ଭୁବନେଶ୍ବର ସଟ୍‌ଡାଉନ୍‌, ୧୫୬ ଉଲ୍ଲଙ୍ଘନକାରୀଙ୍କୁ ଟେକିନେଲା ପୁଲିସ

ବାଧ୍ୟତାମୂଳକ ସଙ୍ଗରୋଧରେ ୪୬ଜଣ

ଭୁବନେଶ୍ବର,: ଛକ ହେଉ କି ଗଳି, ଜାତୀୟ ରାଜପଥ ହେଉ କି ଫ୍ଲାଏଓଭର୍‌, ସବୁ ଖାଁ ଖାଁ। କେଉଁଠି କେହି ଦେଖାଯାଉନାହାନ୍ତି, ଧୁ’ଧୁ’ ଖରାରେ ରାଜୁତି କରୁଥିଲା ନିରବତା। କେବଳ ଶୁଭୁଥିଲା ପୁଲିସ୍‌ ଓ ଆମ୍ବୁଲାନ୍ସର ସାଇରନ୍‌। ଫୁଲନଖରାରୁ ଜଟଣୀ, ଉତ୍ତରାରୁ ଚନ୍ଦକା; ସବୁଠି ଆଜି ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ। ସଟ୍‌ଡାଉନ୍‌ର ପ୍ରଥମ ଦିନରେ ଲୋକମାନଙ୍କର ସମର୍ଥନ ରହିଥିବା ପରିଲକ୍ଷିତ ହୋଇଥିଲା। ତେବେ ରାତି ସୁଦ୍ଧା ବିନା‌ କାରଣରେ ସଟ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରି ବାହାରକୁ ବାହାରିଥିବା ପାଖାପାଖି ୧୫୬ଲୋକଙ୍କୁ ବାଧ୍ୟତାମୂଳକ ସଂଗରୋଧ ବା କ୍ବାରାଣ୍ଟିନ୍‌‌‌ରେ ରଖିବା ପାଇଁ ପୁଲିସ୍‌ ଉଠାଇ ନେଇଥିଲା। ପରେ ସେମାନଙ୍କର ପରିସ୍ଥିତି ସମ୍ବନ୍ଧରେ ପଚରାଉଚରା କରାଯାଇଥିଲା। କେତେକ ଜରୁରୀ କାମରେ ବାହାରକୁ ଆସିଥିବା ଦେଖାଯାଇଥିଲା। ଏଣୁ ସେମାନଙ୍କ ମଧ୍ୟରୁ ୧୧୦ଜଣଙ୍କୁ ଘର ପାଖରେ ଛାଡ଼ି ଦିଆଯାଇଥିଲା। ତେବ‌େ ରାତିରେ କେହି ଜଣେ ହେଲେ ବାହାରକୁ ବାହାରି ନଥିବା ରେକର୍ଡ କରାଯାଇଥିବା କମିସନରେଟ୍‌ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଶୁକ୍ରବାର ରାତି ୮ଟାରୁ ଭୁବନେଶ୍ବର ସଟ୍‌ଡାଉନ୍‌ ଘୋଷଣା କରାଯାଇଥିଲା। କମିସନରେଟ୍‌ ପୁଲିସ ପକ୍ଷରୁ ରାତି ୮ଟାରୁ ହିଁ ଏହାକୁ କଡ଼ାକଡ଼ି କରାଯାଇଥିଲା। ପୁଲିସ କମିସନର୍‌ ସୁଧାଂଶୁ ଷଡ଼ଙ୍ଗୀ, ଅତିରିକ୍ତ କମିସନର୍‌ ଅନୁପ କୁମାର ସାହୁଙ୍କ ସମେତ ଅନ୍ୟ ସମସ୍ତ ବରିଷ୍ଠ ଅଧିକାରୀମାନେ ଗଳି କନ୍ଦି ବୁଲି ସଟ୍‌ଡାଉନ୍‌ରେ ସହରର ବାସ୍ତବ ସ୍ଥିତି ଅନୁଧ୍ୟାନ କରିଥିଲେ। ପୁଲିସ କର୍ମଚାରୀମାନେ ନିଜ ନିଜର କର୍ତ୍ତବ୍ୟ କରୁଛନ୍ତି କି ନାହିଁ; ସଟ୍‌ଡାଉନ୍‌ ଘୋଷଣା ମୁତାବକ ଲୋକମାନେ ଘର ଭିତରେ ରହିଛନ୍ତି କି ନାହିଁ; ଏସବୁ ଉପରେ ଅଧିକାରୀମାନେ ନଜର ରଖିଥିଲେ।
ସାରା ରାତି ସହର ପୁଲିସର କଡ଼ା ନଜରରେ ରହିଥିଲା। ଆଜି ସକାଳେ ସବୁ ଛକରେ ପୁଲିସ ବାଡ଼ ପକାଇ ଛକି ରହିଥିଲା। ଜଣେ କେହି ବିନା କାମରେ ବା ମିଛ କହି ଯାଇ ପାରିନଥିଲା। ଗଳିକନ୍ଦିରେ ନିୟମିତ ପୁଲିସ ଭ୍ୟାନ୍‌ ସାଇରନ୍‌ ଦେଇ ପାଟ୍ରୋଲିଂ କରୁଥିଲା। ମୁଖ୍ୟରାସ୍ତାକୁ ବିନା କାରଣରେ ଆସିବା ପାଇଁ ଲୋକ ଡରୁଥିଲେ। ଅନେକଙ୍କର ଘର ଭିତରପଟୁ ତାଲା ପଡ଼ିଥିବା ମଧ୍ୟ ଦେଖାଯାଇଥିଲା। କେତେକଙ୍କର ବାହାରେ ଗାଡ଼ି ରଖାଯାଇଥିବାରୁ ପୁଲିସ୍‌ ଲଗାତାର ସାଇରନ୍‌ ବଜାଇବାରୁ ସେମାନେ ଗାଡ଼ି ଘର ଭିତରେ ରଖିଥିଲେ।

ଇନ୍‌ଫୋସିଟି, ଚନ୍ଦକା ଓ ଘାଟିକିଆରେ ନିୟମ ନମାନି ବାହାରକୁ ଆସି ପୁଲିସ ହାତରେ ଧରାପଡ଼ିବା ସମୟରେ କିଛି ସମୟ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ଅନ୍ୟ ସମସ୍ତ ଜାଗାରେ ଏହି ସଟ୍‌ଡାଉନ୍‌ କଟକଣା ବେଶ୍‌ ଶାନ୍ତିପୂର୍ଣ୍ଣ ଥିଲା। ଆଜି ଏହି ଏନ୍‌ଫୋର୍ସମେଣ୍ଟରେ ବାଟାଲିୟନ୍‌ର ୫୧ ପ୍ଲାଟୁନ୍‌ ଓ ରିଜର୍ଭ ପୁଲିସର ୨ପ୍ଲାଟୁନ୍‌; ଏଭଳି ୫୩ପ୍ଲାଟୁନ୍‌ ପୁଲିସ ଫୋର୍ସ ନିୟୋଜିତ ହୋଇଥିଲେ। ପ୍ରାୟ ୧୫୦ ଅଫିସର ମଧ୍ୟ ସଟ୍‌ଡାଉନ୍‌ କାମରେ ମାତିଥିଲେ। ଆସନ୍ତାକାଲି ମଧ୍ୟ ଏଭଳି କଟକଣା ଜାରି ରହିବ। ଏହି ପରିମାଣରେ ଫୋର୍ସ ବିଭିନ୍ନ ଜାଗାରେ ରହି ଅଫିସର୍‌ଙ୍କ ଆଦେଶକ୍ରମେ ସଟ୍‌ଡାଉନ୍‌ ବ୍ୟବସ୍ଥାକୁ ନିଶ୍ଚିତ କରାଇବେ ବୋଲି କମିସନରେଟ୍‌ ପୁଲିସ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ୪୬ଜଣଙ୍କୁ ଓୟୁଏଟି ଗେଷ୍ଟ ହାଉସ୍‌ରେ କରାଯାଇଥିବା ସରକାରୀ ସଙ୍ଗରୋଧ ଗୃହକୁ ନିଆଯାଇଛି। ସେଠାରେ ଖାଇବା, ପାଣି ଉଚିତ ସମୟରେ ମିଳୁ ନଥିବା ଅଭିଯୋଗ କରି ସେମାନେ ହୋ-ହଲ୍ଲା କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର