ଶିବସୁନ୍ଦର ଅପହରଣ ମାମଲା, ୩ ଗିରଫ

ଭଡ଼ା ଆଳରେ କାର୍‌ ଲୁଟି ଫସିଲେ

ଭୁବନେଶ୍ୱର: ଶିବସୁନ୍ଦର ଦାସ ଅପହରଣ ମାମଲାରେ କମିସନରେଟ୍‌ ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ସ୍ପେଶାଲ ସ୍କ୍ବାଡ୍‌ ସହାୟତାରେ ନୟାଗଡ଼ ଓ କଟକର ବିଭିନ୍ନ ସ୍ଥାନରେ ଚଢ଼ଉ କରି ୩ ଜଣ ଲୁଟେରାଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ୩ଟି ଲୁଟ୍‌ କାର୍‌ ଜବତ କରିଛି। ତା’ ସହିତ ଦୁଇଟି ବାଇକ୍‌ ଓ ଗୋଟିଏ ମୋବାଇଲ ଫୋନ୍‌ ମଧ୍ୟ ଜବତ ହୋଇଛି। ଅଭିଯୁକ୍ତମାନେ ହେଉଛନ୍ତି, ଓଡ଼ଗାଁ ହରିପୁରର ପଦ୍ମଲୋଚନ ନାଏକ, କଟକ ପୁରୁଣା ତିଗିରିଆର କଳ୍ପତରୁ ଜେନା ଓରଫ ପପି ଓ କଟକ ଅରଖପାଟଣା(ମାଟିକୋଟା)ର ମୁନା ବାରିକ। ଏହି ମାମଲାରେ ଅପହରଣ ଘଟଣା ଦିନ ଅପରାଧୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଦୁଇଟି କାର୍‌ ଓ ଏକ ବନ୍ଧୁକ ଜବତ ହୋଇଥିଲା ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସତ୍ୟଜିତ ମହାନ୍ତି ଓ ଡିସିପି ଅନୁପ କୁମାର ସାହୁ ସୂଚନା ଦେଇଛନ୍ତି। ତା’ ଛଡ଼ା ଏହି ଲୁଟ୍‌ କାର୍‌କୁ କମ୍‌ ମୂଲ୍ୟରେ କିଣି ଢେଙ୍କାନାଳର ସନ୍ତୋଷ ସାହୁ ମଧ୍ୟ ବନ୍ଧା ହୋଇଛନ୍ତି। ତାଙ୍କୁ ସହିଦ ନଗର ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତ ମାନେ ଗାଡ଼ି ଭଡ଼ାରେ ନେଇ ଲୁଟ୍‌ କରି ପୁଲିସ ଜାଲରେ ଫସି ଯାଇଛନ୍ତି।

ଜବତ ହୋଇଥିବା ଗାଡ଼ିଗୁଡ଼ିକ ମଧ୍ୟରେ କଟକ ମଧୁପାଟଣାରୁ ଲୁଟ୍‌ ହୋଇଥିବା ସୁଇଫ୍ଟ ଡିଜାୟାର(ଓଡି୦୨ଏୟୁ-୩୯୮୧), ଆଠଗଡ଼-ଢେଙ୍କାନାଳ ରାସ୍ତାରୁ ଲୁଟ୍‌ ହୋଇଥିବା ଇନୋଭା କାର୍‌(ଓଡି୦୨ଏନ୍‌-୯୪୩୪) ଓ କେଶୁରା ଛକରୁ ଲୁଟ୍‌ ହୋଇଥିବା ଇଣ୍ଡିଗୋ ସିଏସ୍‌(ଓଡି୦୨ଏଲ୍‌-୧୮୧୪)। କେଶୁରା ଓ ମଧୁପାଟଣାରୁ ଲୁଟ୍‌ ହୋଇଥିବା ଶୈଳୀ ଗୋଟିଏ ପ୍ରକାରର ଥିଲା। ଚାଳକକୁ ମାଡ଼ ମାରି ଗାଡ଼ି ଲୁଟି ନେଇଥିବା ବେଳେ ଢେଙ୍କାନାଳ-ଆଠଗଡ଼ ରାସ୍ତାରେ ଲୁଟ୍‌ ହୋଇଥିବା ଶୈଳୀ ଭିନ୍ନ ଥିଲା। ଭୁବନେଶ୍ବରରୁ ଇନୋଭା ଭଡ଼ାରେ ନେଇ ବାଟରେ ଚାଳକକୁ ମାଡ଼ ମାରି ଗାଡ଼ି ନେଇ ଯାଇଥିଲେ। ଗାଡ଼ି ବୁକିଂକୁ ନେଇ କଥାବାର୍ତ୍ତା ହୋଇଥିବା ମୋବାଇଲ୍‌ରେ ଫୋନ୍‌ ନମ୍ବରରୁ ହିଁ ପୁଲିସକୁ ଅପରାଧୀଙ୍କ ପାଖରେ ପହଞ୍ଚିବାର ସୁରାକ୍‌ ମିଳିଥିଲା। ଏ ନେଇ କମିସନର ଶ୍ରୀ ମହାନ୍ତି କହିଛନ୍ତି, ଏମାନେ ଏଭଳି ଆହୁରି ଅନେକ ଅପରାଧରେ ଜଡ଼ିତ ଅଛନ୍ତି। ଆହୁରି ୫ରୁ ୬ ଜଣ ଏଥିରେ ସାମିଲ ଥିବା ବେଳେ ମୁଖ୍ୟ ଅଭିଯୁକ୍ତ ମଧ୍ୟ ଫେରାର ରହିଛି। ସମସ୍ତଙ୍କୁ ଚିହ୍ନଟ କରାଯାଇଛି। କେତେକ ଲୁଟ୍‌ ଗାଡ଼ି ମଧ୍ୟ ଜବତ ହେବା ଆଶା ରହିଛି।

କେମିତି ଫସିଲେ: ଗତ ମାସ ୭ ତାରିଖରେ ନୟାପଲ୍ଲୀ ଅଞ୍ଚଳର ଶିବସୁନ୍ଦରଙ୍କୁ ଅପହରଣ ଉଦ୍ୟମରେ ଅପରାଧୀ ଫେଲ୍‌ ମାରିଥିଲେ। ଘଟଣାକୁ ମାସେ ପୂରିବାକୁ ଯାଉଥିଲେ ମଧ୍ୟ ପୁଲିସ ଅପରାଧୀଙ୍କ ଟେର୍‌ ପାଉନଥିଲା। ଇତିମଧ୍ୟରେ ଶିଶୁପାଳଗଡ଼ରେ ରହୁଥିବା ତ୍ରିନାଥ ସାହୁ ଭୁବନେଶ୍ବର ଡିସିପିଙ୍କ ପାଖରେ ପହଞ୍ଚି ଜଣାଇଥିଲେ ଯେ, ଗତ ଅପ୍ରେଲ ୨୦ ତାରିଖରେ ବିଜେବି ନଗରରେ ଥିବା ପିସି ଟ୍ରାଭେଲ୍ସ ଜରିଆରେ ଢେଙ୍କାନାଳ ଯିବା ପାଇଁ ତାଙ୍କର ଇଣ୍ଡିଗୋ ଗାଡ଼ିକୁ କେତେକ ଯୁବକ ବୁକିଂ କରିଥିଲେ। କନ୍ଦରପୁର ଠାରେ ଆଉ ଦୁଇଜଣ ଯୁବକ ଗାଡ଼ିରେ ଯିବା ପାଇଁ ଆସିଥିଲେ। ଗାଡ଼ି ରହିବା ପରେ ୪ ଜଣ ଗ୍ରାହକ ଚାଳକ ବାଙ୍କିର ରମେଶ ଚନ୍ଦ୍ର ପ୍ରଧାନଙ୍କୁ ମାଡ଼ ମାରିବା ସହ କାମୁଡ଼ି ଦେଇ ଭୟଭୀତ କରିଥିଲେ। ରମେଶଙ୍କୁ କିଛିବାଟ ନେଇ ଗାଡ଼ିରୁ ଠେଲି ଦେଇଥିଲେ। ଏ ନେଇ ଆଠଗଡ଼ ଥାନାରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ପୁଲିସ ବୁଝୁନାହିଁ ବୋଲି ସେ ଡିସିପିଙ୍କୁ ଅଭିଯୋଗ କରିଥିଲେ। ଡିସିପି ଶ୍ରୀ ସାହୁ ସମ୍ପୃକ୍ତ ଗ୍ରାହକ ତଥା ଲୁଟେରାଙ୍କ ଫୋନ୍‌ ନମ୍ବରକୁ ନେଇ ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ବେଳେ ଜଣକ ପରେ ଜଣେ ପୁଲିସ ପଞ୍ଝାକୁ ଆସିଥିଲେ।

ସମ୍ବନ୍ଧିତ ଖବର