ବର୍ଷାରେ ବେହାଲ ଏକାମ୍ର କ୍ଷେତ୍ରର ଐତିହ୍ୟସ୍ଥଳୀ : ଠାକୁର ବୁଡ଼ିଲେ, ସିଦ୍ଧି ବିନାୟକ ମନ୍ଦିରରୁ ଗଳୁଛି ପାଣି, ଦୁର୍ବଳ ହେଉଛି ମନ୍ଦିର

ପୁରୁଣା ଭୁବନେଶ୍ୱର : ଲଗାଣ ବର୍ଷା ଯୋଗୁଁ ଏକାମ୍ର କ୍ଷେତ୍ରର କେତେକ ଐତିହ୍ୟସ୍ଥଳୀରେ ପାଣି ଜମି ରହିଛି। କେବଳ ‌ଐତିହ୍ୟସ୍ଥଳୀ ନୁହେଁ, ବହୁ ସ୍ଥାନରେ ଲୋକଙ୍କ ଘରେ ପାଣି ପଶି ଯାଇଛି। ଅଧିକାଂଶ ସ୍ଥାନର ରାସ୍ତାରେ ବି ପାଣି ଜମି ରହିବାରୁ ସମସ୍ୟା ଲାଗି ରହିଛି। ବର୍ଷା‌ରେ ଲୋକେ ବେହାଲ ହୋଇଥିବା ବେଳେ ଠାକୁରଙ୍କ ନୀତିକାନ୍ତି ପ୍ରଭାବିତ ହୋଇଛି।

ବର୍ଷାରେ ମେଘେଶ୍ୱର ମନ୍ଦିରରୁ ପାଣି ଝରୁଥିବା ବେଳେ ବୈତାଳ ମନ୍ଦିର, ଶିଶିରେଶ୍ୱର ମନ୍ଦିର, ଗୋସାଗରେଶ୍ୱର ମନ୍ଦିର ପରିସରରେ ପାଣି ଜମି ରହିଥିଲା। ଗୋସାଗରେଶ୍ବର ମନ୍ଦିର ପରିସରରେ ଥିବା ପଦାରେଶ୍ବର, ଈଶାନେଶ୍ବର ସଂପୂର୍ଣ୍ଣ ବୁଡ଼ି ରହିଛନ୍ତି। ଗୋସାଗରେଶ୍ବର ମନ୍ଦିରରେ ମହାଦେବ ଓ ମେଘେଶ୍ବର ମହାଦେବ ପାଣିରେ ବୁଡ଼ି ଯାଇଥିଲେ।

ବର୍ଷାରେ ଶ୍ରୀଲିଙ୍ଗରାଜ ମନ୍ଦିରର ସିଦ୍ଧି ବିନାୟକ ମନ୍ଦିରରେ ଅବସ୍ଥା ସଙ୍ଗିନ ହୋଇଯାଇଛି। ମନ୍ଦିରରେ ପାଣି ଗଳୁଛି। ଏପରିକି ବର୍ଷ‌ା ପାଣିରେ ମନ୍ଦିର କାନ୍ଥ ସବୁ ଓଦା ହୋଇ ରହିଥିବାରୁ ବିଦ୍ୟୁତ୍ ପ୍ରବାହିତ ହୋଇ କରେଣ୍ଟ୍‌ ମାରୁଛି। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ପକ୍ଷରୁ ନିୟମିତ ଭାବେ ଅନୁଧ୍ୟାନ କରାଯାଉ ନ ଥିବାରୁ ଏପରି ସମସ୍ୟା ଦେଖା ଦେଇଥିବା ସେବାୟତମାନେ ଅଭିଯୋଗ କରିଛନ୍ତି। ଗତକାଲି ଓ ଆଜିର ଲଗାଣ ବର୍ଷାରେ କେତେକ ମନ୍ଦିରରୁ ପାଣି ଗଳୁଛି। ମନ୍ଦିରର ଗର୍ଭ ଗୃହରେ ପାଣି ଧାର ଲାଗି ରହୁଛି। ଦୀର୍ଘ ଦେଢ଼ବର୍ଷ ହେଲା ଏପରି ସମସ୍ୟା ଲାଗି ରହିଥିଲେ ହେଁ ଏଏସ୍‌ଆଇ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ନିୟମିତ ପାଣି ଗଳୁଥିବାରୁ ମନ୍ଦିର ଦିନକୁ ଦିନ ଦୁର୍ବଳ ହେଉଥିବା କୁହାଯାଉଛି। ସିଦ୍ଧି ବିନାୟକ ମନ୍ଦିରର ପୂଜକ ରିତୁ ମକଦ୍ଦମ କୁହନ୍ତି ସାମାନ୍ୟ ବର୍ଷା ହେଲେ ମନ୍ଦିରରୁ ପାଣି ଗଳୁଛି। ଏନେଇ ଏଏସ୍‌ଆଇ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ। ଏକାଦଶ ଶତାବ୍ଦୀରେ ରାଜା ଯଯାତି କେ‌ଶରୀଙ୍କ ଦ୍ୱାରା ମୁଖ୍ୟ ମନ୍ଦିର ତିଆରି ବେଳେ ଏହା ନିର୍ମିତ ହୋଇଥିଲା। ୧୯୫୮ ମସିହାରେ ଏଏସ୍‌ଆଇ ଏହି ମନ୍ଦିର ଗୁଡ଼ିକର ରକ୍ଷଣାବେକ୍ଷଣା ଦାୟିତ୍ୱ ନେଇଥିଲା।

ଅପରପକ୍ଷରେ ଲଗାଣ ବର୍ଷା ହେବା ପରେ ଲୁଇସ୍ ରୋଡ୍‌ ନିକଟ ଗୌରୀ ଗାର୍ଡେନ୍‌ରେ ପାଣି ପଶିଥିଲା। ତେବେ ସେଠାରେ ମଟର ଲଗାଯାଇ ପାଣି ଉଠାଯାଇଥିଲା। ସେହିପରି ଭୀମଟାଙ୍ଗି ତଳ ଫେଜ୍ ବସ୍ତି, ନାରାୟଣୀ କ୍ଲବ୍‌ ରୋଡ୍‌, ଭୀମଟାଙ୍ଗି ଉପର ଫେଜ୍ ଅଟାକଳ ଗଳିରେ ପାଣି ଜମି ରହିଥିଲା। ଭୀମଟାଙ୍ଗୀ ତଳ ଫେଜ୍‌ରେ କିଛି ଲୋକଙ୍କ ଘରେ ପାଣି ପଶିଯାଇଥିଲା। ସେଠାରେ ରହୁଥିବା ଲୋକ ନିଜ ଉଦ୍ୟମରେ ଘରୁ ପାଣି ବାହାର କରିଥିଲେ। ତେବେ ନାରାୟଣୀ କ୍ଲବ ରାସ୍ତାରେ ଲୋକେ ଆଣ୍ଠୁଏ ପାଣିରେ ପଶି ଯିବା ଆସିବା କରିଥିଲେ। ସେହିପରି ଟଙ୍କପାଣି ରୋଡ୍‌ରେ ଜଗନ୍ନାଥ ଆଶ୍ରମ ଛକରେ ପାଣି ଜମିଥିବା ବେଳେ ବଡ଼ଗଡ଼ ବ୍ରିଟ୍‌ କଲୋନି ଇଏ କଲୋନିରେ ଲୋକଙ୍କ ଘରେ ପାଣି ପଶି ଯାଇଥିଲା। ମେଘେଶ୍ବର ‌କଲୋନିରେ ମଧ୍ୟ ବର୍ଷା ପାଣି ପଶିଥିଲା। ଫଳରେ ଲୋକେ ବାହାରକୁ ବାହାରିବା ମୁସ୍କିଲ ହୋଇଯାଇଥିଲା। ନୂଆଗାଁ ଛକରୁ ପଞ୍ଚାୟତକୁ ଯିବା ରାସ୍ତାରେ ପାଣି ଜମି ରହିବା ଫଳରେ ଯିବା ଆସିବାରେ ଲୋକେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗିଥିଲେ।

ସମ୍ବନ୍ଧିତ ଖବର