ଧରାପଡ଼ିଲା କୁଖ୍ୟାତ ଶିବା ଗ୍ୟାଙ୍ଗ୍‌

ସୁନା‌ଚେନ୍‌, କାନଫୁଲ, ମୋବାଇଲ ଓ ବାଇକ୍ ଜବତ, ବଣିଆ ସମେତ ୩ ଗିରଫ

ଭୁବନେଶ୍ବର : ଲୁଟ୍‌, ଛିନ୍‌ତାଇ, ଚୋରି ଭଳି ସଙ୍ଗିନ୍‌ ଅପରାଧରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କ ସମେତ ଲୁଟ୍ ସୁନାଚେନ୍‌ କିଣୁଥିବା ଜଣେ ବେପାରୀକୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରିଛି। ସେମାନେ ହେଲେ, ଝରଣାସାହି ବସ୍ତିର ଶମ୍ଭୁନାଥ ମହାରଣା ଓରଫ ଶିବା, ପୁରୀ ନୂଆପଡ଼ା ଅଞ୍ଚଳର ଅଶୋକ କୁମାର ମିଶ୍ର ଓରଫ ମୁନା ଓ ଡୁମୁଡୁମା ହନୁମାନ ବସ୍ତିର ସୈରାବ ମୁଲା। ପୁଲିସ ସେମାନଙ୍କ ନିକଟରୁ ୪ଟି ସୁନା ଚେନ୍, ୨ଟି କାନଫୁଲ, ଗୋଟିଏ ‌ମୋବାଇଲ ଓ ଗୋଟିଏ ବାଇକ୍ ଜବତ କରିଛି। ଆଜି ସମସ୍ତଙ୍କୁ କୋର୍ଟଚାଲାଣ କରାଯାଇଛି।

ପୁଲିସ ସୂଚନା ମୁତାବକ, ଶିବା ଗ୍ୟାଙ୍ଗ୍‌ର ଅପରାଧୀମାନେ ରାସ୍ତାରେ ଏକୁଟିଆ ଯାଉଥିବା ମହିଳାଙ୍କୁ ଟାର୍ଗେଟ୍‌ କରନ୍ତି। ସୁବିଧା ଦେଖି ସେମାନେ ମହିଳାଙ୍କ ବେକରୁ ଚେନ୍‌ ଛିଡ଼ାଇ ନିଅନ୍ତି। ଅନେକ ଛିନ୍‌ତାଇ ମାମଲାରେ ଏମାନେ ସମ୍ପୃକ୍ତ ଥିବା ବେଳେ କେତେକ ଚୋରି ଘଟଣା ଘଟାଇଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ପୁଲିସ ପକ୍ଷରୁ କୁହାଯାଇଛି ଯେ କିଛି ଦିନ ତଳେ ପୋଖରୀପୁଟ ଅଞ୍ଚଳରେ ଜଣେ ମହିଳା ସ୍ବାମୀଙ୍କ ସହ ବାଇକ୍‌ରେ ଘରକୁ ଫେରୁଥିବା ବେଳେ ଶିବା ଓ ମୁନା ଏକ ନାଲି ରଙ୍ଗର ପଲ୍‌ସରରେ ସେମାନଙ୍କୁ ପିଛା କରିଥିଲେ। ଶିରିପୁର ଛକ ନିକଟ‌ରେ ସେମାନେ ମହିଳାଙ୍କ ବେକରୁ ‌ସୁନା ଚେନ୍ ଚିନ୍‌ତାଇ କରି ଚମ୍ପଟ ମାରିଥିଲେ। ଏ ସଂପର୍କରେ ମହିଳାଜଣଙ୍କ ଖଣ୍ଡଗିରି ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସିସିଟିଭି ଫୁଟେ୍ଜ ଯାଞ୍ଚ କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା। ଯଦୁପୁର ଫୁଟ୍‌ବଲ ପଡ଼ିଆରେ ସେମାନେ ଖଟି କରୁଥିବା ବେଳେ ପୁଲିସ୍‌ ସେଠାରେ ଚଢ଼ଉ କରି ଦୁଇଜଣଙ୍କୁ ଗିରଫ କରିଥିଲା।

ପଚରାଉଚରାରୁ ଜଣାପଡ଼ିଥିଲା ଯେ ଅଭିଯୁକ୍ତମାନେ ସହରରେ ଘଟୁଥିବା ଏମିତି ଅନେକ ଆପରାଧିକ ଘଟଣାରେ ସମ୍ପୃକ୍ତ ରହିଛନ୍ତି। ଅଗଷ୍ଟ ୧୩ ତାରିଖରେ ସେମାନେ ୟୁନିଟ୍-୧ ଅଞ୍ଚଳରୁ ଜଣେ ମହିଳାଙ୍କ ଭ୍ୟାନିଟି ବ୍ୟାଗ୍ ଛିନ୍‌ତାଇ କରିଥିଲେ। ସେଥିରେ ଗୋଟିଏ ମଙ୍ଗଳସୂତ୍ର ଓ ୬୦ହଜାର ଟଙ୍କା ଥିଲା। ସେହିପରି ଅକ୍ଟୋବର ୨୯ତାରିଖରେ ୟୁନିଟ୍-୧ ଅଞ୍ଚଳରୁ ଜଣେ ମହିଳାଙ୍କ ସୁନାଚେନ୍ ଲୁଟ କରିଥିବା ବେଳେ ଅକ୍ଟୋବର ୧୩ରେ ଡେଲ୍ଟା ଛକ ଅଞ୍ଚଳରୁ ଗୋଟିଏ ସୁନା ଚେନ୍‌ ଛିନ୍‌ତାଇ କରିଥିଲେ। ଉଭୟ ଏରୋଡ୍ରମ୍ ଅଞ୍ଚଳରୁ ଗୋଟିଏ ବାଇକ୍ ମଧ୍ୟ ଚୋରି କରିଥିବା ପୁଲିସ ପାଖରେ ସ୍ବୀକାର କରିଥିଲେ। ଲୁଟ୍‌ ସୁନାଚେନ୍‌ଗୁଡ଼ିକୁ ସେମାନେ ଡୁମୁଡୁମା ଅଞ୍ଚଳର ବଣିଆ ସୈରାବକୁ ଦେଉଥିବା ସ୍ବୀକାର କରିଥିଲେ। ତେଣୁ ପୁଲିସ୍‌ ତାକୁ ଗିରଫ କରିବା ସହ ତା’ ନିକଟରୁ ଛିଣ୍ଡା ଅବସ୍ଥାରେ ଥିବା ୩ଟି ସୁନାଚେନ୍‌ ଜବତ କରିଥିଲା। ପୁଲିସ୍‌ କହିଛି, ଗିରଫ ଅଭିଯୁକ୍ତମାନେ ଜଣେ ଜଣେ ପେସାଦାର ଅପରାଧୀ। ଶିବା ନାଁରେ ପୂର୍ବରୁ ଭୁବନେଶ୍ବରର ବିଭିନ୍ନ ଥାନାରେ ୧୧ଟି ଆପରାଧିକ ମାମଲା ରହିଥିବା ବେଳେ ମୁନା ନାଁରେ ୩ଟି ଓ ସୈରାବ ନାଁରେ ୨ଟି ମାମଲା ରହିଛି।

ସମ୍ବନ୍ଧିତ ଖବର