ସଟ୍‌ଡାଉନ୍‌ କଟକଣା ନେଇ ଲୋକଙ୍କ ପ୍ରତିକ୍ରିୟା

ସଟ୍‌ଡାଉନ୍‌ ଉଠାଇ ଦେବା ଭଲ
ସଟ୍‌ଡାଉନ୍‌ କରି କିଛି ଲାଭ ନାହିଁ। ଏହା ଦ୍ବାରା ଶୁକ୍ରବାର ଦିନ ସହରରେ ଏକ ଅଜବ ସ୍ଥିତି ଦେଖିବାକୁ ମିଳୁଛି। କମ୍‌ ସମୟ ଅବଧି ଭିତରେ ଲୋକମାନଙ୍କୁ ଦୁଇ ଦିନ ପାଇଁ ଜରୁରୀ ସାମଗ୍ରୀ କିଣିବାକୁ ପଡ଼ୁଛି। ଫଳରେ ଭିଡ଼ ଅସମ୍ଭାଳ ହେଉଛି। ଯାହାକି କରୋନା ବ୍ୟାପିବାର ଅନ୍ୟ ଏକ କାରଣ। ଅନ୍ୟପକ୍ଷେ ରାତି କର୍ଫ୍ୟୁ ସହ ଶନି ଓ ରବିବାର ସଟ୍‌ଡାଉନ୍‌ ବ୍ୟବସାୟୀଙ୍କ ମୁଣ୍ଡରେ ବୋଝ ଉପରେ ନଳିତା ବିଡ଼ା ଭଳି ହୋଇଛି। ବେପାର ମାନ୍ଦା ହେବା ଫଳରେ ଏକ ବଡ଼ ଆର୍ଥିକ ଦୁସ୍ଥିତି ଦେଇ ସେମାନଙ୍କୁ ଗତି କରିବାକୁ ପଡ଼ୁଛି। ଏଣୁ ଶନି ରବିବାର ସଟ୍‌ଡାଉନ୍‌ ଉଠାଇ ଦେବା ଭଲ। ଏହାର ବିକଳ୍ପ ବାଛିବା ଭଲ।
ସୁଦୀପ ମିଶ୍ର, ଆଇଗିଣିଆ

ଲୋକଙ୍କ ସ୍ବାର୍ଥଦୃଷ୍ଟିରୁ ନିଷ୍ପତ୍ତି ନିଆଯାଉ
ଯଦି ସରକାର ଭାବୁଛନ୍ତି, ଦୁଇଦିନିଆ ସଟ୍‌ଡାଉନ୍‌ ଦ୍ବାରା ଲାଭ ହୋଇଛି, ତେବେ ଜୁଲାଇରେ ବି ଏହାକୁ ବଳବତ୍ତର ରଖିବାରେ କ୍ଷତି କ’ଣ? ଶନି ଓ ରବିବାର ଛୁଟି ଥିବାରୁ ବଜାର ପ୍ରବଳ ଭିଡ଼ ହୁଏ। ଏଣୁ ସରକାରଙ୍କ ଏହି ନି‌ଷ୍ପତ୍ତି। ରାଜ୍ୟ ପାଇଁ ଯାହା ଉଚିତ୍‌, ସରକାର ସେମିତି ନିଷ୍ପତ୍ତି ନେଲେ ଆମେ ତାହା ନିଶ୍ଚୟ ମାନିବୁ।
ସଂଜ୍ଞା ସୁଚରିତା, ଶିକ୍ଷୟିତ୍ରୀ, ସୁନ୍ଦରପଦା

ସରକାର କିଛି ଅଲଗା ଚିନ୍ତା କରନ୍ତୁ
ଦୁଇଦିନିଆ ସଟ୍‌ଡାଉନ୍‌ ନିଷ୍ପତ୍ତିର ଅର୍ଥ କିଛି ବୁଝି ହେଉନି। ଏଭଳି ନିଷ୍ପତ୍ତିରେ ଲୋକମାନେ ହଇରାଣ ହେବା ହିଁ ସାର ହେଉଛି। ଶୋଚନୀୟ ସ୍ଥିତିରେ ଥିବା ୧୧ଟି ଜିଲ୍ଲାରେ ସପ୍ତାହକୁ ୨ଦିନ ସଟ୍‌ଡାଉନ୍‌ ଘୋଷଣା ହେଲା। ଲୋକ ହଇରାଣ ହୋଇ ନିୟମର ଅନୁପାଳନ କଲେ। ହେଲେ ଲାଭ କ’ଣ ‌ହେଲା। ପୂର୍ବାପେକ୍ଷା ଅଧିକ କରୋନା ରୋଗୀ ବାହାରିଲେ। ସ୍ଥାନୀୟ ସଂକ୍ରମଣ ବି ବଢ଼ିଲା। ଏଣୁ ସରକାର ତର୍ଜମା କରନ୍ତୁ ଓ ଜୁଲାଇ ପାଇଁ କିଛି ଲାଭକାରୀ ନିୟମ ନେଇ ଆସନ୍ତୁ।
ସଙ୍ଗୀତା ପ୍ରିୟଦର୍ଶନୀ, ବ୍ୟାଙ୍କର୍‌, ଶାସ୍ତ୍ରୀନଗର

ସଠିକ୍ ଭାବେ ନିୟମ ପାଳନ କରାଯାଉ
ସଟ୍‌ଡାଉନ୍‌ କଟକଣା ଜୁଲାଇରେ ମଧ୍ୟ ବଳବତ୍ତର ରହିବା ଆବଶ୍ୟକ। ସରକାର ଯେଉଁ କଟକଣା କରୁଛନ୍ତି ତାକୁ ଜନସାଧାରଣ ସଠିକ୍ ଭାବେ ପାଳନ କରିବା ଆବଶ୍ୟକ। ବର୍ତ୍ତମାନ କଟକଣା କରି ସୁଦ୍ଧା କରୋନା ନିୟନ୍ତ୍ରଣ ହେଉନାହିଁ। ଦ୍ରୁତ ଗତିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ସରକାର ମଧ୍ୟ ଏକଥା ବି କହିଛନ୍ତି, ଜୁଲାଇ ମାସ ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ । ତେଣୁ ଆଗାମୀ ମାସକୁ ଯଦି ସଠିକ୍ ଭାବେ ମାନିବା ଆମ ଜୀବନ ବଞ୍ଚିଯିବ।
ପ୍ରକାଶ ସ୍ବାଇଁ, ଅଭିନେତା

ଜୁଲାଇରେ କିଛି କୋହଳ କରାଯାଉ
ଆଗାମୀ ମାସରେ ଶନିବାର ଓ ରବିବାରକୁ ସଂପୂର୍ଣ୍ଣ ସଟ୍‌ଡାଉନ୍‌ ନକରି କିଛି ମାତ୍ରାରେ କୋହଳ କରାଯାଉ। ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ପ୍ରତି ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଜରିମାନ ଆଦାୟ କରାଯାଉ। ବିଶେଷକରି ୧ ନଂ ହାଟରେ ହେଉଥିବା ଭିଡ଼କୁ ନିୟନ୍ତ୍ରଣ କରି କିଛି ନୂତନ ନିୟମ କରାଯାଉ।
ମନୋରଞ୍ଜନ ନନ୍ଦ, ମୁମ୍ବାଇର ପୂର୍ବତନ
ଅତିରିକ୍ତ କମିସନର, ଗୌତମନଗର

ଟିକା ଆସିବା ପର୍ଯ୍ୟନ୍ତ କଟକଣା ରହୁ
ଜନସାଧାରଣଙ୍କ ପାଇଁ ଜୀବନ ହେଉଛି ସବୁଠୁ ଗୁରୁତ୍ବପୂର୍ଣ୍ଣ। ତେଣୁ ଯେପର୍ଯ୍ୟନ୍ତ ଟିକା ବାହାରି ନାହିଁ, ସଟ୍‌ଡାଉନ୍‌, ଲକ୍‌ଡାଉନ୍‌ ବଳବତ୍ତର ରହୁ। କେବଳ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ଅନୁମତି ଦେଇ ଅନ୍ୟ ସବୁ କାର୍ଯ୍ୟକୁ ଯେତେ ସମ୍ଭବ ଘରେ କରିବା ପାଇଁ ନିୟମ କରାଯାଉ। ଏପରିକି ସପ୍ତାହକୁ ଦୁଇ ଦିନ ବନ୍ଦ କରିବା ପରିବର୍ତ୍ତେ ଆଉ ଅଧିକ ଦିନ ବନ୍ଦ କରାଗଲେ ଭଲ ହେବ।
ବ୍ରଜକିଶୋର ତ୍ରିପାଠୀ, ଅବସରପ୍ରାପ୍ତ
ବ୍ୟାଙ୍କ କର୍ମଚାରୀ, ଶ୍ରୀୟା ଛକ

ସମ୍ବନ୍ଧିତ ଖବର