ଶୁକଶାରି ମନ୍ଦିର ଖନନବେଳେ ଉତ୍ତେଜନା, ଜଣେ ଛଟେଇ କର୍ମଚାରୀଙ୍କ ମୃତ୍ୟୁ

ରାଜ୍ୟ ସରକାରଙ୍କ ସହ ସମନ୍ବୟ ରଖି ଖନନ କାର୍ଯ୍ୟ ଚାଲିବ

ପୁରୁଣା ଭୁବନେଶ୍ୱର, ୩୦।୧ (ଇମିସ): ପ୍ରାଚୀନ ଶୁକଶାରି ମନ୍ଦିରର ଭଗ୍ନାବଶେଷ ଖନନ ବେଳେ ଆଜି ପୁଣି ଉତ୍ତେଜନା ଦେଖା ଦେଇଥିଲା। ପୁନଃ ନିଯୁକ୍ତି ଦାବି କରି ଛଟେଇ କର୍ମଚାରୀମାନେ ଖନନ କାମ ବନ୍ଦ କରିବାକୁ ପ୍ରସ୍ତୁତ ହେଉଥିଲେ। କିନ୍ତୁ ଏତିକିବେଳେ ଜଣେ ଛଟେଇ କର୍ମଚାରୀ ହଠାତ୍ ହୃଦ୍‌ଘାତର ଶିକାର ହୋଇ ପ୍ରାଣ ହରାଇବାରୁ ଉତ୍ତେଜନା ଆହୁରି ବଢ଼ି ଯାଇଥିଲା। ମୃତକ ହେଲେ କାର୍ତ୍ତିକ ମହାପାତ୍ର। ଚାକିରି ହରାଇବା ଦୁଃଖରେ ତାଙ୍କୁ ହୃଦ୍‌ଘାତ ହେଲା ବୋଲି ବିକ୍ଷୋଭକାରୀମାନେ ଅଭିଯୋଗ କରିବା ସହ ଉପଯୁକ୍ତ କ୍ଷତିପୂରଣ ଦାବି କରିଥିଲେ। କିନ୍ତୁ ଉତ୍ତେଜନା ବଢ଼ିବା ପୂର୍ବରୁ ପୁଲିସ ଘଟଣାସ୍ଥଳରୁ ୪ ଜଣ ପ୍ରତିବାଦକାରୀଙ୍କୁ ଉଠାଇ ନେଇଥିଲା। ଫଳରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ଓ ଖନନ କାମ ଆରମ୍ଭ ହୋଇଥିଲା।

ସୂଚନାନୁସାରେ ଆଜି ସକାଳୁ ଏଏସ୍ଆଇ ପକ୍ଷରୁ ଖନନ କାର୍ଯ୍ୟ କରାଯାଇଥିଲା ଓ ଶୁକଶାରି ମନ୍ଦିର ସମ୍ମୁଖ ଏକ ପିଣ୍ଡିର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ଏତିକିବେଳେ ସେଠାକୁ ପ୍ରତିବାଦ କରିବାକୁ ଆସିଥିବା ଛଟେଇ କର୍ମଚାରୀ କାର୍ତ୍ତିକଙ୍କର ହଠାତ୍ ହୃଦ୍‌ଘାତରେ ମୃତ୍ୟୁ ହୋଇଥିଲା। ଖବର ପାଇ ଅନ୍ୟ ଛଟେଇ କର୍ମଚାରୀମାନେ ସେଠାରେ ପହଞ୍ଚିଥିଲେ ଓ କାର୍ତ୍ତିକଙ୍କ ପରିବାରରୁ ଜଣକୁ ଥଇଥାନ କରିବା ସହ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଥିଲେ। ଖନନସ୍ଥଳରେ ଶୋଇ ରହି ସେମାନେ ପ୍ରତିବାଦ କରିଥିଲେ। ତେଣୁ ଏଏସ୍ଆଇ ଅଧୀକ୍ଷକ ଅରୁଣ ମଲ୍ଲିକ ଓ ଅନ୍ୟ ଅଧିକାରୀଙ୍କ ସହ ପ୍ରତିବାଦ କରୁଥିବା ଛଟେଇ କର୍ମଚାରୀଙ୍କ ଯୁକ୍ତିତର୍କ ହୋଇଥିଲା। ଏପରିକି ଶ୍ରୀ ମଲ୍ଲିକଙ୍କ ସହ ବିକ୍ଷୋଭକାରୀଙ୍କ ଠେଲାପେଲା ପର୍ଯ୍ୟନ୍ତ କଥା ଯାଇଥିଲା। ଖବର ପାଇ ଶ୍ରୀଲିଙ୍ଗରାଜ ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ବୁଝାଶୁଝା କରିଥିଲେ ଓ ସେମାନେ ନ ବୁଝିବାରୁ ୪ ଜଣଙ୍କୁ ଥାନାକୁ ଉଠାଇ ନେଇଥିଲେ। ଏହା ପରେ ଘଟଣାସ୍ଥଳରେ ଏକ ପ୍ଲାଟୁନ୍‌ ପୁଲିସ ବଳ ମୁତୟନ କରାଯାଇଥିଲା।

ରାଜ୍ୟ ସରକାରଙ୍କ ସହ ସମନ୍ବୟ ରଖି ଖନନ କାର୍ଯ୍ୟ ଚାଲିବ
ଏଏସ୍‌ଆଇ ଅଧୀକ୍ଷକ ଅରୁଣ ମଲ୍ଲିକଙ୍କ ସହ ଆଜି ପୂର୍ତ୍ତ ବିଭାଗ ସଚିବଙ୍କର ଆଲୋଚନା ହୋଇଛି। ଏଣିକି ଦୁଇ ବିଭାଗ ମଧ୍ୟରେ ସମନ୍ବୟ ରଖି ଖନନ କାର୍ଯ୍ୟ ଚାଲିବ। ଉଭୟ ବିଭାଗର ଅଧିକାରୀଙ୍କ ଯାଞ୍ଚ ପରେ ଖନନ କାର୍ଯ୍ୟ ହେବ। ସୂଚନାଯୋଗ୍ୟ ଏକାମ୍ର ବିକାଶ ଯୋଜନା କାର୍ଯ୍ୟ ବେଳେ କେତେକ ପୁରୁଣା ମନ୍ଦିରର କାରୁକାର୍ଯ୍ୟ ନଷ୍ଟ ହେଉଛି ବୋଲି ଏଏସ୍‌ଆଇ ପକ୍ଷରୁ ପୂର୍ତ୍ତ ବିଭାଗକୁ ଜଣାଇ ଦିଆଯାଇଥିଲା।

ସମ୍ବନ୍ଧିତ ଖବର