ସଟ୍‌ଡାଉନ୍‌ ବଢ଼ିବ ! ଜୁନ୍ କଟକଣା ଜୁଲାଇ ମାସରେ ବଳବତ୍ତର ରହିପାରେ

ଭୁବନେଶ୍ବର : ଜୁନ୍‌ ମାସର ପ୍ରତି ଶନିବାର ଓ ରବିବାର ହୋଇଥିବା ସଟ୍‌ଡାଉନ୍‌ ଜୁଲାଇ ମାସରେ ବି ଜାରି ରହିବ। ଜୁନ୍‌ ମାସରେ ରାଜଧାନୀରେ ଯେଉଁଭଳି କୋଭିଡ୍‌-୧୯ କଟକଣା ଜାରି ରହିଛି ତାହା ବି ଜୁଲାଇ ମାସରେ ବଳବତ୍ତର ରହିବ। କୌଣସି ପ୍ରକାରର ନିୟମ କୋହଳ ହେବନି। ଅର୍ଥାତ୍‌ ଶୁକ୍ରବାର ସଂଧ୍ୟା ୭ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ଦୋକାନ ବଜାର, ଯାତାୟାତ ବନ୍ଦ ରହିବ।

ରାଜ୍ୟ ସରକାର ସଟ୍‌ଡାଉନ୍ ଅବଧି ବଢ଼ାଇବା ନେଇ କୌଣସି ପ୍ରକାରର ବିଧିବଦ୍ଧ ଘୋଷଣା କରିନଥିଲେ ହେଁ ଏହା ଆପାତତଃ ସ୍ଥିର ହୋଇଥିବା ଜାଣିବାକୁ ମିଳିଛି। ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଭୁବନେଶ୍ବରରେ ଜୁଲାଇ ମାସରେ ବି ଶନିବାର ଓ ରବିବାର ସଟ୍‌ଡାଉନ୍‌ ଜାରି ରଖିବାକୁ ଆମେ ପ୍ରସ୍ତାବ ଦେବୁ। ତେଣୁ ରାଜଧାନୀରେ ବି ଜୁଲାଇ ମାସରେ ସପ୍ତାହକୁ ଦୁଇଦିନିଆ ସଟ୍‌ଡାଉନ୍‌ କଟକଣା ଜାରି ରହିବ।

ମଲ୍‌, ସିନେମା ହଲ୍‌ ଖୋଲିବନି
ଧର୍ମାନୁଷ୍ଠାନକୁ ଶ୍ରଦ୍ଧାଳୁ ମନା, ହାଟ ସ୍ଥାନାନ୍ତର ହେବନି
୯୭ଜଣ ସ୍ଥାନୀୟ ସଂକ୍ରମିତ ଚିନ୍ତାର ବିଷୟ ପାଲଟିଛି

ମେ ୩୧ତାରିଖ ସୁଦ୍ଧା ବିଏମ୍‌ସି ଅଞ୍ଚଳରେ ମାତ୍ର ୬୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୮ତାରିଖ ସୁଦ୍ଧା ଏହା ୨୮୯କୁ ଛୁଇଁଛି। ଏଥିରୁ ୧୬୭ଜଣ ସୁସ୍ଥ ହୋଇଥିବାବେଳେ ୪ଜଣଙ୍କର ମୃତ୍ୟୁ ହୋଇଛି। ଏବେବି ୧୧୭ଜଣ କରୋନା ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସବୁଠୁ ଗୁରୁତ୍ବର ବିଷୟ ହେଲା ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା ୨୮୯ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୯୭ଜଣ ସ୍ଥାନୀୟ ସଂକ୍ରମିତ।

ବିଏମ୍‌ସିର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଏହି ୯୭ଜଣ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରୁ କିଛି କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାବେଳେ ଆଉ କେତେକଙ୍କୁ କିପରି କରୋନା ହୋଇଛି ତାହା ଜଣାପଡ଼ିନି। ତେଣୁ ଏହା ଅଧିକ ଚିନ୍ତାଜନକ। କେବଳ ଏତିକି ନୁହେଁ। ବସ୍ତିରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମାର୍ଚ୍ଚ ୧୫ରୁ ମେ ୩୧ ମଧ୍ୟରେ କେବଳ ମହିଷାଖାଲ ବସ୍ତିରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜୁନ୍‌ ୧ରୁ ୨୮ ମଧ୍ୟରେ ବସ୍ତିରେ ଆଉ ୨୩ଜଣ ଚିହ୍ନଟ ହୋଇଛନ୍ତି। ବସ୍ତିରେ ମୋଟ୍‌ ୨୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ପ୍ରାୟ ୧୦ଟି ବସ୍ତିରେ ୨୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ରାଜଧାନୀରେ ବିଭିନ୍ନ ସ୍ଥାନରେ କାମ କରୁଥିବା ୨୪ଜଣ ଶ୍ରମିକ ବି କରୋନା ଆକ୍ରାନ୍ତ ହୋଇଛନ୍ତି।

ଏହି ଆକ୍ରାନ୍ତମାନେ ସଙ୍ଗରୋଧ ନିୟମ ମାନିନଥିବା ଅଭିଯୋଗ ଆସିଛି। ଘରେ କ୍ବାରାଣ୍ଟିନ୍ ଷ୍ଟିକର୍‌ ଲଗାଯାଇଥିଲେ ହେଁ ବାହାରେ ବୁଲିଥିଲେ। ତେଣୁ ଆକ୍ରାନ୍ତଙ୍କ ସଂଖ୍ୟା ନବଢ଼ିବ ବୋଲି କହିହେବନି। ସେହିପରି ସଙ୍ଗରୋଧରେ ରହିଥିବା ବହୁ ଲୋକ ଏବେ କରୋନା ଆକ୍ରାନ୍ତ ହେଲେଣି। ତେଣୁ ପୂର୍ବ ନିୟମ ଅନୁଯାୟୀ ସଟ୍‌ଡାଉନ୍‌ ଜାରି ରହିଲେ ହିଁ ସ୍ଥିତି ନିୟନ୍ତ୍ରଣକୁ ଆସିପାରିବ।

ଉକ୍ତ ଅଧିକାରୀଙ୍କ କହିବାନୁଯାୟୀ, ଏବେ ଯେପରି ରାଜଧାନୀର ବିଭିନ୍ନ ହାଟ ବିଭିନ୍ନ ପଡ଼ିଆ ଓ ଖୋଲା ସ୍ଥାନକୁ ସ୍ଥାନାନ୍ତର ହୋଇଛି ତାହା ବି ଜାରି ରହିବ। ସବୁ ସ୍ଥାନରେ ସାମାଜିକ ଦୂରତା ବଜାୟ ରଖିବାକୁ ଯଥାସମ୍ଭବ ଉଦ୍ୟମ କରାଯିବ। ଏହାବାଦ୍‌ ଜୁଲାଇ ମାସରେ ବି ମଲ୍‌, ସିନେମା ହଲ୍‌ ଖୋଲିବନି। ମନ୍ଦିର, ଧର୍ମାନୁଷ୍ଠାନ ଖୋଲା ରହିଲେ ବି ଶ୍ରଦ୍ଧାଳୁଙ୍କ ଯିବା ଉପରେ ରୋକ୍‌ ଲାଗିବ। ଏବେ ଯେମିତି ହୋଟେଲରେ ୩୦% ବୁକିଂ ରଖିବା ନିୟମ ହୋଇଛି ତାହା ଜାରି ରହିବ। ହୋଟେଲ, ରେସ୍ତୋରାଁ କେବଳ ପାର୍ସଲ ଦେବେ ଓ ହୋମ୍‌ ଡେଲିଭରି ସେବା ଯୋଗାଇବେ। କେହି ହୋଟେଲରେ ବସି ଖାଇପାରିବେନି। ପ୍ରତ୍ୟେକ ଦିନ ସଂଧ୍ୟା ୭ଟାରୁ ସକାଳ ୫ଟା ପର୍ଯ୍ୟନ୍ତେ ଯେଉଁ ସଟ୍‌ଡାଉନ୍‌ ନିୟମ ଲାଗୁ ହେଉଛି ତାହା ବଳବତ୍ତର ରହିବ କି ନାହିଁ ସେନେଇ କିନ୍ତୁ କିଛି ସ୍ପଷ୍ଟ ହୋଇନି।

ସେହିପରି ଯେଉଁମାନେ ବାହାର ରାଜ୍ୟରୁ ଆସୁଛନ୍ତି ଏବଂ ୭୨ଘଣ୍ଟାରୁ ଅଧିକ ସମୟ ରହୁଛନ୍ତି ସେମାନଙ୍କୁ ୧୪ଦିନିଆ ସଙ୍ଗରୋଧରେ ରହିବାକୁ ହେବ। ଏହି ସଙ୍ଗରୋଧ ନିୟମ ଆସନ୍ତା କିଛି ମାସ ପର୍ଯ୍ୟନ୍ତ ଜାରି ରହିବ। ଯେଉଁ ପ୍ରବାସୀ ଶ୍ରମିକମା‌ନେ କାମ କରିବାକୁ ଏଠାକୁ ଆସିବେ ସେମାନଙ୍କର କରୋନା ପରୀକ୍ଷା ହୋଇନଥିଲେ ଏଠାରେ ୧୪ଦିନ ସଙ୍ଗରୋଧ ରହିବା ପରେ ହିଁ କାମରେ ଯୋଗଦେବେ। ଯେଉଁମାନେ ନିୟମ ନମାନିବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହାବାଦ୍ ଘରୋଇ ହସ୍ପିଟାଲ, ଘରୋଇ ଶିଳ୍ପ ସଂସ୍ଥା, ବିଭିନ୍ନ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ, ମାର୍କେଟ୍‌ କମ୍ପ୍ଲେକ୍ସ, ହାଟ, ବଜାର ଆଦିରେ ସାମାଜିକ ଦୂରତା ରଖିବା ଏବଂ ମାସ୍କ ପିନ୍ଧିବା ପୂର୍ବପରି ବଳବତ୍ତ ରହିବ। ଏହାକୁ ନମାନିଲେ ଜରିମାନା ଆଦାୟ ସହ ସିଲ୍‌ କରାଯିବ।

ସମ୍ବନ୍ଧିତ ଖବର