ଶିବାନନ୍ଦ ସ୍କୁଲ୍‌ ଶିକ୍ଷା ଓ ନୈତିକତାର ପ୍ରୟୋଗଶାଳା

ସ୍କୁଲ୍‌ରେ ଖୋଲିଲା +୨ ଏକାଡେମିକ ବ୍ଲକ୍‌

ଭୁବନେଶ୍ବର: ଶିବାନନ୍ଦ ଶତବାର୍ଷିକ ବାଳକ ଉଚ୍ଚ ବିଦ୍ୟାଳୟ ଶିକ୍ଷା ଓ ନୈତିକତାର ପ୍ରୟୋଗଶାଳା। ଏଠାରୁ ଶିକ୍ଷା ଆହରଣ କରୁଥିବା ଛାତ୍ର କେବଳ ନିଜ ପାଇଁ ନୁହେଁ, ସମାଜ ପାଇଁ ମଧ୍ୟ ତା’ର ଅବଦାନ ରଖିବ ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଦ୍ୟାଳୟର ନବନିର୍ମିତ ଏକାଡେମିକ୍‌ ବ୍ଲକ୍‌, ହଷ୍ଟେଲ୍‌ ବ୍ଲକ୍‌ ଓ ସ୍ବାମୀ ଶିବାନନ୍ଦ ଆକ୍ଟିଭିଟି କେନ୍ଦ୍ର ଉଦ୍‌ଘାଟନ କରିବା ଅବସରରେ ସେ ଏହା କହିଛନ୍ତି।

ସାଂସଦ ଅପରାଜିତା ଷଡ଼ଙ୍ଗୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ଛୋଟ ପିଲାମାନେ ବଡ଼ ବଡ଼ ସ୍ବପ୍ନ ଦେଖନ୍ତୁ। ସ୍ବପ୍ନ ଦେଖିବା ପାଇଁ ସେମାନଙ୍କ ନିମନ୍ତେ ଏକ ଅନୁକୂଳ ବାତାବରଣ ସୃଷ୍ଟି ହେଉ। ଅନୁଶାସନ, ଶିକ୍ଷା ପଦ୍ଧତି ଓ ବାତାବାରଣ ଦୃଷ୍ଟିରୁ ଏହି ବିଦ୍ୟାଳୟ ଉଦାହରଣ ହୋଇଥିବାରୁ ଏହି ଅନୁଷ୍ଠାନରୁ ପିଲାମାନେ ଫାଇଦା ନିଅନ୍ତୁ ବୋଲି ସେ କହିଥିଲେ। ସ୍କୁଲ୍‌ ପରିଚାଳନା କମିଟି ଓ ଶାନ୍ତି ପୀଠର ସଭାପତି ସ୍ବାମୀ ନିର୍ଲିପ୍ତାନନ୍ଦ ସରସ୍ବତୀ ମହାରାଜ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ସ୍କୁଲ୍‌ରେ ପ୍ରଦାନ କରାଯାଉଥିବା ଶିକ୍ଷା ପଦ୍ଧତି ସମ୍ପର୍କରେ ଆଲୋକପାତ କରିଥିଲେ। ସ୍କୁଲ୍‌ ପରିଚାଳନା କମିଟିର ସମ୍ପାଦକ ସ୍ବାମୀ ଶିବଚିଦାନନ୍ଦ ସରସ୍ବତୀ ସ୍ବାଗତ ଭାଷଣ ଦେଇଥିବା ବେଳେ ଯୁଗ୍ମ ସମ୍ପାଦକ ସ୍ବାମୀ ଜଗନ୍ନାଥାନନ୍ଦ ସରସ୍ବତୀ ଅଭିଭାଷଣରେ ନୈତିକ ଶିକ୍ଷାର ପ୍ରାସଙ୍ଗିକତା ସମ୍ବନ୍ଧରେ କହିଥିଲେ। ସ୍କୁଲ୍‌ ପରିଚାଳନା କମିଟିର ସଭ୍ୟ ସତ୍ୟେନ୍ଦ୍ର ନାରାୟଣ ତ୍ରିପାଠୀ, ରାଜୀବ ଶେଖର ସାହୁ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ପୂର୍ବରୁ ଏହି ଆବାସିକ ବିଦ୍ୟାଳୟରେ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପଢ଼ୁଥିବା ବେଳେ ଏବେ +୨ ବିଜ୍ଞାନ ଓ ବାଣିଜ୍ୟ ବିଷୟ ଅଧ୍ୟୟନ କରିବାର ସୁଯୋଗ ମିଳିବ। ୨୪୦ ପିଲାଙ୍କ ପାଇଁ ରହିବା ଓ ପଢ଼ିବାର ବନ୍ଦୋବସ୍ତ ହେବ। ଏହି ଅବସରରେ ନୂଆ ବିଲ୍‌ଡିଂ ନିର୍ମାଣରେ ସହାୟତା ଯୋଗାଇ ଦେଇଥିବା ‘ଓଏନ୍‌ଜିସି’ ଏବଂ ବିଲ୍‌ଡିଂ ନିର୍ମାଣ କରିଥିବା ଏସ୍‌ପିଡି କନ୍‌ଷ୍ଟ୍ରକ୍ସନକୁ ସମ୍ବର୍ଧିତ କରାଯାଇଥିଲା। ଆର୍କିଟେକ୍ଟ ଭବାନୀ ଶଙ୍କର ମିଶ୍ର ପାୱାର ପଏଣ୍ଟ୍‌ ଉପସ୍ଥାପନା ସହ ଆଗାମୀ ଦିନରେ ସ୍କୁଲ୍‌ ପରିସରରେ ଏକ କ୍ରୀଡ଼ା କମ୍ପ୍ଲେକ୍ସ ନିର୍ମାଣ ହେବା ସମ୍ପର୍କରେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର