ରାଜଧାନୀ ରାଜରାସ୍ତାରେ ରାଜୁତି କଲା ନିରବତା

ରାଜଧାନୀ ରାଜରାସ୍ତାରେ ଦିନତମାମ୍ ରାଜୁତି କଲା ନିରବତା। ପୁଲିସ ଭ୍ୟାନ୍, ଆମ୍ବୁଲାନ୍ସ, କାଁ ଭାଁ ଗାଡ଼ିମଟରକୁ ଛାଡ଼ିଦେଲେ ସବୁଆଡ଼େ ଥିଲା ଶୂନଶାନ୍। ଲାଗୁଥିଲା ସତେ ଯେମିତି ସହରଟା ପୂରା ଖାଲି ହୋଇଯାଇଛି। କୋଭିଡ୍ ସଂକ୍ରମଣକୁ ରୋକିବା ଲାଗି ସପ୍ତାହାନ୍ତ ସଟ୍‌ଡାଉନ୍‌ର ପ୍ରଥମ ଦିନ ଶନିବାରର ଚିତ୍ର ଥିଲା ଏମିତି। ଅମାନିଆଙ୍କୁ ରୋକିବା ଲାଗି ସବୁ ପ୍ରମୁଖ ଛକ ସହ ୪୩ଟି ସ୍ଥାନରେ ଲାଗିଥିଲା ପୁଲିସ ଚେକ୍‌ ପୋଷ୍ଟ। ପୁଲିସ କମିସନର, ଡିସିପିଙ୍କ ସମେତ ସବୁ ବରିଷ୍ଠ ପୁଲିସ ଅଧିକାରୀମାନେ ଛକଛକ ବୁଲି ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଥିଲେ। ଯାଞ୍ଚ କଡ଼ାକଡ଼ି କରିବାକୁ ମୁତୟନ ହୋଇଥିଲେ ୨୦ ପ୍ଲାଟୁନ୍ ଫୋର୍ସ, ୧୫୦ ଅଫିସର। କେବଳ ଜରୁରୀକାଳୀନ ସେବାରେ ନିୟୋଜିତ କର୍ମଚାରୀମାନେ ସେମାନଙ୍କ ପରିଚୟପତ୍ର ଦେଖାଇ ନିଜ ଗନ୍ତବ୍ୟ ସ୍ଥଳକୁ ଯାଉଥିଲେ। ଟ୍ରେନ୍‌ରୁ ଓହ୍ଲାଉଥିବା ଯାତ୍ରୀଙ୍କ୍ ପାଇଁ ଷ୍ଟେସନରେ ଉପଲବ୍ଧ ଥିଲା ‘ମୋ ବସ୍’ ସେବା। ହେଲେ ବସ୍‌ ସଂଖ୍ୟା କମ୍ ଥିବାରୁ ସେମାନେ ହନ୍ତସନ୍ତ ହୋଇଥିଲେ। କେବଳ ପ୍ରାତଃଭ୍ରମଣ ପାଇଁ ସକାଳ ୫ଟାରୁ ୬ଟା ପର୍ଯ୍ୟନ୍ତ ଘଣ୍ଟାଏ ସଟ୍‌ଡାଉନ୍‌ କୋହଳ କରାଯାଇଥିଲା।

ହନ୍ତସନ୍ତ ଟ୍ରେନ୍‌ ଯାତ୍ରୀ, ଆହାର କେନ୍ଦ୍ରରେ ତାଲା
ଭୁବନେଶ୍ବର : କାନ୍ଧରେ ବଡ଼ ବଡ଼ ବ୍ୟାଗ୍‌ ଧରି ଷ୍ଟେସନ୍‌ରୁ ପୁଳାପୁଳା ଯାତ୍ରୀ ବାହାରୁଥିଲେ। କିନ୍ତୁ ଘରକୁ ଯିବା ପାଇଁ ଅଟୋ, ଟ୍ୟାକ୍ସି କିମ୍ବା ଟାଉନ୍‌ ବସ୍‌ ନଥିଲା। କାଁ ଭାଁ ଅଟୋରିକ୍ସା, ଟ୍ୟାକ୍ସି ଷ୍ଟେସନ୍‌ରେ ମହଜୁଦ ଥିଲେ ହେଁ ସେମାନଙ୍କ ଭଡ଼ା ଶୁଣି ଲୋକଙ୍କ କାନ ତାବ୍‌ଦା ହୋଇଯାଉଥିଲା। ୫୦ ଟଙ୍କାର ଭଡ଼ାକୁ ସେମାନେ ଅଢ଼େଇଶ’ ଟଙ୍କା ହାଙ୍କୁଥିଲେ। ମୋ’ ବସ୍‌ ଚଳାଚଳ କରୁଛି ବୋଲି ଖବର ପାଇ କିଛି ଯାତ୍ରୀ ରେଳ‌ଷ୍ଟେସନ୍‌ର ବସ୍‌ଷ୍ଟାଣ୍ଡମୁହାଁ ହୋଇଥିଲେ। କିନ୍ତୁ ୧୦ଜଣ ଯାତ୍ରୀ ନ ହେଲେ ବସ୍‌ ଗଡ଼ିବ ନାହିଁ ବୋଲି ଉତ୍ତର ମିଳିଥିଲା। ତେଣୁ ଯାତ୍ରୀମାନଙ୍କୁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡ଼ିଥିଲା। ନା ଖାଇବାକୁ କିଛି ମିଳିଥିଲା ନା ପିଇବାକୁ ପାଣିର ବ୍ୟବସ୍ଥା ଥିଲା। ଏମିତି ଦିନତମାମ ହନ୍ତସନ୍ତ ହୋଇଥିଲେ ଯାତ୍ରୀ।

ଯାତ୍ରୀ ଶ୍ରଦ୍ଧା ମିଶ୍ର କହିଥିଲେ, ସମ୍ପର୍କୀୟଙ୍କ ହେହ ଖରାପ, ଟଙ୍କା ଆଣି ଆସିଛି ମେଡିକାଲ ଯିବା ପାଇଁ। କିନ୍ତୁ ବସ୍‌ଷ୍ଟାଣ୍ଡରେ ଘଣ୍ଟାଏରୁ ଊର୍ଦ୍ଧ୍ବ ହେବ ବସିଲିଣି। ବସ୍ ଡ୍ରାଇଭଙ୍କୁ ପଚାରିଲେ କହୁଛନ୍ତି, ୧୦ ଜଣ ହେଲେ ଯାଇ ଗାଡ଼ି ଯିବ, ନହେଲେ ନାହିଁ। ଅଟୋଚାଳକ ବି ୨ଗୁଣା ଭଡ଼ା କହୁଛନ୍ତି।

ସେହିପରି ଷ୍ଟେସନ୍‌ ନିକଟ ଆହାର କେନ୍ଦ୍ର ବନ୍ଦ ଥିବାରୁ ଲୋକେ ଖାଇବାକୁ ନ ପାଇ ହନ୍ତସନ୍ତ ହୋଇଥିଲେ। ଏହି ସମୟରେ କିଛି ବ୍ୟାବସାୟିକ ସଂସ୍ଥା ଲୁଚାଛପାରେ ଅତି ଉଚ୍ଚ ଦରରେ ପ୍ୟାକେଟ୍‌ରେ ରନ୍ଧା ଖାଦ୍ୟ ବିକୁଥିଲେ। ଖାଲି ଭାତ, ଡାଲି ପାଇଁ ଲୋକଙ୍କଠାରୁ ୧୦୦ ଟଙ୍କା ନେଉଥିଲେ।

ଅପରପକ୍ଷେ ଆସନ୍ତାକାଲି ମଧ୍ୟ ସଟ୍‌ଡାଉନ୍‌ ଥିବାରୁ ଦୂରଦୂରାନ୍ତକୁ ଯିବାକୁ ଚାହୁଥିବା କିଛି ଲୋକ ଆଜିଠାରୁ ଷ୍ଟେସନ୍‌ ଚାଲି ଆସିଥିଲେ। ମହାରାଷ୍ଟ୍ରରୁ ଆସି କେନ୍ଦ୍ରାପଡ଼ାରେ ବ୍ୟବସାୟ କରୁଥିବା କାଞ୍ଚନ ବାବାର କହିଥିଲେ, ଓଡ଼ିଶାରେ କରୋନା ବୃଦ୍ଧି ପାଉଥିବାରୁ ଘରକୁ ଫେରିଯିବା ପାଇଁ ଆସିଛୁ। ୨୫ ତାରିଖ ପାଇଁ ଟ୍ରେନ୍‌ ଟିକେଟ୍‌ କାଟିଛୁ। ମାତ୍ର କାଲିକୁ କାଳେ ସ୍ଥିତି ଖରାପ ହେବ ଭାବି ଆଜିଠାରୁ ଷ୍ଟେସନ୍‌ ଚାଲି ଆସିଛୁ। କିନ୍ତୁ ଏଠି ଦୋକାନ ବଜାର ବନ୍ଦ ଥିବାରୁ ଖାଇବା ପାଇଁ ହଇରାଣ ହେଉଛୁ। ଚଢ଼ାଦରରେ ଖାଦ୍ୟ କିଣି ଖାଇଛୁ। ୫ ଟଙ୍କିଆ ଚା’ ବି ଏଠି ୧୦ ଟଙ୍କାରେ ବିକ୍ରି ହେଉଛି।

ସଟର୍‌ ବନ୍ଦ କରି ଚାଲିଲା ହୋଟେଲ
ୟୁନିଟ୍‌-୩ ଖାରବେଳ ନଗରରେ ଲୁଚାଛପାରେ କିଛି ହୋଟେଲ ଚାଲିଥିବା ଦେଖିବାକୁ ମିଳିଥିଲା। ବାହାରୁ ସଟର୍‌ ବନ୍ଦ ଥିଲେ ହେଁ ଭିତରେ କିଛି ଲୋକ ବସି ଖାଉଥିଲେ। କାଳେ କାହାର ନଜର ପଡ଼ିଯିବ, ସେଥିପାଇଁ ସବୁକିଛି ଲୁଚାଛପାରେ ଚାଲିଥିଲା। ସଟ୍‌ଡାଉନ୍‌ ଯୋଗୁଁ ସବୁ ହୋଟେଲ ବନ୍ଦ ଥିବାରୁ ଏହି ହୋଟେଲ ମାଲିକମାନେ ଆଜି ଲୋକଙ୍କଠାରୁ ମନଇଚ୍ଛା ଦର ହାଙ୍କିଥିଲେ। ୫୦ ଟଙ୍କିଆ ସାଦା ମିଲ୍‌କୁ ୧୦୦ ଟଙ୍କା ଓ ଆମିଷ ମିଲ୍‌କୁ ୧୫୦ରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ନେଇଥିଲେ।

ଜଳ ବାଣ୍ଟିଲା ଜଳଦୂତ
ସଟଡାଉନ୍ ପାଇଁ ରାଜଧାନୀରେ ୪୩ଟି ଚେକ୍‌ ପୋଷ୍ଟ ତିଆରି ହୋଇଥିଲା। ପ୍ରାୟ ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିଲେ। ଆଜି ପାରଦ ୪୨ ଡିଗ୍ରି ପାର୍‌ ହୋଇ ଯାଇଥିବାରୁ ସହର ଜଳୁଥିଲା। ଛକରେ ମୁତୟନ ହୋଇଥିବା ପୁଲିସ କର୍ମଚାରୀଙ୍କ ତୃଷ୍ଣା ମେଣ୍ଟାଇବା ପାଇଁ ବୁଲିଥିଲା ପୁଲିସର ‘ଜଳଦୂତ’। ଏହି ଟ୍ୟାଙ୍କର ବୁଲି ବୁଲି ବିଶୁଦ୍ଧ ପାଣି ଯୋଗାଇଥିଲା।

ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଗଡ଼ିଲା ୩ଟି ବସ୍
ଗହଳିଚହଳିରେ ଫାଟି ପଡ଼ୁଥିବା ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଆଜି ନିରବତା ରାଜୁତି କରିଥିଲା। ପୂରା ବସ୍‌ଷ୍ଟାଣ୍ଡ ଖାଁ ଖାଁ ଥିଲା। ଯାତ୍ରୀ ନ ହେବାରୁ ୬୦୦ରୁ ମାତ୍ର ୩ଟି ବସ୍‌ ଗଡ଼ିଥିଲା। ବାଲେଶ୍ବର ଯିବା ପାଇଁ କାଲି ରାତିରୁ କିଛି ଯୁବକ ଓ ପରିବାର ବସ୍‌ଷ୍ଟାଣ୍ଡ୍‌ରେ ଆଶ୍ରୟ ନେଇଥିଲେ। ତେଣୁ ସକାଳୁ ମାତ୍ର ୩ଟି ବସ୍‌ ଗଡ଼ିଥିଲା ବାଲେଶ୍ବର ରୁଟ୍‌ରେ। ସେହିପରି ବସ୍‌ ନ ଚାଲିବାରୁ କିଛି ଲୋକ ବାଧ୍ୟ ହୋଇ ଫେରି ଯାଇଥିବା ମଧ୍ୟ ଦେଖାଯାଇଥିଲା। ତେବେ ଟ୍ରେନ୍‌ରେ ଦୂରଦୂରାନ୍ତରରୁ ଆସିଥିବା ଯାତ୍ରୀମାନେ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇ ନ ପାରି ହଟହଟା ହୋଇଥିଲେ। ବସ୍‌ ଅପେକ୍ଷାରେ ସେମାନେ ବସଷ୍ଟାଣ୍ଡରେ ଆଶ୍ରୟ ନେଇଥିଲେ।

ସମ୍ବନ୍ଧିତ ଖବର