାହାକି ବର୍ତ୍ତମାନ ଧାନ ବିଲରେ ଏବେ ବଡ଼ ବଡ଼ ବିଲ୍ଡିଂ ଛିଡ଼ା ହୋଇଛି। ପରବର୍ତ୍ତୀ ସମୟରେ ରସ୍ତା ପାର୍ଶ୍ୱ ଜମିରୁ ତଳେ ଥିବା ଜମିକୁ ପାଣି ଯାଉନାହିଁ କି ଚାଷ କାମରେ ବ୍ୟବହୃତ ଟ୍ରାକ୍ଟର, ପାୱାରଟିଲର୍ ପଶି ପାରୁନାହିଁ। ଫଳରେ ଉକ୍ତ ଜମି ମାଲିକମାନେ ବାଧ୍ୟ ହୋଇ ଜମିକୁ ବିକ୍ରି କରୁଛନ୍ତି। ଘର କରିବା ପାଇଁ ଗଛ କାଟିବା ସହ ଜମିର ହିଡ଼କୁ ଭାଙ୍ଗି ସମାନ କରୁଛନ୍ତି। ତେଣୁ ହିଡ଼ ଥିବା ଚାଷ ଜମି ଆଉ ଦେଖିବାକୁ ମିଳୁନାହିଁ।
ବିଲଡରଙ୍କ ପାଇଁ ହୁ ହୁ ହୋଇ ବଢ଼ୁଛି ଜମି ଦର
ତଳିଆ ଜମିକୁ ବାଧ୍ୟ ହୋଇ ବିକୁଛି ଚାଷୀ
ବିନା ଅନୁମତିରେ ଚାଲିଛି ପ୍ଲଟିଂ
ଅନ୍ୟପଟେ ଜମି ଦଲାଲମାନେ ଚାଷ ଜମିକୁ କବ୍ଜା କରି ସେଥିରେ ବାଲି ଗୋଡ଼ି ଭର୍ତ୍ତି କରୁଛନ୍ତି। ଯାହାକି ଅତି ସହଜରେ ଚାଷ ଜମିଗୁଡ଼ିକ ଘରବାଡ଼ି କିସମରେ ବଦଳାଇ ଦିଆଯାଉଥିବା ଅଭିଯୋଗ ହୋଇଛି। ଏଥିରେ ବିଭାଗୀୟ ଅଧିକାରୀଙ୍କ ସମ୍ପୃକ୍ତି ମଧ୍ୟ ରହିଛି। ଏହିପରି କ୍ରମାଗତ ଚାଲିଲେ ଆଉ ମାତ୍ର କିଛି ବର୍ଷ ମଧ୍ୟରେ ଏହା ସଂପୂର୍ଣ୍ଣ ସହର ପାଲଟିଯିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ସେହିପରି ଉଠା ଜଳସେଚନ ପ୍ରକଳ୍ପଗୁଡ଼ିକ ନଷ୍ଟ ହୋଇଗଲାଣି। ଉକ୍ତ ପ୍ରକଳ୍ପ ଗୁଡ଼ିକର ନା ତଦାରଖ କରାଯାଉଛି ନା ମରାମତି କରାଯାଉଛି। କିଛି ଭଗ୍ନ ଅବସ୍ଥାରେ ପଡ଼ି ରହିଥିବା ବେଳେ ଅନେକ ଚୋରି ହୋଇଗଲାଣି।
ଅନ୍ୟପଟେ ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ (ବିଡିଏ) ଅଧୀନରେ ୫୫୬ ରାଜସ୍ୱ ଗ୍ରାମ ରହିଛି। ଭୁବନେଶ୍ୱର, ଖଣ୍ଡଗିରି, ଖୋର୍ଦ୍ଧାକୁ ଛାଡ଼ିଦେଲେ କେବଳ ଜଟଣୀ ସବ୍ରେଜିଷ୍ଟ୍ରାର କାର୍ଯ୍ୟାଳୟ ଅଧୀନରେ ବିଡିଏ ଅଞ୍ଚଳର ୧୨୧ଟି ମୌଜା ରହିଛି। ଏହି ସବୁ ସ୍ଥାନରେ ଜମି ଦଲାଲମାନେ ଚାଷୀଙ୍କୁ ଲୋଭ ଦେଖାଇ ସେମାନଙ୍କଠାରୁ ଜମି କିଣି ନେଉଛନ୍ତି। ପରବର୍ତ୍ତୀ ସମୟରେ ସେମାନେ ବେଆଇନ ଭାବେ ତାକୁ ପ୍ଲଟିଂ କରୁଛନ୍ତି ଏବଂ କିଣିବାଠାରୁ ୧୦ଗୁଣା ଅଧିକ ଦାମରେ ବିକ୍ରି କରୁଛନ୍ତି। ଫଳରେ ହୁ ହୁ ହୋଇ ଦର ବଢ଼ି ଚାଲିଛି। କେତେକ ସ୍ଥାନରେ ଲୋକେ ଘର କରିବାକୁ ବିଡିଏ କର୍ତୃପକ୍ଷଙ୍କ ଠାରୁ ଅନୁମତି ଆଣିବାକୁ ଥିଲେ ମଧ୍ୟ ଆଣୁନାହାନ୍ତି। ମନଇଚ୍ଛା ଘର କରିଦେଉଛନ୍ତି। ପରବର୍ତ୍ତୀ ସମୟରେ ଡ୍ରେନ୍ ସମସ୍ୟା ସହ ଘର ନିକଟକୁ ଆମ୍ବୁଲାନ୍ସ, ଦମକଳ ଆଦି ଯିବାରେ ଘୋର ସମସ୍ୟା ଦେଖା ଦେଉଛି। ତେବେ ଉପକଣ୍ଠ ଅଞ୍ଚଳରେ ଦାୟିତ୍ୱରେ ଥିବା ଉଠା ଜଳସେଚନ ନିର୍ବାହୀ ଅଧିକାରୀ, ବିଡିଏ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।