ଏଆର୍‌ସି ପାଇଁ ଏସ୍‌ଆଇଡିଆର୍‌ ୱାର୍କସପ୍‌ରେ ଅଚଳାବସ୍ଥା, ଖତ ଖାଉଛି ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି, ବସି ବସି ଯାଉଛନ୍ତି ୱାର୍କସପ୍ କର୍ମଚାରୀ

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲ ପରିସରରେ ରହିଛି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ। ଏହାର ଅଧୀନରେ ରହିଛି ରାଜ୍ୟ ଭିନ୍ନକ୍ଷମ ପୁନର୍ବାସ ପ୍ରତିଷ୍ଠାନ (ଏସ୍‌ଆଇଡିଆର)। ତେବେ ଏସ୍‌ଆଇଡିଆରରେ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର (ଏଆରସି) ପ୍ରତିଷ୍ଠା ହେବା ପରେ ଏସ୍‌ଆଇଡିଆରର ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ୱାର୍କସପ୍ ୟୁନିଟ୍‌ ବନ୍ଦ ହୋଇଯାଇଛି। ଏହି ୱାର୍କସପ୍‌ରେ ଥିବା ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ଏବେ ଖତ ଖାଉଛି। ଏହାସହ ୱାର୍କସପ୍‌ରେ କାର୍ଯ୍ୟରତ କର୍ମଚାରୀ ଖାଲି ବସି ବସି ଘରକୁ ଫେରୁଛନ୍ତି।

ଏସ୍‌ଆଇଡିଆର କ୍ୟାମ୍ପସ୍‌ରେ ମୂକ ଓ ବଧିର, ମାନସିକ, ଦୃଷ୍ଟିବାଧିତ ଓ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ରୋଗୀ ଆଦି ୫ପ୍ରକାରର ଭିନ୍ନକ୍ଷମ ବ୍ୟକ୍ତିଙ୍କ ଚିକିତ୍ସା କରାଯାଉଛି। କିଛି ଦିନ ହେବ ଏସ୍‌ଆଇଡିଆର ପରିସରରେ ଏଆରସି କାର୍ଯ୍ୟକ୍ଷମ ହୋଇଛି। ଏଥିରେ ପକ୍ଷାଘାତର ଶିକାର ହୋଇଥିବା ବ୍ୟକ୍ତିମାନଙ୍କ ପାଇଁ ରୋବୋଟିକ୍‌ ଥେରାପି ସହ ମେସିନ୍ ସହାୟତାରେ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ନିର୍ମାଣ ୟୁନିଟ୍‌ ପ୍ରତିଷ୍ଠା ହୋଇଛି। ଏଆରସି ପ୍ରତିଷ୍ଠା ପାଇଁ କୋଟି କୋଟି ଟଙ୍କା ଖର୍ଚ କରାଯାଇଛି। କିନ୍ତୁ ଏସ୍‌ଆଇଡିଆରରେ ପୂର୍ବରୁ କାର୍ଯ୍ୟକ୍ଷମ ଥିବା ୱାର୍କସପ୍‌ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ଏହି ୱାର୍କସପ୍ ପାଇଁ ୫ଜଣ କର୍ମଚାରୀ ରହିଥିବା ବେଳେ ତହିଁରୁ ୨ଜଣ କର୍ମଚାରୀ ଫିଜିଓଥେରାପି ୟୁନିଟ୍‌ରେ କାର୍ଯ୍ୟ କରୁଥିବା ବେଳେ ଅନ୍ୟମାନଙ୍କ ପାଇଁ କୌଣସି କାମ ନାହିଁ। ଗତ କିଛି ମାସ ହେବ କର୍ମଚାରୀମାନେ ବିନା କାମରେ ବସି ରହିଛନ୍ତି। ଆଗାମୀ ଦିନରେ ସେମାନଙ୍କ ଭବିଷ୍ୟତକୁ ନେଇ କର୍ମଚାରୀମାନେ ସନ୍ଦେହରେ ରହିଛନ୍ତି।

ଅପରପକ୍ଷରେ ୱାର୍କସପ୍‌ରେ ରହିଥିବା ଲକ୍ଷାଧିକ ଟଙ୍କାର କିଛି ଯନ୍ତ୍ରପାତିକୁ ଖୋର୍ଧାସ୍ଥିତ ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ ପ୍ରତିଷ୍ଠାନକୁ ପଠାଇ ଦିଆଯାଇଛି। ଏହାସହ ଦାମୀ ଟ୍ରେଡ୍‌ମିଲ୍‌, ଆଲମିରା ଓ ଅନ୍ୟାନ୍ୟ ଜିନିଷପତ୍ର ଏସ୍‌ଆଇଡିଆରରେ ପଡ଼ି ରହିଛି। ଏସବୁ ଦାମୀ ଜିନିଷପତ୍ର ଏବେ ‌କୌଣସି କାମରେ ଆସୁନାହିଁ। ବିଭାଗୀୟ ଅଧିକାରୀମାନେ ଏହି ଦାମୀ ଯନ୍ତ୍ରପାତି କିଭଳି କାର୍ଯ୍ୟକ୍ଷମ ହେବ, ସେଥିପ୍ରତି ଗୁରୁତ୍ବ ଦେଉନାହାନ୍ତି। ଏହାସହ ଏସ୍‌ଆଇଡିଆର ପରିସରରେ ଥିବା ମାନସିକ ବିଭାଗ ପାଇଁ କୌଣସି ସ୍ବତନ୍ତ୍ର ରୁମ୍ ନାହିଁ। ବିଭାଗର କର୍ମଚାରୀଙ୍କୁ ଏକ ସମ୍ମିଳନୀ କକ୍ଷରେ ବସିବାକୁ ପଡ଼ୁଛି। ତେବେ ଯେଉଁଦିନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର କୌଣସି ବୈଠକ କିମ୍ବା ଟେଣ୍ଡର ବୈଠକ ରହିଛି, ସେଦିନ ମାନସିକ ବିଭାଗର କାର୍ଯ୍ୟ ବନ୍ଦ ରହୁଥିବା ଅଭିଯୋଗ ହେଉଛି।

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ବିଭାଗକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ସରକାରଙ୍କୁ ଅନୁରୋଧ କରାଯାଇଛି। ଏଆରସି କାର୍ଯ୍ୟକ୍ଷମ ହେବା ପରେ ଜାଗାକୁ ନେଇ ସମସ୍ୟା ସୃଷ୍ଟି ହୋଇଛି। ଗୋଟିଏ ହଲ୍‌ରେ ୩୦/୩୫ଜଣ କର୍ମଚାରୀଙ୍କୁ କାମ କରିବାକୁ ପଡ଼ୁଛି। ଏସ୍‌ଆଇଡିଆର ପରିସରରେ ଏକ ନୂତନ ବିଲ୍ଡିଂ ନିର୍ମାଣ ପାଇଁ ଯୋଜନା ରହିଛି। ଏହି ନୂତନ ବିଲ୍ଡିଂ କାର୍ଯ୍ୟକ୍ଷମ ହେବା ପାଇଁ ୩/୪ ମାସ ଲାଗିବ। ଏହାସହ ପରିତ୍ୟକ୍ତ ଅବସ୍ଥାରେ ଥିବା କିଛି ଜାଗାକୁ ପ୍ରତୀକ୍ଷାଳୟ କରିବା ପାଇଁ ଯୋଜନା ହୋଇଛି। ଫଳରେ ଜାଗା ସମସ୍ୟା କିଛି ମାତ୍ରାରେ ଦୂର ହୋଇପାରିବ। ଏସ୍‌ଆଇଡିଆରର ୫ଟି ରୁମ୍‌ ମଧ୍ୟ କ୍ୟାପିଟାଲ ହସ୍ପିଟାଲ କର୍ତୃପକ୍ଷଙ୍କ ଅଧୀନରେ ରହିଛି। ତେଣୁ ଏହି ରୁମ୍‌ ଖାଲି ହେବା ପରେ ଏସ୍‌ଆଇଡିଆର ପାଇଁ କିଛି ସ୍ଥାନ ମିଳିପାରିବ ବୋଲି ଅଧିକାରୀଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର