ଶ୍ବେତପଦ୍ମା ନାଟକ ମହୋତ୍ସବ ଉଦ୍‌ଯାପିତ, ସ୍ମୃତି: ତୁ ମୋ ଅବୁଝା ମନର…

ଭୁବନେଶ୍ବର: ସୁନ୍ଦରପୁର ଗାଁର ଅପାଠୁଆ ହରିଆ ଓ ଶିକ୍ଷିତା ଝିଅ ଝୁମୁକି ପିଲା ଦିନରୁ ଧୂଳି ଖେଳର ସାଙ୍ଗ। ଉଭୟଙ୍କ ବାପାଙ୍କ ପୁରୁଣା ପ୍ରତିଶ୍ରୁତି ମୁତାବକ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇ ସଂସାର କରନ୍ତି। ସମୟକ୍ରମେ ସେହି ଗାଁର ଡାକ୍ତରଖାନାରେ ନିଯୁକ୍ତି ପାଇ ଆସନ୍ତି ଯୁବ ଡାକ୍ତର ସିଦ୍ଧାର୍ଥ ପଟ୍ଟନାୟକ। ଝୁମୁକିର ଦେହ ଅସୁସ୍ଥ ହୁଏ ଏବଂ ଡାକ୍ତର ସିଦ୍ଧାର୍ଥଙ୍କ ଚିକିତ୍ସାରେ ସେ ଆରୋଗ୍ୟ ଲାଭ କରେ। ଘରକୁ ଯା’ ଆସ କରିବା ଭିତରେ ଝୁମୁକି ଏବଂ ସିଦ୍ଧାର୍ଥଙ୍କ ଭିତରେ ଘନିଷ୍ଠତା ବଢ଼େ। ପରେ ତାହା ଭଲପାଇବା ରୂପ ନିଏ। ଶେଷରେ ଦୁହେଁ ବିବାହ କରିବାକୁ ମନସ୍ଥ କରନ୍ତି। ଏହି ସମୟରେ ହରିଆ ବାପା ହେବାର ଖବର ପାଇ ଖୁସିରେ ଜଗନ୍ନାଥ ଦର୍ଶନ କରିବା ପାଇଁ ପୁରୀ ବାହାରି ଯାଏ। ଏହାର ସୁଯୋଗ ନେଇ ଝୁମୁକି ଓ ସିଦ୍ଧାର୍ଥ ଲୁଚି ଲୁଚି ସହରକୁ ଚାଲିଯାଆନ୍ତି। ହରିଆ ପୁରୀରୁ ଆସି ଝୁମୁକିକୁ ପାଏନି ଏବଂ ଗାଁରୁ ସହର ଗଳିକନ୍ଦି ଖୋଜି ବୁଲେ। ହେଲେ କୋଉଠି ବି ପାଏ ନାହିଁ।

ଏହି ଘଟଣାର ୩୦ ବର୍ଷ ପରେ… ଦୁଇ ମାଣ ଜମିର ମାଲିକ ହରିଆ ଦୁଇ ବାଟି ସମ୍ପତ୍ତିର ମାଲିକ ହୋଇପାରିଛି। ‌ହରିଆରୁ ହରିଶ୍ଚନ୍ଦ୍ର ନାହାକ ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏହାସହ ରାଜ୍ୟର ଶ୍ରେଷ୍ଠ କୃଷକ ଭାବେ ମନୋନୀତ ହୋଇଛି। ଏହି ସମ୍ବର୍ଦ୍ଧନା ସଭାରେ ସେ ଦେଖିଛି ତା’ର ଝୁମୁକିକୁ। ସେ ଏହି ଉତ୍ସବର ମୁଖ୍ୟ ଅତିଥି ସମାଜସେବୀ ଝୁମୁକି ପଟ୍ଟନାୟକ। ହରିଆର ଅତୀତର ସ୍ମୃତି ସବୁ ମନର ମାନସପଟ୍ଟରେ ଉଜ୍ଜୀବିତ ହୋଇଯାଇଛି। ସେ ମନେ ମନେ ଭାବିଛି, ତା’ ଝୁମୁକି କ’ଣ ତା’ ପାଖକୁ ଫେରି ଆସିବ। ସେ କ’ଣ ଏଠି ତା’ର ଅସଲ ପରିଚୟ ଦେଇଦେବ। ନା ସେ ଏମିତି କରିବନି। ସେ ପ୍ରତାରଣା କରୁ ପଛେ ଏବେ ବି ସେ ତା ଝୁମୁକିକୁ ବହୁତ ଭଲ ପାଏ।

ଶ୍ବେତପଦ୍ମା ୮ମ ନାଟକ ମହୋତ୍ସବର ଉଦ୍‌ଯାପିତ ସନ୍ଧ୍ୟାରେ ନାଟକ ‘ସ୍ମୃତି: ତୁ ମୋ ଅବୁଝା ମନର’ କାହାଣୀ ଥିଲା କିଛି ଏହିପରି। ଯାହା ଉପସ୍ଥିତ ଦର୍ଶକଙ୍କ ମଧ୍ୟରେ ରୋମାଞ୍ଚ ଭରିଦେଇଥିଲା। ନାଟ୍ୟକାର ତଥା ନିର୍ଦ୍ଦେଶକ ପ୍ରଦୀପ ବିଶ୍ବାଳଙ୍କ ରଚିତ ଏହି ନାଟକରେ ଶକ୍ତି ମିଶ୍ର ସଂଗୀତ ସଂଯୋଜନା କରିଥିବା ବେଳେ ଅଭିନୟ କରିଥିଲେ, ରଞ୍ଜନ ଦୀକ୍ଷିତ, ସନ୍ତୋଷ ପଟ୍ଟନାୟକ, ଲମ୍ବୋଦର ଦିଗଲ ଏବଂ ଅନ୍ୟାନ୍ୟ ନାଟ୍ୟଶିଳ୍ପୀ। ଆଜିର ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ଓଡ଼ିଶା ସଂଗୀତ ନାଟକ ଏକାଡେମି ଉପସଭାପତି ମନ୍ମଥ ଶତପଥୀ ଓ ସମ୍ମାନିତ ଅତିଥି ଭାବେ ନାଟ୍ୟ ନିର୍ଦ୍ଦେଶକ ତଥା ଅଭିନେତା ଧୀରେନ୍ଦ୍ରନାଥ ମଲ୍ଲିକ, ନିର୍ଦ୍ଦେଶକ ଲାଲା ବୀରେନ୍‌ ରାୟ ପ୍ରମୁଖ ଉପସ୍ଥିତ ଥିଲେ।

ଉଲ୍ଲେଖଥାଉକି, ଗତକାଲି ଉଦ୍‌ଘାଟନୀ ସନ୍ଧ୍ୟାରେ ଅନୁଷ୍ଠାନ ପକ୍ଷରୁ ପ୍ରଦୀପ ବିଶ୍ବାଳଙ୍କ ରଚିତ ମୃତ୍ୟୁଞ୍ଜୟ ଶତପଥୀଙ୍କ ନିର୍ଦ୍ଦେଶିତ ନାଟକ ‘ଅକୁହା କଥା’ ମଞ୍ଚସ୍ଥ ହୋଇଥିଲା। ଏଥିରେ ଅତିଥି ଭାବେ ବିଶିଷ୍ଟ ନାଟ୍ୟକାର ଅନନ୍ତ ମହାପାତ୍ର, ନିର୍ଦ୍ଦେଶକ ଦୋଳଗୋବିନ୍ଦ ରଥ ଓ ପ୍ରଫେସର୍‌ ସମର ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଜୀବନବ୍ୟାପୀ ସାଧନା ପାଇଁ ନାଟ୍ୟ ନିର୍ଦ୍ଦେଶକ ସୀତାକାନ୍ତ ମହାନ୍ତି, ଅଭିନେତା ମନୋଜ ପଟ୍ଟନାୟକ, ନାଟ୍ୟ ନିର୍ଦ୍ଦେଶକ ନବଦୀପ ମହାଲ୍ଲିକ, ମାଧବ ଚନ୍ଦ୍ର ମହାରଣାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର