ଭୁବନେଶ୍ବର/ବାରଙ୍ଗ: ନନ୍ଦନକାନନ ପିଛା ଛାଡ଼ୁନି ବିବାଦ। ଗୋଟିଏ ପରେ ଗୋଟିଏ ଘଟଣା ଦ୍ବାରା ବଦନାମ ମୁଣ୍ଡାଉଛି ରାଜ୍ୟର ଏହି ପ୍ରାଣୀ ଉଦ୍ୟାନ। ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ବିବାଦ ଚାଲିଥିବା ବେଳେ ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜାନୁଆରିରୁ ଏପର୍ଯ୍ୟନ୍ତ ୪୦ରୁ ଅଧିକ ବନ୍ୟଜନ୍ତୁଙ୍କ ଜୀବନ ଗଲାଣି। ଏକାଧିକ ବନ୍ୟଜନ୍ତୁ ଅସୁସ୍ଥ ହୋଇପଡ଼ିଛନ୍ତି। ପ୍ରତି ସପ୍ତାହରେ ଓୟୁଏଟିର ବିଶେଷଜ୍ଞମାନେ ପ୍ରାଣୀଉଦ୍ୟାନରେ ବନ୍ୟଜନ୍ତୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି। ତା’ପରେ ବି ବିପଦ ଟଳିନି। ଗତ ମାସରେ ବାଘ ମୃତ୍ୟୁକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ବିରଳ ପ୍ରଜାତିର ଓଟପକ୍ଷୀ ଅସୁସ୍ଥ ହୋଇପଡ଼ିଛି।
୧୩ରୁ ଅଧିକ ଜୀବଜନ୍ତୁଙ୍କ ଚିକିତ୍ସା ଚାଲିଛି
୩ ଦିନରେ ମଲେଣି ଦୁଇ ନୀଳଗାଈ ଶାବକ
ପ୍ରାଣୀ ଉଦ୍ୟାନର ୭୧ ‘କ’ ନମ୍ବର ଖୁଆଡ଼ରେ ରହୁଥିବା ୮ବର୍ଷର ଏକ ଅଣ୍ଡିରା ଓଟପକ୍ଷୀ ଅସୁସ୍ଥ ହୋଇଛି। ତା’ ବାମ ଆଖିରେ ଫୁଲା ହୋଇଥିବାରୁ ସେ ଠିକ୍ ଭାବେ ଖିଆପିଆ କରୁନାହିଁ। ପ୍ରାଣୀ ଚିକିତ୍ସକମାନେ ତା’ ସ୍ବାସ୍ଥ୍ୟ ନିରୀକ୍ଷଣ କରିଛନ୍ତି। ଓଟପକ୍ଷୀର ଆଖିରେ ଔଷଧ ପକାଇବା ସହ ପ୍ରତିଷେଧକ ଦେଇ ଚିକିତ୍ସା କରାଯାଉଛି। ୨୦୧୪ ଅକ୍ଟୋବର ୩ରେ ଚେନ୍ନାଇସ୍ଥିତ ତାମିଲନାଡ଼ୁ ପ୍ରାଣୀ ଚିକିତ୍ସା ଓ ପ୍ରାଣୀ ବିଜ୍ଞାନ ବିଶ୍ବବିଦ୍ୟାଳୟରୁ ୫ଲକ୍ଷ ଟଙ୍କାରେ ଦୁଇ ହଳ ଓଟପକ୍ଷୀଙ୍କୁ ଅଣାଯାଇଥିଲା। ଏମାନଙ୍କ ମଧ୍ୟରୁ ଗୋଟିଏ ମାଈ ଓଟପକ୍ଷୀର ୨୦୧୮ ଅକ୍ଟୋବର ୧୨ରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଏକ ମାଈର କିଛି ମାସ ତଳେ ମୃତ୍ୟୁ ହୋଇଥିଲା। ଏବେ ନନ୍ଦନକାନନରେ ସମବୟସ୍କ ଦୁଇଟି ଅଣ୍ଡିରା ଓଟପକ୍ଷୀ ଅଛନ୍ତି। ଅସୁସ୍ଥ ଓଟପକ୍ଷୀର ଯଦି କୌଣସି ଅସୁବିଧା ହୁଏ, ତେବେ ପ୍ରାଣୀଉଦ୍ୟାନରେ ମାତ୍ର ଗୋଟିଏ ଅଣ୍ଡିରା ରହିବ। ଏହାର ବଂଶ ବୃଦ୍ଧି ବଦଳରେ ବଂଶନାଶ ଆଡ଼କୁ ମୁହାଁଇବ।
ସେପଟେ ୬୫ ନମ୍ବର ଖୁଆଡ଼ରେ ଥିବା ନୀଳଗାଈ ଘରେ ୩ ଦିନରେ ଦୁଇଟି ଶାବକଙ୍କର ମୃତ୍ୟୁ ହୋଇଛି। ଶାବକ ଦୁଇଟି ୫ଦିନ ତଳେ ଜନ୍ମଲାଭ କରିଥିଲେ। ଏମାନଙ୍କ ମା’ ପ୍ରଥମ ଗର୍ଭ ପ୍ରସବ କରିଥିବାରୁ ପିଲାର ଯତ୍ନ ସେମାନଙ୍କୁ ଜଣା ନଥିଲା। ଫଳରେ ସେମାନେ ଖୁଆଡ଼ରେ ଥିବା ଅନ୍ୟ ଦୁଇଟି ଦୁଇ ମାସର ଛୁଆଙ୍କୁ କ୍ଷୀର ପିଆଉଥିଲେ। ଶାବକ ଦୁଇଟିଙ୍କର ଅନାହାରରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଦୁଇ ଶାବକଙ୍କ ମୃତ୍ୟୁ ପରେ ନନ୍ଦନକାନନରେ ଆଉ ମୋଟ ୧୮ଟି ନୀଳଗାଈ ଅଛନ୍ତି। କିଛି ଦିନ ମଧ୍ୟରେ ସମ୍ବର ଓ ବଜ୍ରକାପ୍ତାର ମୃତ୍ୟୁ ହୋଇଛି। ଗତ ସପ୍ତାହରେ ଅସୁସ୍ଥ ହୋଇପଡ଼ିଥିବା ୧୨ରୁ ଅଧିକ ବନ୍ୟଜନ୍ତୁଙ୍କ ସ୍ବାସ୍ଥ୍ୟବସ୍ଥାରେ ସେଭଳି ଉନ୍ନତି ଆସିନାହିଁ। ନିୟମିତ ଚିକିତ୍ସା ଚାଲିଥିଲେ ବି ସେମାନେ ସୁସ୍ଥ ହେଉ ନଥିବାରୁ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ିଯାଇଛି। ଧଳା ବାଘୁଣୀ ‘ବିଜୟା’ ଓ ସିଂହୀ ‘ବିଜ୍ଲି’ ଠିକ୍ ଭାବେ ଖାଦ୍ୟ ଗ୍ରହଣ କରୁ ନାହାନ୍ତି। ୪ହଳ ଶାଗୁଣା(୪ ମାଈ ଓ ୪ ଅଣ୍ଡିରା), ଭାଲୁ, ସମ୍ବର ଏବେ ବି ଅସୁସ୍ଥ ହୋଇ ପଡ଼ିଛନ୍ତି। ସେମାନଙ୍କ ଚିକିତ୍ସା ଜାରି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/33-17.jpg)