ଶୁକଶାରି ମନ୍ଦିର ଖନନ ପ୍ରସଙ୍ଗ : ବିନ୍ଦୁସାଗର ଯାଏ ମାଟି ତଳେ ରହିଛି କୀର୍ତ୍ତିରାଜି

ପୁରୁଣା ଭୁବନେଶ୍ବର : ମାଟି ତଳେ ପୋଥି ହୋଇଥିବା ପ୍ରାଚୀନ ଶୁକଶାରି ମନ୍ଦିରକୁ ଖୋଳି ବାହାର କରିବାକୁ ପ୍ରତ୍ନତତ୍ତ୍ବ ବିଭାଗ(ଏଏସ୍‌ଆଇ) ପକ୍ଷରୁ ଖନନ କାର୍ଯ୍ୟ ଜାରି ରହିଛି। ଦିନକୁ ଦିନ ମାଟି ତଳୁ ଅଧିକ କୀର୍ତ୍ତିରାଜିର ସନ୍ଧାନ ମିଳିବାରେ ଲାଗିଛି। ତେଣୁ ଏବେ ବିନ୍ଦୁସାଗର ପର୍ଯ୍ୟନ୍ତ ଖନନ କରାଯିବ ବୋଲି ଏଏସ୍‌ଆଇ ପକ୍ଷରୁ ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ ବିନ୍ଦୁସାଗର ଆଡ଼କୁ ଥିବା କୃଷ୍ଣଚନ୍ଦ୍ର ଗୁରୁକୁଳ ସଂସ୍କୃତ ମହାବିଦ୍ୟାଳୟର ପୁରୁଣା ଘର ଓ ଚଟାଣର ଜମି ତଳେ ଶୁକଶାରି ମନ୍ଦିରର କୀର୍ତ୍ତିରାଜି ଥିବା ଅନୁମାନ କରାଯାଉଛି। ଏଥିପାଇଁ ଏହାକୁ ଖୋଳାଯିବ। ଏଥିରେ ଥିବା କଂକ୍ରିଟ୍‌ ବାହାର କରାଯିବ। ଯେହେତୁ ଏହି ମହାବିଦ୍ୟାଳୟର କଡ଼ରେ ଏକ ମନ୍ଦିର ଦେଖିବାକୁ ମିଳିଥିଲା, ସେହି ମାଟି ତଳେ ମଧ୍ୟ ମନ୍ଦିର ଭଗ୍ନାବଶେଷ ରହିଥିବା ଅନୁମାନ କରାଯାଉଛି। ସେହିଭଳି ସବିଶେଷ ସର୍ଭେ ପାଇଁ ସଂସ୍ଥାର ବୈଷୟିକ କମିଟି ପକ୍ଷରୁ ଚଟାଣ ପାର୍ଶ୍ଵ ଅନୁଧ୍ୟାନ ବେଳେ ଭବାନୀଶଙ୍କର ମନ୍ଦିର ନିକଟରେ ଆଉ ଏକ ପ୍ରାଚୀନ ମନ୍ଦିର ଆବିଷ୍କୃତ ହୋଇଥିଲା। ଏହି ପୁରାତନ ମନ୍ଦିରଟିର ଶୀର୍ଷଭାଗ ପର୍ଯ୍ୟନ୍ତ ପୋତି ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହା ଏକ ପୁରୁଣା ଶିବ ମନ୍ଦିର ବୋଲି ଅନୁମାନ କରାଯାଉଛି। ମନ୍ଦିରର ଦଧିନଉତି ଉପରକୁ ଦୃଶ୍ୟମାନ ହେଉଛି ଓ ଏଠାରେ ନବଗ୍ରହ ପରିବର୍ତ୍ତେ ସପ୍ତଗ୍ରହଙ୍କ ଉପସ୍ଥିତି ଦେଖାଯାଉଛି। ସେହିଭଳି ଏଠାରେ ପାର୍ଶ୍ଵ ଦେବତାଙ୍କ ପାଇଁ ଆସ୍ଥାନ ଥିବା ଜଣାପଡ଼ିଛି। ସେହିପରି ବିନ୍ଦୁସାଗର ଆଡ଼କୁ ଆଉ ଏକ ଚଟାଣ ବାହାରିଛି। ଏହି ଚଟାଣ ମନ୍ଦିରକୁ ଲାଗି ରହିଛି ବୋଲି ଆକଳନ କରାଯାଉଛି। ଏଣୁ ବିନ୍ଦୁସାଗର ଆଡ଼କୁ ଥିବା କଂକ୍ରିଟ୍‌କୁ ଖୋଲିଲେ ବହୁ କିର୍ତିରାଜୀ ବାହାରିପାରେ ବୋଲି ଏଏସ୍ଆଇ ଅନୁମାନ କରୁଛି।

ସୂଚନାଯୋଗ୍ୟ ଗତ ୨ ତାରିଖ ଦିନ ଏଏସ୍‌ଆଇ ଯୁଗ୍ମ ନିର୍ଦେଶକ ସଞ୍ଜୟ କୁମାର ମଞ୍ଜୁଲ୍‌ ଶୁକଶାରି ମନ୍ଦିର ଖନନ କାର୍ଯ୍ୟ ବୁଲି ଅନୁଧ୍ୟାନ କରିଥିଲେ। ବିନ୍ଦୁସାଗର ପର୍ଯ୍ୟନ୍ତ କିଛି ମନୁମେଣ୍ଟ ଥିବା ନେଇ ସେ ଅନୁମାନ କରିଥିଲେ। ଏଥିପାଇଁ ବିନ୍ଦୁସାଗର ପର୍ଯ୍ୟନ୍ତ କଂକ୍ରିଟ୍‌ ଖୋଳାଯିବ ବୋଲି ଏଏସ୍ଆଇର ଜଣେ ଅଧିକାରୀ କହିଛନ୍ତି। ଏଏସ୍ଆଇ ମଣ୍ଡଳ ଅଧୀକ୍ଷକ ଅରୁଣ ମଲ୍ଲିକ କୁହନ୍ତି ଯେ ଖୋଳିବା ପରେ ନୂଆ ମନୁମେଣ୍ଟ ବାହାରିଛି ଓ ତାହା ଏହି ମନ୍ଦିର ସମ୍ବନ୍ଧିତ ବୋଲି ଜଣାପଡୁଛି। ଇନ୍‌ଟାକ୍‌ର ପ୍ରକଳ୍ପ ସଂଯୋଜକ ଅନିଲ୍ ଧୀର କୁହନ୍ତି ଯେ ବହୁ କୀର୍ତିରାଜି ମାଟି ତଳେ ଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର