ଶୁଭଶ୍ରୀ ଆତ୍ମହତ୍ୟା ମାମଲା: ୨ ଦିନିଆ ରିମାଣ୍ଡରେ ପୁରୁଷବନ୍ଧୁ ବାବୁନା

ଭୁବନେଶ୍ବର: ବହୁଚର୍ଚ୍ଚିତ ଶାସ୍ତ୍ରୀନଗର ଶୁଭଶ୍ରୀ ଆତ୍ମହତ୍ୟା ମାମଲାରେ ଗିରଫ ହୋଇଥିବା ପୁରୁଷବନ୍ଧୁ ଚିତ୍ତରଂଜନ ଜେନା ଓରଫ୍‌ ବାବୁନାକୁ ପୁଲିସ ୨ ଦିନିଆ ରିମାଣ୍ଡରେ ଆଣିବ। ପୁଲିସ ୩ ଦିନ ପାଇଁ ରିମାଣ୍ଡ ଆବେଦନ କରିଥିଲେ ବି କୋର୍ଟ ୬ ଓ ୭ ତାରିଖ ଏମିତି ଦୁଇ ଦିନ ପାଇଁ ଅନୁମତି ଦେଇଛନ୍ତି। ତେଣୁ ଆସନ୍ତକାଲି ତାକୁ ଖାରବେଳନଗର ଥାନା ପୁଲିସ ଥାନାକୁ ଆଣି ମାମଲାର ଛାନ୍‌ଭିନ୍‌ କରିବ।

ଏହି ଦୁଇ ଦିନିଆ ରିମାଣ୍ଡ ଅବଧି କାଳରେ ବାବୁନାକୁ ଘଟଣାବଳୀ ବାବଦରେ ପୁଲିସ ପଚରାଉଚରା କରିବ। ଟ୍ୟୁସନ୍‌ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ପୁଲିସ ପୁଣି ଥରେ ପଚରାଉଚରା କରିବ। ଦରକାର ପଡ଼ିଲେ ସେମାନଙ୍କୁ ମୁହାଁମୁହିଁ ଜେରା କରାଯିବ। ପୂର୍ବରୁ ସେମାନେ ଦେଇଥିବା ବୟାନ୍‌ ବା ସୂଚନାରେ ପୁଣି ତାଳମେଳ ରହୁଛି କି ନାହିଁ, ବାବୁନା ଓ ଟ୍ୟୁସନ୍‌ ଶିକ୍ଷୟିତ୍ରୀ ଯାହା ଯାହା କହିଛନ୍ତି, ସେଥିରେ କେତେ ସତ ରହିଛି, ତାହା ଜାଣିବା ପାଇଁ ପୁଲିସ ପୁଣି ଥରେ ଉଦ୍ୟମ କରିବ। ବି‌ଶେଷକରି ଘଟଣା ଦିନ ଶୁଭଶ୍ରୀଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିବା ପ୍ରସଙ୍ଗ ଉପରେ ପୁଲିସ ଖୋ‌ଳତାଡ୍‌ କରିବା ଏହି ରିମାଣ୍ଡର କାରଣ ବୋଲି ସୂଚନା ମିଳିଛି।

ପ୍ରକାଶ ଥାଉ କି ୩୦ ତାରିଖ ରାତିରେ ଖାରବେଳନଗର ଥାନା ପୁଲିସ କ୍ୟାପିଟାଲ ହସ୍ପିଟାଲରୁ ଶୁଭଶ୍ରୀଙ୍କ ମୃତଦେହ ଜବତ କରିଥିଲା। ତାଙ୍କ ସ୍ବାମୀ ଅନନ୍ତ ନାରାୟଣ ନାଥ ଅଭିଯୋଗ କରିଥିଲେ ଯେ କେହି ଶୁଭଶ୍ରୀଙ୍କୁ ହତ୍ୟା କରି ଝୁଲାଇ ଦେଇଥିଲା। ପୁଲିସ ତଦନ୍ତ କରୁକରୁ ଏହା ପରକୀୟାପ୍ରୀତିର କୁପରିଣତି ବୋଲି ଜଣାପଡ଼ିଥିଲା। ଶୁଭଶ୍ରୀ ତାଙ୍କ ବାପଘର ନୟାଗଡ଼ ଇଟାମାଟି ଅଞ୍ଚଳର ବାବୁନାକୁ ଭଲ ପାଇବସିଥିଲେ ଏବଂ ସ୍ବାମୀ ଅନନ୍ତଙ୍କ ଅଗୋଚରରେ ସେମାନଙ୍କ ସମ୍ପର୍କ ବଢ଼ିଚାଲିଥିଲା। ପରେ ପୁଣି ଶୁଭଶ୍ରୀ ଓ ବାବୁନା ମଧ୍ୟରେ ବିଭେଦ ସୃଷ୍ଟି ହୋଇଥିଲା ଓ ବାବୁନାକୁ ବୁଝାଇବାରେ ବିଫଳ ହୋ‌ଇ ଶୁଭଶ୍ରୀ ଆତ୍ମହତ୍ୟା କରିଥିଲେ।

ସମ୍ବନ୍ଧିତ ଖବର