ପୁରୁଣା ଭୁବନେଶ୍ବର: ସେଭେନ୍ଥ ସମିଟ୍ ଲକ୍ଷ୍ୟ ହାସଲ ପାଇଁ ଉଦ୍ୟମ ଚଳାଇଥିବା ସିଦ୍ଧାର୍ଥ ରାଉତରାୟ ଆଣ୍ଟାର୍କଟିକାର ସର୍ବୋଚ୍ଚ ଗିରିଶୃଙ୍ଗ ମାଉଣ୍ଟ ଭିନ୍ସନ୍ ଶୀର୍ଷରେ ପହଞ୍ଚିଛନ୍ତି। ସେଠାରେ ସେ ତ୍ରିରଙ୍ଗା ସହ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀଲିଙ୍ଗରାଜଙ୍କ ପତାକା ଉଡ଼ାଇଛନ୍ତି। ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥଙ୍କ ଏହି ସଫଳତା ପରେ ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସାର ସୁଅ ଛୁଟିଛି। ପ୍ରକାଶଯୋଗ୍ୟ, ଏହି ଗିରିଶୃଙ୍ଗ ଚଢ଼ିବାରେ ସିଦ୍ଧାର୍ଥ ହେଉଛନ୍ତି ପ୍ରଥମ ଓଡ଼ିଆ ଯୁବକ। ପୂର୍ବରୁ ସେ ଚାରିଟି ମହାଦେଶର ସର୍ବୋଚ୍ଚ ଗିରିଶୃଙ୍ଗ ଚଢ଼ି ସାରିଛନ୍ତି।
ଡିସେମ୍ବର ୧୭ ତାରିଖରେ ସେ ଏହି ଗିରିଶୃଙ୍ଗ ଚଢ଼ିବା ଆରମ୍ଭ କରିଥିଲେ ଏବଂ ଗତକାଲି ରାତି ୨ଟାରେ ସେ ସେଠାରେ ପହଞ୍ଚି ସାମାଜିକ ଗଣମାଧ୍ୟମରେ ଫଟୋ ପୋଷ୍ଟ କରିଛନ୍ତି। ବିଧାୟକ ଶ୍ରୀ ରାଉତରାୟ ସିଦ୍ଧାର୍ଥଙ୍କ ଏହି ସଫଳତା ପାଇଁ ଓଡ଼ିଶାବାସୀଙ୍କୁ ଶ୍ରେୟ ଦେଇଛନ୍ତି। ଲୋକମାନଙ୍କ ଆଶୀର୍ବାଦ, ସ୍ନେହ, ସଦିଚ୍ଛା ପାଇଁ ସିଦ୍ଧାର୍ଥ ଏହି ସଫଳତା ହାସଲ କରିପାରିଛି ବୋଲି ସେ ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି।