ସସ୍ମିତା ସାହୁ
ଭୁବନେଶ୍ବର: ଦଶମ ଓ ଏକାଦଶ ଶତାବ୍ଦୀର ଶୁକଶାରି ମନ୍ଦିର। ମାଟି ତଳକୁ ଯେତେ ଯେତେ ଖୋଳାଯାଉଛି, ମନ୍ଦିର ସେତିକି ଉପରକୁ ଆସୁଛି। ସମ୍ପୂର୍ଣ୍ଣ ମନ୍ଦିର ପୁନରୁଦ୍ଧାର ହେଲା ପରେ ହୁଏତ ଓଡ଼ିଶା ଇତିହାସରେ ଆଉ ଏକ ଐତିହ୍ୟର ଫର୍ଦ୍ଦ ଯୋଡ଼ି ହେବ। କିନ୍ତୁ ବହୁଚର୍ଚ୍ଚିତ ଏକାମ୍ର ଯୋଜନା କାର୍ଯ୍ୟକାରୀ ହେଲା ପରେ ଏଏସ୍ଆଇ ମୁହଁ ଗୋଟିଏ ପଟେ ତ ରାଜ୍ୟ ସରକାରଙ୍କ ମୁହଁ ଆଉ ଗୋଟିଏ ପଟେ। ଉଭୟ ସଂସ୍ଥା ମଧ୍ୟରେ ସର୍ବନିମ୍ନ ସମନ୍ବୟର ଅଭାବ କାହାରିକୁ ଅଛପା ନାହିଁ। ଶୁକଶାରି ମନ୍ଦିରକୁ ନେଇ ଗତ ତିନି ଦିନ ହେଲା ଚର୍ଚ୍ଚା ଚାଲିଥିଲେ ବି ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ଓ ରାଜ୍ୟ ସରକାରଙ୍କ ମଧ୍ୟରେ କିଛି ବିଧିବଦ୍ଧ ଆଲୋଚନା ହୋଇ ନାହିଁ। ଉଭୟ ପକ୍ଷ ମଧ୍ୟରେ ଏମିତି ଟଣାଓଟରା ଭିତରେ ଶୁକଶାରି ମନ୍ଦିରର ଭାଗ୍ୟ ପୁଣି ମାଟି ତଳେ ରହିଯିବନି ତ? ଏବେ ଏମିତି ପ୍ରଶ୍ନ ଗବେଷକ, ସଚେତନ ନାଗରିକ ଓ ବୁଦ୍ଧିଜୀବୀମାନଙ୍କୁ ଆନ୍ଦୋଳିତ କରୁଛି।
୨୦୧୭ ମସିହାରୁ ଶୁକଶାରି ମନ୍ଦିରର ରକ୍ଷଣାବେକ୍ଷଣା ଦାୟିତ୍ବ ନେଇଛି ଏଏସ୍ଆଇ। ମନ୍ଦିରଟି ଅଧା ପୋତି ହୋଇ ରହିଥିବାରୁ ୨୦ ଲକ୍ଷ ଟଙ୍କାର ବ୍ୟୟରେ ଖନନ କାର୍ଯ୍ୟ ଆରମ୍ଭ ହେଲା। ମନ୍ଦିର ଚାରିକଡ଼ୁ ମାଟି ଖୋଳାଯାଇ ସମ୍ପୂର୍ଣ୍ଣ ମନ୍ଦିରକୁ ପୁରନୁଦ୍ଧାର କରାଯିବା ସହ ଭଗ୍ନପଥର ଯୋଡ଼େଇ କରାଗଲା। ମାଟି ତଳୁ ଉଦ୍ଧାର ହୋଇଥିବା ପ୍ରତିମୂର୍ତି ଓ କୀର୍ତ୍ତିରାଜିକୁ ସଂରକ୍ଷିତ ବି ରଖାଗଲା। କାମ ଜୋର୍ସୋର ଚାଲିଥିବା ବେଳେ ମନ୍ଦିର ପାଖରେ ରହିଥିବା କୃଷ୍ଣଚନ୍ଦ୍ର ଗୁରୁକୁଳ ସଂସ୍କୃତ ମହାବିଦ୍ୟାଳୟ ରହିଥିବାରୁ ମନ୍ଦିର ପୁନରୁଦ୍ଧାର ଅଧାରେ ଅଟକିଲା। ଆହୁରି ମଧ୍ୟ ୨୦୧୮ ମସିହା ସେପ୍ଟେମ୍ବରରେ ଏହି ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ପ୍ରାୟ ୧୦୦ ଜଣ ଶ୍ରମିକଙ୍କୁ ଏକାକାଳୀନ ଛଟେଇ କରାଯାଇଥିଲା। ଏହାକୁ ବିରୋଧ କରି ଏହି ଶ୍ରମିକମାନେ ବାରମ୍ବାର ଏସ୍ଆଇ କାର୍ଯ୍ୟାଳୟ ଘେରାଉ କରିଥିଲେ। ଫଳରେ ପୁନରୁଦ୍ଧାର କାର୍ଯ୍ୟ ସେତିକିରେ ଅଟକି ଯାଇଥିଲା।
ଅନ୍ୟ ପଟେ ଏକାମ୍ର ପ୍ରକଳ୍ପ ଠିକା ସଂସ୍ଥା ଓଡ଼ିଶା ସେତୁ ନିର୍ମାଣ ନିଗମ (ଓବିସିସି) ପକ୍ଷରୁ ଏକାମ୍ର କ୍ଷେତ୍ରର ସୌନ୍ଦର୍ଯ୍ୟୀକରଣ ଓ ଖନନ ସମୟରେ ଶୁକଶାରି ମନ୍ଦିରର କିଛି ଅଂଶ ପଦାକୁ ବାହାରି ଆସିଥିଲା। ଯେହେତୁ ମନ୍ଦିର ଏଏସ୍ଆଇ ଅଧୀନରେ ରହିଛି; ଏ ନେଇ ବିଏମ୍ସି କିମ୍ବା ଓବିସିସି ଏଏସ୍ଆଇ କର୍ତ୍ତୃପକ୍ଷଙ୍କୁ ଜଣାଇବାର ଥିଲା। କିନ୍ତୁ ବିଏମ୍ସି କିମ୍ବା ଓବିସିସି ପକ୍ଷରୁ ସେପରି କିଛି କରାଯାଇ ନ ଥିଲା। ଅନ୍ୟ ପଟେ ଏ ନେଇ ଏଏସ୍ଆଇ କର୍ତୃପକ୍ଷ ଅବଗତ ହେବା ପରେ ଓବିସିସିର ଖନନ ବେଳେ ମନ୍ଦିରର ବହୁ କୀର୍ତ୍ତିରାଜି ନଷ୍ଟ ହୋଇଯାଇଥିବା ଅଭିଯୋଗ ଆଣି ଓବିସିସିକୁ ଏଏସ୍ଆଇ କାରଣ ଦର୍ଶାଅ ନୋଟିସ ପଠାଇଥିଲେ। ଦୁଇ ଦୁଇ ଥର କାରଣ ଦର୍ଶାଅ ନୋଟିସ୍ ଏଏସ୍ଆଇ ପଠାଇବା ପରେ ବି ଓବିସିସି ପକ୍ଷରୁ ସନ୍ତୋଷଜନକ ଉତ୍ତର ପାଇ ନ ଥିଲା। ଫଳରେ ଏଏସ୍ଆଇ ଶୁକଶାରି ମନ୍ଦିର ପରିସରର ଖନନ କାର୍ଯ୍ୟ ଆରମ୍ଭ କରି ଦେଇଛି। ଅନ୍ୟ ପଟେ ଶୁକଶାରି ମନ୍ଦିର ଚାରିକଡ଼ରୁ ବିଏମ୍ସି ଆଉ ଖୋଳିବ ନାହିଁ ବୋଲି ଜଣାପଡ଼ିଛି।
ଶ୍ରୀ ଲିଙ୍ଗରାଜ ମନ୍ଦିର ଓ ବିନ୍ଦୁସାଗର ମଝିରେ ନିର୍ମିତ ହୋଇଥିବା ଏହି ଶୁକଶାରି ମନ୍ଦିର ଦଶମ ଓ ଏକାଦଶ ଶତାବ୍ଦୀରେ ନିର୍ମିତ ହୋଇଥିଲା। କିଛି ଗବେଷକଙ୍କ ମତ ତଥା ଏଏସ୍ଆଇର ତଥ୍ୟ ଅନୁଯାୟୀ ଏହି ମନ୍ଦିରଟି ପଞ୍ଚାୟତନ ଢାଞ୍ଚାରେ ନିର୍ମିତ ହୋଇଛି। ଅର୍ଥାତ ଏହି ମୁଖ୍ୟ ମନ୍ଦିରର ଚାରିପଟେ ୪ଟି ଛୋଟ ମନ୍ଦିର ରହିଛି। ସବୁ ମନ୍ଦିରରେ ଶିବ ଲିଙ୍ଗ ରହିଛି। ଏହାକୁ ପୁନରୁଦ୍ଧାର କରାଯାଇ ପାରିଲେ ଅନ୍ୟ ଏକ ଐତିହ୍ୟ ଓଡ଼ିଶା କଳାଭାସ୍କର୍ଯ୍ୟ ବିମଣ୍ଡିତ ଇତିହାସର ମୁକସାକ୍ଷୀ ହେବ। ସମସ୍ତ ଜବରଦଖଲ ଉଚ୍ଛେଦ ପରେ ଶୁକଶାରି ମନ୍ଦିର ଆଖିଦୃଶିଆ ହେବା ସହ ଓ ଏହାର ଅପରୂପ ଭାସ୍କର୍ଯ୍ୟ ଲୋକଲୋଚନକୁ ଆସିଥିବା ବେଳେ ଏବେ ଏଏସ୍ଆଇ ଓ ରାଜ୍ୟ ସରକାରଙ୍କ ବିବାଦ ଭିତରେ ମନ୍ଦିରର ଭାଗ୍ୟ ଝୁଲି ରହିଛି।
ଏ ନେଇ ଏଏସ୍ଆଇ ଅଧୀକ୍ଷକ ଅରୁଣ କୁମାର ମଲ୍ଲିକଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଶୁକଶାରି ମନ୍ଦିରରେ ଇତିହାସର ବହୁ ତଥ୍ୟ ଲୁଚି ରହିଛି। ମୁଖ୍ୟ ମନ୍ଦିର ଓ ଏହା ଚାରିକଡ଼ରେ ଛୋଟ ମନ୍ଦିର ସବୁ ଉଦ୍ଧାର ହୋଇପାରିଲେ ଓଡ଼ିଶାର ଇତିହାସ, ସେ ସମୟର ସଂସ୍କୃତି, ପରମ୍ପରା ଓ ବିଶ୍ବାସ ସମ୍ପର୍କରେ ଅନେକ ତଥ୍ୟ ଉନ୍ମୋଚିତ ହୋଇପାରିବ। ଏଣୁ ଆମେ ମନ୍ଦିରର ପୁନରୁଦ୍ଧାର ନେଇ ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରିବୁ। ୨୦୧୭ ମସିହାରେ ମାଟି ତଳେ ଦବି ଯାଇଥିବା ମୁଖ୍ୟ ମନ୍ଦିରର ଅବଶିଷ୍ଟ ଅଂଶ ଆମେ ଖୋଳି ବାହାର କରିଥିଲୁ। କିନ୍ତୁ କୀର୍ତ୍ତିରାଜିଙ୍କୁ ପଥର ଯୋଡ଼େଇ କରି ମନ୍ଦିରରେ ଲଗାଇବା ସହ ଅନ୍ୟକିଛିକୁ ସଂରକ୍ଷିତ ବି ରଖିଛୁ। ଏଣୁ ଏବେ ଏହି କାର୍ଯ୍ୟ ପୁଣି ଆରମ୍ଭ ହେବ ଓ ଆଶା କରୁଛୁ ସମ୍ପୂର୍ଣ୍ଣ ମନ୍ଦିରର ପୁନରୁଦ୍ଧାର ହୋଇପାରିବ।
ଗବେଷକ ସୁନିଲ ପଟ୍ଟନାୟକ କହିଛନ୍ତି, ୬୦୦ରୁ ୧୪୦୦ ଖ୍ରୀଷ୍ଟାଦ୍ଦରେ ନିର୍ମିତ ମନ୍ଦିରଗୁଡ଼ିକୁ ନେଇ ଆମ ଇତିହାସ। ଏହି ସମୟରେ ଅନେକ ମନ୍ଦିର ନିର୍ମିତ ହୋଇଛି ଓ ଅନେକ ମାଟି ତଳେ ପୋତି ହୋଇଯାଇଛି। ମନ୍ଦିର ମାଟି ତଳେ ପୋତି ହେବାର ସେମିତି କିଛି କାରଣ ନ ଥିଲେ ବି ଅନୁମାନ କରାଯାଉଛି କି, ସେତେବେଳର ଲୋକମାନେ କିଛି ଦିନ ପୂଜା କରିବା ପରେ ଅନ୍ୟ ଏକ ଈଶ୍ବରଙ୍କୁ ବିଶ୍ବାସ କରନ୍ତି ଓ ବିଶ୍ବାସକୁ ନେଇ କାହାଣୀ ପ୍ରସ୍ତୁତ କରି ମନ୍ଦିର ନିର୍ମାଣ କରନ୍ତି। ଏହି ମନ୍ଦିରରେ ଥରେ ପୂଜାର୍ଚ୍ଚନା ଆରମ୍ଭ ହେବା ପରେ ଆପେଆପେ ପୁରୁଣା ମନ୍ଦିରଟି ପରିତ୍ୟକ୍ତ ହୋଇଯାଏ। ଏଭଳି କିଛି ଶୁକଶାରି ମନ୍ଦିରକୁ ନେଇ ହୋଇଥିବା ଅନୁମାନ କରାଯାଉଥିଲେ ବି ଭଲ ଭାବେ ଅନୁଧ୍ୟାନ ପରେ ତଥା ମନ୍ଦିରର ପୁନରୁଦ୍ଧାର ପରେ ଏନେଇ ଠିକ୍ ଭାବେ କିଛି କହିବା ସମ୍ଭବ ହେବ। ତେବେ ଏତେ ପ୍ରାଚୀନ ମନ୍ଦିରର ଏବେ ପୁନରୁଦ୍ଧାର ପାଇଁ ସମସ୍ତେ ତତ୍ପରତା ଦେଖାଇବା ଉଚିତ ବୋଲି ସେ କହିଛନ୍ତି।