ଶୁକଶାରି ଦେଉଳ ଖନନ ପ୍ରସଙ୍ଗ: ବାହାରିଲା ଆଉ ଏକ ମନ୍ଦିରର ଅଁଳାବେଢ଼ା

ଏଏସ୍‌ଆଇ ବି ଲଗାଇଛି ବୁଲ୍‌ଡୋଜର୍‌

ପୁରୁଣା ଭୁବନେଶ୍ବର: ଏଏସ୍‌ଆଇ ପକ୍ଷରୁ ଚାଲିଥିବା ଶୁକଶାରି ମନ୍ଦିର ଖନନରୁ ପୁଣି ଏକ ମନ୍ଦିର ଚୂଡ଼ାର ଅଁଳାବେଢ଼ା ମାଟି ତଳୁ ବାହାରିଛି। ମନ୍ଦିର ଚୂଡ଼ା ଦୃଶ୍ୟମାନ ହେବା ପରେ ମାଟି ତଳେ ଭିତରକୁ ନିଶ୍ଚୟ ପୂରା ମନ୍ଦିର ପୋତି ହୋଇ ରହିଥିବା ଅନୁମାନ କରାଯାଉଛି। ତେଣୁ ଶୁକଶାରି ମନ୍ଦିର ଖନନରୁ ମାଟିତଳୁ ବହୁ ପ୍ରାଚୀନ କୀର୍ତ୍ତିରାଜି ବାହାରିବା ସ୍ପଷ୍ଟ ହେବାରେ ଲାଗିଛି।

ଲିଙ୍ଗରାଜ ମନ୍ଦିର ନିକଟସ୍ଥ ଶୁକଶାରି ମନ୍ଦିର ମାଟି ତଳେ ପୋତି ହୋଇ ରହିଥିବା ଜଣାପଡ଼ିବା ପରେ ପୁନରୁଦ୍ଧାର କାମ ଜୋର୍‌ଦାର ଚାଲିଛି। ଏଏସ୍ଆଇ ପକ୍ଷରୁ ଖନନ କାମ ଚାଲିଛି। ଆଜି ବିନ୍ଦୁସାଗର ଆଡ଼କୁ ଉତ୍ତର ଦିଗରେ ଆଉ ଏକ ମନ୍ଦିର ଚୂଳରେ ଥିବା ଅଁଳାବେଢ଼ା ବାହାରିଛି। ମାଟି ତଳେ ମନ୍ଦିରର ଅଁଳାବେଢ଼ା ଭାଙ୍ଗି ରହିଛି କି ପୂରା ମନ୍ଦିର ପୋତି ହୋଇ ରହିଛି, ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ଅଁଳା ବେଢ଼ା ଦୃଶ୍ୟମାନ ହେବା ପରେ ପୂରା ମନ୍ଦିର ମାଟି ତଳେ ପୋତି ହୋଇ ରହିଥିବା ସମ୍ଭାବନା ସୃଷ୍ଟି ହୋଇଛି। ଏଏସ୍ଆଇର ଅଧିକାରୀମାନେ ମାଟି ତଳୁ ମିଳିଥିବା ଏହି ଅଂଶକୁ ମନ୍ଦିର ଚୂଡ଼ାର ଅଁଳାବେଢ଼ା ବୋଲି ମାନିଛନ୍ତି। ତେବେ ଅଧିକ ଗଭୀର ମାଟି ଖୋଳିବା ପରେ ମନ୍ଦିର ସ୍ଥିତି ନେଇ ପୂରା ଚିତ୍ର ମିଳିବ ବୋଲି ଏଏସ୍‌ଆଇ ପକ୍ଷରୁ କୁହାଯାଇଛି। ଏ ନେଇ ପ୍ରତ୍ନତତ୍ତ୍ବବିତ ମାନସ କୁମାର ସାହୁଙ୍କ କହିବା ଅନୁଯାୟୀ ଏହି ମନ୍ଦିର ପଞ୍ଚାୟତନ ଶୈଳୀର। ତେଣୁ ମୁଖ୍ୟ ମନ୍ଦିର ଚାରିପଟେ ଚାରିଟି ଛୋଟ ମନ୍ଦିର ରହିଛି। ଗୋଟିଏ ମନ୍ଦିର ପୂର୍ବରୁ ଦେଖାଯାଇଥିଲା। ଅନ୍ୟ ତିନିଟି ଦୃଶ୍ୟମାନ ହେଉନଥିଲା। ଏବେ ଅଧିକ ଖନନ ପରେ ପୁଣି ଗୋଟିଏ ମନ୍ଦିରର ଅଁଳାବେଢ଼ା ପଦାକୁ ଆସିଛି। ଅବଶ୍ୟ ଏହା ଭଗ୍ନ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି। ବିନ୍ଦୁସାଗର ଆଡ଼କୁ ଥିବା କୃଷ୍ଣଚନ୍ଦ୍ର ଗୁରୁକୁଳ ସଂସ୍କୃତ ମହାବିଦ୍ୟାଳୟର ପୁରୁଣା ଘର ଓ ଚଟାଣ ତଳେ କୀର୍ତ୍ତିରାଜି ପୋତି ହୋଇ ରହିଥିବା ଅନୁମାନ କରାଯାଉଛି। ଏଥିପାଇଁ ଏହାକୁ ଖୋଳି କଂକ୍ରିଟ୍‌ ବାହାର କରିବା ପରେ ବହୁ ତଥ୍ୟ ବାହାରିବ।

ଇନ୍‌ଟାକ୍‌ର ପ୍ରକଳ୍ପ ସଂଯୋଜକ ଅନିଲ୍ ଧୀର କହନ୍ତି ଯେ ଐତିହ୍ୟ ଜୋନ୍‌ରେ ଓବିସିସି ପକ୍ଷରୁ କାମ ହେବା ପରେ ମାଟି ତଳେ ରହିଥିବା ପୁରୁଣା କୀର୍ତ୍ତିରାଜି ଭଙ୍ଗାରୁଜା ଅବସ୍ଥାକୁ ଚାଲି ଯାଇଛି। କାମ ପୂର୍ବରୁ ଜିପିଆର୍ ସର୍ଭେ ହୋଇନାହିଁ। ମାଟିତଳେ କ’ଣ ରହିଛି, ତାହାର ଅନୁସନ୍ଧାନ ଓ ସର୍ବେକ୍ଷଣ କରାଗଲା ନାହିଁ। ଫଳରେ ଏବେ ଖନନ ହେବାରୁ ବହୁ କୀର୍ତିରାଜି ମାଟି ତଳୁ ବାହରୁଛି। ସେହିଭଳି କିଛି ନୂଆ ମନ୍ୟୁମେଣ୍ଟ ବାହାରିଛି ଓ ତାହା ଏହି ମନ୍ଦିର ସମ୍ବନ୍ଧିତ ବୋଲି ଜଣାପଡୁଛି। ଆଗକୁ ଖନନ କାର୍ଯ୍ୟ ଜାରି ରହିଲେ, ଅଧିକ କିଛି ନୂଆ ମନ୍ୟୁମେଣ୍ଟ ଅଛି କି ନାହିଁ ଜଣାପଡ଼ିବ। ଏଏସ୍ଆଇର ଭୁବନେଶ୍ବର ସଂଗ୍ରାଧୀକ୍ଷକ ସୁଶାନ୍ତ କୁମାର ଗୋଚ୍ଛାୟତଙ୍କ କହିବା କଥା ଏହା ଏକ ମନ୍ଦିରର ଅଁଳାବେଢ଼ା ପରି ଜଣାପଡ଼ୁଛି। ଏ ସମ୍ପର୍କରେ ଏଏସ୍ଆଇର ମଣ୍ଡଳ ଅଧୀକ୍ଷକ ଅରୁଣ କୁମାର ମଲ୍ଲିକ ଅଧିକ ଖନନ କରାଯିବ ବୋଲି କହିଛନ୍ତି।

ପ୍ରକାଶ ଥାଉକି, ୭ଦିନ ପୂର୍ବରୁ ଏଏସ୍‌ଆଇ ଯୁଗ୍ମ ନିର୍ଦେଶକ ସଞ୍ଜୟ କୁମାର ମଞ୍ଜୁଲ୍‌ ଆସି ଶୁକଶାରି ମନ୍ଦିର ନିକଟରେ ଅନୁଧ୍ୟାନ କରିଥିଲେ। ଶ୍ରୀ ମଞ୍ଜୁଲ୍‌ କହିଛନ୍ତି ଯେ ଖନନ ବେଳେ କିଛି ମନ୍ୟୁମେଣ୍ଟ ଦେଖାଯାଉଛି। ଖନନ କାର୍ଯ୍ୟ ଠିକ୍‌ଠାକ ଚାଲିଛି। କାମ ସରିବା ପରେ ଆଗକୁ ବହୁତ ସୁନ୍ଦର ଦିଶିବ। ଖନନ ସମୟରେ ଯାହା କିଛି ମାଟି ତଳେ ପୋତି ହୋଇଥିଲା, ସେସବୁ ସାମ୍ନାକୁ ଆସିଛି। ଖନନ ସମୟରେ କଣ ଭାଙ୍ଗିଛି ନା ନାହିଁ, ଏହା ଜଣାପଡ଼ିବ। ଏଥିପାଇଁ ମନ୍ଦିରର ପୁରୁଣା ଫଟୋ ସହିତ ମ୍ୟାଚ୍‌ କରାଯିବ।

ଏଏସ୍‌ଆଇ ବି ଲଗାଇଛି ବୁଲ୍‌ଡୋଜର୍‌

ଶୁକଶାରି ମନ୍ଦିର ନିକଟରେ ବିଏମ୍‌ସି ପକ୍ଷରୁ କାମ ଚାଲିଥିବାବେଳେ ବୁଲ୍‌ଡୋଜର ବ୍ୟବହାରକୁ ଏଏସ୍ଆଇ ବିରୋଧ କରୁଥିଲା। ମାତ୍ର ଏବେ ଏଏସ୍‌ଆଇ ବି ସେହି ବୁଲ୍‌ଡୋଜରର ସାହାଯ୍ୟ ନେଇଛି। ବିନ୍ଦୁସାଗର ଆଡ଼କୁ ପଡ଼ିଥିବା ମାଟିକୁ ବୁଲ୍‌ଡୋଜର ଲଗାଇ ବାହାର କରାଯାଇଛି। ଏହା ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ତେବେ ଏଏସ୍ଆଇର ଭୁବନେଶ୍ବର ସଂଗ୍ରାଧୀକ୍ଷକ ସୁଶାନ୍ତ କୁମାର ଗୋଚ୍ଛାୟତଙ୍କ କହିବା କଥା ଏଏସ୍ଆଇର ଇଞ୍ଜିନିୟର ଓ କର୍ମଚାରୀଙ୍କ ଉପସ୍ଥିତିରେ ଧୀରେ ଧୀରେ ମାଟି ବାହାର କରାଯାଉଛି। ବିନ୍ଦୁସାଗର ଆଡ଼କୁ ପୂର୍ବରୁ ଥିବା କୃଷ୍ଣଚନ୍ଦ୍ର ଗୁରୁକୁଳ ସଂସ୍କୃତ ମହାବିଦ୍ୟାଳୟ ଚଟାଣ ଉରେ ଯେଉଁ ମାଟି ଗଦା ହୋଇଛି, ତାହାକୁ ବାହାର କରାଯାଉଛି। ବୁଲ୍‌ଡୋଜର ଦ୍ବାରା ଖନନ କରାଯାଉ ନାହିଁ।

ସମ୍ବନ୍ଧିତ ଖବର