ସଟ୍‌ଡାଉନ୍‌ର ଦ୍ବିତୀୟ ଦିନରେ ବି ଖାଁ ଖାଁ: ତାତି ଅସହ୍ୟ, କରୋନା ଭୟ

ପଦାକୁ ଗୋଡ଼ କାଢ଼ିଲେନି ରାଜଧାନୀବାସୀ

ଭୁବନେଶ୍ବର : ରବିବାର ଥିଲା ସପ୍ତାହାନ୍ତ ସଟ୍‌ଡାଉନ୍‌ର ଦ୍ବିତୀୟ ତଥା ଶେଷ ଦିନ। ପ୍ରବଳ ଖରାରେ ସିଝୁଥିଲା ରାଜଧାନୀ। ଆକାଶରୁ ନିଆଁବର୍ଷା ହେଲା ଭଳି ଲାଗୁଥିଲା। ୪୩.୨ ଡିଗ୍ରି ତାତିରେ କାନମୁଣ୍ଡ ଝାଇଁ ଝାଇଁ ମାରି ଯାଉଥିଲା। ଅସହ୍ୟ ତାତି ସାଙ୍ଗକୁ କରୋନା ଭୟ ଯୋଗୁଁ କେହି ଘରୁ ପଦାକୁ ଗୋଡ଼ କାଢ଼ୁ ନ ଥିଲେ। କେବଳ ଅତି ଜରୁରୀ କାମରେ ନିୟୋଜିତ କାଁ ଭାଁ ଗାଡ଼ି ଚଳାଚଳକୁ ଛାଡ଼ିଦେଲେ ପୂରା ସହର ଥିଲା ଶୂନ୍‌ଶାନ୍‌। ରାସ୍ତାରେ ପୁଲିସ ଚେକ୍‌ ପୋଷ୍ଟ ଥିଲେ ବି ପୁଲିସକୁ ବିଶେଷ କଷ୍ଟ କରିବାକୁ ପଡ଼ି ନ ଥିଲା। କାରଣ ଶନିବାରଠାରୁ ଆଜି ଅମାନିଆଙ୍କ ସଂଖ୍ୟା ନଗଣ୍ୟ ରହିଥିଲା। ତଥାପି ସବୁ ଅଞ୍ଚଳରେ ପିସିଆର ଭ୍ୟାନ୍ ପଇଁତରା ମାରୁଥିଲା। ବାଇକ୍‌ରେ ଯାଉଥିବା ଲୋକଙ୍କୁ ଚେକିଂ କରୁଥିଲା। କେତେକ ଅମାନିଆଙ୍କୁ ତାଗିଦ୍ କରି ଛାଡ଼ିଥିଲା।

କିନ୍ତୁ ସକାଳେ ସଟ୍‌ଡାଉନ୍ ଘଣ୍ଟାଏ ପାଇଁ କୋହଳ ଥିବାରୁ କିଛିଲୋକ ମର୍ଣ୍ଣିଂଵାକ୍‌ରେ ବାହାରିଥିଲେ। ପାର୍କକୁ ଯାଉଥିବା ଅଧିକାଂଶ ଲୋକ ଚାଲିଚାଲି କିମ୍ବା ସାଇକେଲରେ ଯାଉଥିବା ଦେଖିବାକୁ ମିଳିଥିଲା। ଅପରାହ୍ନ ପର୍ଯ୍ୟନ୍ତ ସବୁ ଠିକ୍‌ଠାକ୍ ଚାଲିଥିଲେ ମଧ୍ୟ ସନ୍ଧ୍ୟାରେ କେତେକ ଅମାନିଆ ରାସ୍ତାରେ ବୁଲିଥିଲେ। ବାଇକ୍ ଧରି ରାସ୍ତାରେ ଦ୍ରୁତଗତିରେ ଯାଉଥିବା ଦେଖିବାକୁ ମଧ୍ୟ ମିଳିଥିଲା। ସେହିପରି ରେଳଷ୍ଟେସନ ଓ ବିମାନବନ୍ଦରରୁ ଯାତ୍ରୀଙ୍କୁ କ୍ୟାବ୍ ନେବାଆଣିବା କରୁଥିବା ଦେଖିବାକୁ ମିଳିଥିଲା। ଦୁଇ ଦିନ ଧରି ପୁଲିସ କମିସନର ଓ ଡିସିପି ଯାଞ୍ଚ ବ୍ୟବସ୍ଥାକୁ ଅନୁଧ୍ୟାନ କରିଥିଲେ। ରାଜଧାନୀରେ ୪୩ଟି ଚେକ୍‌ ପୋଷ୍ଟ ସହ ୨୦ ପ୍ଲାଟୁନ୍ ଫୋର୍ସ ଓ ୧୫୦ ଅଫିସର ମୁତୟନ ହୋଇଥିଲେ।

ଧରାପଡ଼ିଲେ ୩୦୬ ଅମାନିଆ, ମଦପିଇ ତଣ୍ଡ ଗଣିଲେ ୨୩
ଭୁବନେଶ୍ବର : ଅତି ଜରୁରୀ କାମ ନ ଥିଲେ ଘରୁ ପଦାକୁ ନ ବାହାରିବାକୁ ତାଗିଦ କରିଥିଲା ପୁଲିସ। ଛକଛକରେ ଯାଞ୍ଚ ହେଉଥିଲା। ସହର ସାରା ପୁଲିସ ପଇଁତରା ମାରୁଥିଲେ। ଏତେ ସବୁ ସତ୍ତ୍ବେ କିଛି ଅମାନିଆ ଘରେ ନ ରହି ଅକ‌ା‌ରଣରେ ରାସ୍ତାକୁ ବାହାରି ଆସିଥିଲେ। ସଟ୍‌ଡାଉନ୍‌ର ଦ୍ବିତୀୟ ଦିନରେ ରାଜଧାନୀରେ ଏମିତି ତିନି ଶହରୁ ଅଧିକ ଅମାନିଆ ଧରାପଡ଼ିଛନ୍ତି। ବିନା କାରଣରେ ଘରୁ ବାହାରି ରାସ୍ତାରେ ବୁଲିବା ସହ କିଛି ଜାଣିଶୁଣି ନିୟମ ଭାଙ୍ଗି ରାସ୍ତାକଡ଼ରେ ମଦ ପିଇଛନ୍ତି। ସେମାନଙ୍କ ଠାରୁ ମଧ୍ୟ ଜରିମାନା ଆଦାୟ କରାଯାଇଛି। ଡିସିପିଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ସାମାଜିକ ଦୂରତ୍ବ ଓ ମାସ୍କ ନ ପିନ୍ଧି ବାହାରେ ବୁଲୁଥିବା ବେଳେ ୨୮୩ ଜଣ ଧରାପଡ଼ିଛନ୍ତି। ସେହିପରି ରାସ୍ତା କଡ଼ରେ ଛିଡ଼ା ହୋଇ ମଦ ପିଉଥିବା ବେଳେ ୨୩ ଜଣ ତଣ୍ଡ ଗଣିଛନ୍ତି। ମୋଟ ୩୦୬ ଜଣଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ଶନିବାର ୯୫୭ ଜଣ ଧରାପଡ଼ିଥିଲାବେଳେ ଆଜି ଅବଶ୍ୟ ଅମାନିଆଙ୍କ ସଂଖ୍ୟା କିମିଛି।

ଲୁଚାଛପାରେ ଚାଲିଲା ଆମିଷ ବେପାର, ଚିକେନ୍‌ କାଉଣ୍ଟରରେ ଭିଡ଼
ଭୁବନେଶ୍ବର : କୋଭିଡ୍ ସଂକ୍ରମଣକୁ ରୋକିବା ଲାଗି ଦୁଇଦିନିଆ ସଟଡାଉନ୍ ଘୋଷଣା କରାଯାଇଥିଲା। ରାଜଧାନୀରେ ଦୋକାନ ବଜାର ବନ୍ଦ ରହିଥିଲା। କିନ୍ତୁ କେତେକ ସ୍ଥାନରେ ଲୁଚାଛପାରେ ଖୋଲିଥିଲା ଚିକେନ୍ କାଉଣ୍ଟର୍‌। ଆଉ ସେଠାରେ ଲାଗିଥିଲା ଲୋକଙ୍କ ଭିଡ଼। ମର୍ଣ୍ଣିଂୱାକ୍‌ରେ ଆସିଥିବା କିଛି ଲୋକ ଚିକେନ୍ ମିଳୁଥିବା ଦେଖି ଘର ପାଇଁ କିଣି ନେଉଥିଲେ। ଦୋକାନୀ ବାହାରକୁ ଆସି ସେମାନଙ୍କଠାରୁ ଟଙ୍କା ନେଇ କାଉଣ୍ଟର ଭିତରକୁ ଯାଉଥିଲେ। ଭିତର ପଟୁ କବାଟ ବନ୍ଦ କରି ଚିକେନ୍ କାଟି ଲୋକଙ୍କୁ ଧରାଇ ଦେଉଥିଲେ। ସେହିପରି ଚିକେନ୍ କାଉଣ୍ଟର ପାଖେପାଖେ ମାଛ ବି କଟା ଚାଲିଥିଲା। ଶିରିପୁର, ୟୁନିଟ୍-୮, ୟୁନିଟ୍-୧ ଷ୍ଟେଟ ବ୍ୟାଙ୍କ ପଛ ପାଖ, ୟୁନିଟ୍-୨ ଖେଳ ପଡ଼ିଆ ନିକଟ, ନୟାପଲ୍ଲୀ, ବରମୁଣ୍ଡା, ଜୟଦେବବିହାର, ବାପୁଜୀନଗର, ଚନ୍ଦ୍ରଶେଖରପୁର, ମଞ୍ଚେଶ୍ବର ଆଦି ଅଞ୍ଚଳରେ ଏମିତି ଲୁଚାଛପାରେ ଚାଲିଥିଲା ଆମିଷ ବେପାର। ଏହି ଲୁଚାଛପା ବେପାର କିନ୍ତୁ ପୁଲିସ ନଜରରେ ପଡ଼ିନଥିଲା।

ସମ୍ବନ୍ଧିତ ଖବର