ସ୍ବାଧୀନତା ଦିବସରେ ସଟ୍‌ଡାଉନ୍ କଟକଣା କୋହଳ: ସହରସାରା ଉଡ଼ିବ ତ୍ରିରଙ୍ଗା

ଭୁବନେଶ୍ୱର : ୭୫ତମ ସ୍ୱାଧୀନତା ଦିବସ ପାଳନ ଲାଗି ରାଜଧାନୀବାସୀ ପୂରା ପ୍ରସ୍ତୁତି ଆରମ୍ଭ କରି ଦେଇଥିବା ବେଳେ ଶନିବାର ସପ୍ତାହାନ୍ତ ସଟ୍‌ଡାଉନ୍‌ ଏଥିରେ ଭଟ୍ଟା ପକାଇଛି। କିନ୍ତୁ ରବିବାର ସକାଳୁ ୧୧ଟା ପର୍ଯ୍ୟନ୍ତ ୫ଘଣ୍ଟା ପାଇଁ କଟକଣା କୋହଳ ହେବାକୁ ଥିବାରୁ ରାଜଧାନୀବାସୀ ବେଶ୍‌ ଉତ୍ସାହିତ ଅଛନ୍ତି। ରାତି ପାହିଲେ ତ୍ରିରଙ୍ଗାର ରଙ୍ଗରେ ସଜେଇ ହେବ ରାଜଧାନୀ। ଗଳିକନ୍ଦିର ଛୋଟ ବଡ଼ ଦୋକାନରେ ଉଡ଼ିବ ତ୍ରିରଙ୍ଗା। ପତାକା ଉତ୍ତୋଳନ ତଥା ସ୍ୱାଧୀନତା ଦିବସର ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଡ଼ରେ ସକାଳୁ ସକାଳୁ ସରଗରମ ହୋଇଉଠିବ ରାଜଧାନୀ।

ସ୍ବାଧୀନତା ଦିବସରେ ଏ ବର୍ଷ କରୋନା କଟକଣା ଯୋଗୁଁ ରାଜରାସ୍ତାରେ ପରେଡ୍‌ ସିନା ହେବନି। କିନ୍ତୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଛାଇ ଗଲାଣି ଦେଶାତ୍ମବୋଧ ବାର୍ତା। ଆଜିଠୁ ବିଭିନ୍ନ ସ୍କୁଲ, କଲେଜ, ଅଫିସ୍‌, ସଚିବାଳୟ ଓ ଗୁରୁତ୍ୱପୂର୍ଣ୍ଣ ସରକାରୀ ସଂସ୍ଥାଗୁଡ଼ିକରେ ଜାତୀୟ ପତାକା ଉ‌ତ୍ତୋଳନ ପାଇଁ ଦରକାର ଖଦି ତିଆରି ତ୍ରିରଙ୍ଗା ପତାକାର କିଣାକିଣି ସରିଥିବା ବେଳେ, କିଛି ସଂସ୍ଥା ଆସନ୍ତାକାଲି ସକାଳୁ କିଣିବାର ଯୋଜନା କରିଛନ୍ତି। ବର୍ତ୍ତମାନ ବଜାରରେ ସାଧାରଣତଃ ୬ ପ୍ରକାରର ତ୍ରିରଙ୍ଗା ଉପଲବ୍ଧ ହେଉଛି। କାର୍‌ ପତାକା, ଟେବୁଲ୍‌ ପତାକା ଓ ପତାକା ଉତ୍ତୋଳନ ପାଇଁ ରହିଛି ଛୋଟ ବଡ଼ ଆହୁରି ୪ ପ୍ରକାରର ପତାକା। ଗ୍ରାହକମାନେ ନିଜ ଚାହିଦା ଓ ପତାକା ଉଡ଼ାଇବାର ଉଚ୍ଚତା ଅନୁଯାୟୀ ସେହି ଆକାରର ପତାକା କିଣୁଛନ୍ତି। ପତାକାର ଆକାର ଅନୁଯାୟୀ ତା’ର ଦାମ୍‌ ମଧ୍ୟ ରହିଛି। ଅନ୍ୟପଟେ ଫୁଲଠାରୁ ମିଠା ବେପାରୀ ମଧ୍ୟ କାଲି ସକାଳ ପାଇଁ ପ୍ରସ୍ତୁତ ହେଲେଣି।

ଚାହିଦାରେ ଖଦି ଓ ସିଲ୍କ କପଡ଼ା ପତାକା
ଜନପଥରେ ଅସ୍ଥାୟୀ ଦୋକାନ ଦେଇଥିବା ଶୁଭଙ୍କର ଦାସ କୁହନ୍ତି, ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ପରେ ବଜାରରେ ଆଉ ଜରି ପତାକା ମିଳୁ ନାହିଁ। ତେବେ ସିଲ୍କ ଓ ଖଦି ତିଆରି ପତାକା ବେଶ୍‌ ଆଦୃତିଲାଭ କରିଛି। ସିଲ୍କ କପଡ଼ାର ତ୍ରିରଙ୍ଗା ୧୦ ଟଙ୍କାରୁ ୩୦୦ ଟଙ୍କା ମଧ୍ୟରେ ମିଳୁଥିବା ବେଳେ ଖଦି ତିଆରି ତ୍ରିରଙ୍ଗାର ଦାମ୍‌ ୧୫ଟଙ୍କାରୁ ୨୫୦୦ ଟଙ୍କା ମଧ୍ୟରେ ରହିଛି। ପୁଣି ନାରଙ୍ଗୀ, ଧଳା ଓ ସବୁଜ ଆଦି ତ୍ରିରଙ୍ଗାର ରଙ୍ଗ ସହ ବନ୍ଦେ ମାତରଂ, ଆଇ ଲଭ୍‌ ଇଣ୍ଡିଆ, ଜୟ ହିନ୍ଦ୍‌ ଆଦି ବାର୍ତା ଲେଖାଥିବା ବ୍ୟାଚ୍‌ ସହ ଭାରତ ମାନଚିତ୍ର, ଅଶୋକ ଚକ୍ର ଓ ବିଭିନ୍ନ ଆକାରର ବ୍ୟାଚ୍‌ର ଚାହିଦା ଏବେ ଅଧିକ ରହିଛି। ଏଥିସହ ତ୍ରିରଙ୍ଗାର ଟୋପି, ମୁଣ୍ଡରେ ବନ୍ଧା ରୁମାଲ୍‌, ଝିଅମାନଙ୍କ ରବର ବ୍ୟାଣ୍ଡ, ରୁମାଲ୍‌, ହାତରେ ବନ୍ଧା ଯାଉଥିବା ବ୍ୟାଣ୍ଡ ଆଦି ରହିଛି। ଚାରିଚକିଆ ଯାନରେ ରଖିବା ପାଇଁ ତ୍ରିରଙ୍ଗା ଓ ଷ୍ଟାଣ୍ଡ, ମିରର୍‌ରେ ଲଗାଇବା ପାଇଁ ବିଭିନ୍ନ ଡିଜାଇନ୍‌ର ତ୍ରିରଙ୍ଗା ଲଡ୍‌କନ୍‌, ଛୁଆମାନଙ୍କ ପାଇଁ ତ୍ରିରଙ୍ଗା ବେଲୁନ୍‌, ହାତ ଓ ମୁହଁରେ ତ୍ରିରଙ୍ଗା ଚିତ୍ରିତ କରିବା ପାଇଁ ପେଣ୍ଟ୍‌ ସହ ଷ୍ଟିକର୍‌, ମୁରୁଜ ଆଦିର ଏକ ବଡ଼ ପସରା ସହର ସାରା ଖୋଲିଛି। କ୍ୟାପ୍‌ର ଦାମ୍‌ ୨୦ ଟଙ୍କାରୁ ଆରମ୍ଭ କରି ୧୦୦ଟଙ୍କା ଯାଏ ଥିବା ବେଳେ ବ୍ୟାଚ୍‌ ୫ଟଙ୍କାରୁ ଆରମ୍ଭ କରି ୪୦ ଟଙ୍କା ପର୍ଯ୍ୟନ୍ତ ରହିଛି। ତେବେ ଅଗଷ୍ଟ ୧୫ ଓ ଜାନୁଆରି ୨୬ରେ ଏସବୁ ଛୋଟଠାରୁ ବଡ଼, ଧନୀଠାରୁ ଗରିବ ସମସ୍ତେ କିଣୁଥିବାରୁ ଏହି ସମୟରେ ବେଶ୍‌ ଦୁଇ ପଇସା ଲାଭ ହୁଏ ବୋଲି ଶ୍ରୀ ଦାସ କହିଛନ୍ତି।

ଅନେଇ ବସିଛନ୍ତି ଫୁଲ ବେପାରୀ
ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନଠାରୁ ଆରମ୍ଭ କରି ମହାପୁରୁଷମାନଙ୍କୁ ମାଲ୍ୟାର୍ପଣ ଓ ସାଜସଜ୍ଜା ପାଇଁ ଫୁଲର ଆବଶ୍ୟକତା ରହିଥିବାରୁ ରାଜଧାନୀରେ ସକାଳୁ ସକାଳୁ ଚଳଚଞ୍ଚଳ ହୋଇପଡ଼ିବ ଫୁଲ ବଜାର। ସ୍ୱାଧୀନତା ଦିବସ ଅବସରରେ ଫୁଲରେ ତ୍ରିରଙ୍ଗା ଦେଖାଇବା ପାଇଁ ନାଲି ଗେଣ୍ଡୁ, ଧଳା ରଜନୀଗନ୍ଧା ଓ ସବୁଜ ପତ୍ର ଆଦିର ଚାହିଦା ଅଧିକ। ଗେଣ୍ଡୁ ଗୋଟିଏ ଛୋଟ ମାଳ ୩୫-୫୦ ଟଙ୍କା ଥିବା ବେଳେ ରଜନୀଗନ୍ଧା କେଜି ୩୦୦ ଟଙ୍କା ଓ ପତ୍ର ମାଳ ୧୫ ଟଙ୍କା ରହିଛି। ସେହିପରି ଗୋଲାପ ୫-୧୫ଟଙ୍କା, ଜାର୍‌ଭେରା ୧୦ଟଙ୍କା ଓ ଲିଲିଅମ୍‌ ୭୦ଟଙ୍କା ରହିଛି। କୋଲକାତା ଓ ବେଙ୍ଗାଲୁରୁରୁ ପ୍ରତିଦିନ ରାଜଧାନୀକୁ ଏହି ଫୁଲ ଆମଦାନୀ କରାଯାଇଥାଏ। ପାର୍ବଣ ଋତୁ ଆସୁଥିବାରୁ ଏବେଠାରୁ ଫୁଲ ବେପାର ଭଲ ଚାଲିବ ବୋଲି ବେପାରୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର