ସଟ୍‌ଡାଉନ୍‌ରେ ରାଜଧାନୀ ଖାଁ ଖାଁ

ଭୁବନେଶ୍ବର : ଲକ୍‌ଡାଉନ୍‌ ନିୟମକୁ ରାଜଧାନୀବାସୀ ମାନୁ ନଥିବା ନେଇ ବାରମ୍ବାର ଖବର ପ୍ରକାଶ ପାଉଥିଲା। ଲୋକ ସାମାଜିକ ଦୂରତା ରଖୁ ନଥିବାରୁ କମିସନରେଟ୍ ପୁଲିସ ଜରିମାନା ଆଦାୟ ଜୋରଦାର୍‌ କରୁଥିଲା। କିନ୍ତୁ ରାଜଧାନୀରେ ଆଜିଠାରୁ ଆରମ୍ଭ ହୋଇଥିବା ଦୁଇଦିନିଆ ସଟ୍‌ଡାଉନ୍‌କୁ ରାଜଧାନୀବାସୀ ପୂରା ସମର୍ଥନ କରିଛନ୍ତି। ସଟ୍‌ଡାଉନ୍‌ ପାଇଁ ସବୁ ଦୋକାନବଜାର ବନ୍ଦ ଥିବା ବେଳେ ଲୋକମାନେ ଘରୁ ବାହାରିନଥିଲେ। ଏପରିକି ରାଜଧାନୀର ସବୁ ରାସ୍ତାଘାଟ ଖାଁ ଖାଁ ଦେଖିବାକୁ ମିଳିଥିଲା।

ପୂର୍ବଥର ଅପେକ୍ଷା ଏଥରର ସଟ୍‌ଡାଉନ୍‌ ନିୟମରେ ବହୁ ପରିବର୍ତ୍ତନ ଅଣାଯାଇଥିବା ବେଳେ ଲୋକଙ୍କର ଜରୁରୀକାଳୀନ ଯାତାୟାତ ଏବଂ ଟ୍ରେନ୍‌, ବିମାନରେ ଯାତାୟାତ ପାଇଁ ନିୟମରେ କୋହଳ କରାଯାଇଥିଲା। ତେଣୁ ଯେଉଁମାନେ ବିମାନ, ଟ୍ରେନ୍‌ରେ ଯାଉଥିଲେ କିମ୍ବା ଆସିଥିଲେ ସେମାନେ ବିଭିନ୍ନ କ୍ୟାବ୍‌ ଓ ଅଟୋରେ ଯାତାୟାତ କରୁଥିବା ଦେଖିବାକୁ ମିଳିଥିଲା। ବିଭିନ୍ନ ସ୍ଥାନରେ ଅମାନିଆ ଲୋକଙ୍କୁ ସାବାଡ଼ କରିବାକୁ କମିସନରେଟ୍ ପୁଲିସ ପକ୍ଷରୁ ବି ଚେକିଂ କରାଯାଉଥିଲା। କେଉଁ ଗାଡ଼ି କୁଆଡ଼େ ଯାଉଛି, ସେଥିରେ କିଏ ଯାଉଛନ୍ତି, ତାହା ଉପରେ ନଜର ରଖିବାକୁ ପୁଲିସ ପକ୍ଷରୁ କଡ଼ାକଡ଼ି ଚେକିଂ ହେଉଥିଲା। ଯେଉଁମାନେ ମାସ୍କ ପିନ୍ଧି ନଥିଲେ କିମ୍ବା ବିନା କାରଣରେ ଯାତାୟାତ କରୁଥିଲେ, ସେମାନଙ୍କଠାରୁ ଜରିମାନା ଆଦାୟ ହେଉଥିଲା। ଠା’କୁ ଠା’ ପୁଲିସ ବାଡ଼ ପକାଇ ଛିଡ଼ା ହୋଇଥିଲେ। ଯାଞ୍ଚ ପାଇଁ ଆଜି ୪୧ ଜାଗାରେ ପୁଲିସ ପକ୍ଷରୁ ନାକାବନ୍ଦୀ କରାଯାଇଥିବା ବେଳେ ୧୬ପ୍ଲାଟୁନ୍‌ ଫୋର୍ସ ନିୟୋଜିତ ରହିଥିଲେ। ବିଭିନ୍ନ ବାଟାଲିୟନରୁ ଅଧିକାରୀମାନଙ୍କୁ ନାକା ଜାଗାରେ ଡ୍ୟୁଟି ଦିଆଯାଇଥିଲା। ପ୍ରତ୍ୟେକ ଥାନା ଅଞ୍ଚଳରେ ପିସିଆର ଭ୍ୟାନ୍‌ ଜରିଆରେ ଏହି କଟକଣା ଭଙ୍ଗ ଉପରେ କଡ଼ା ନଜର ରଖାଯାଇଥିଲା। ଏଣୁ କେବଳ ଜରୁରୀକାଳୀନ ସେବାରେ ରହିଥିବା କେତେକ ଗାଡ଼ି କାଁ ଭାଁ ଚଳାଚଳ କରୁଥିବା ଦେଖାଯାଇଥିଲା।

ସେହିଭଳି ସ୍ବତନ୍ତ୍ର ସ୍କ୍ବାଡ୍‌ ଏନ୍‌ଫୋର୍ସମେଣ୍ଟ ପାଇଁ ରହିଥିଲା। ଉଲ୍ଲଂଘନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟରାସ୍ତା ସହ ଗଳିକନ୍ଦି ବୁଲୁଥିଲା। ସଟ୍‌ଡାଉନ୍‌ କଟକଣା ଉଲ୍ଲଂଘନକାରୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲା। ତେବେ ଆଜି ସବୁଠାରୁ କମ୍‌ ଜରିମାନା ଆଦାୟ କରାଯାଇଥିଲା। ଆସନ୍ତାକାଲି ମଧ୍ୟ ଏହି ସଟ୍‌ଡାଉନ୍‌ ରହିଛି। ଏଥିପାଇଁ କମିସନରେଟ୍‌ ପୁଲିସ ପ୍ରସ୍ତୁତ ରହିଥିବା ଅତିରିକ୍ତ କମିସନର୍‌ ଅନୁପ କୁମାର ସାହୁ କହିଛନ୍ତି। ଅପରପକ୍ଷେ ଶନିବାର ଓ ରବିବାର ଦୁଇ ଦିନ ସଟ୍‌ଡାଉନ୍‌ ହୋଇଯିବାରୁ କିଛି ଲୋକ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ସମସ୍ୟାରେ ପଡ଼ି ଯାଇଛନ୍ତି। ରବିବାର ଆମିଷ ବାର ଥିବାରୁ ଲୋକଙ୍କ ଚିନ୍ତା ବଢ଼ିଯାଇଛି।

ସମ୍ବନ୍ଧିତ ଖବର