୩ ଷ୍ଟାର୍ଟଅପ୍‌ ସହ ବୁଝାମଣାପତ୍ର ସ୍ବାକ୍ଷର, ପ୍ରତିବର୍ଷ ସୃଷ୍ଟି ହେବେ ୧୦ ହଜାର କୁଶଳୀ

ଭୁବନେଶ୍ବର: ଯୁବକ ଯୁବତୀଙ୍କ ଦକ୍ଷତା ବିକାଶ ନିମନ୍ତେ ରାଜ୍ୟ ବୈଷୟିକ ଶିକ୍ଷା ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ ପକ୍ଷରୁ ବିଭିନ୍ନ ଷ୍ଟାର୍ଟଅପ୍‌ ସଂସ୍ଥାଙ୍କ ସହ ରାଜିନାମା ସ୍ବାକ୍ଷର ହୋଇଛି। ଚନ୍ଦ୍ରଶେଖରପୁରସ୍ଥିତ ସରକାରୀ ପଲିଟେକ୍‌ନିକ୍‌ ମହାବିଦ୍ୟାଳୟ ସହ ଷ୍ଟାର୍ଟଅପ୍ ସଂସ୍ଥା ‘ସ୍କାଏ ରାଇଡର୍‌’, ‘ସ୍କାଏ ରାଇଡର ଇଲେକ୍ଟ୍ରିକ୍’ ଓ ‘ଏରୋ ରୋଭର୍ସ’ ସଂସ୍ଥା ବୁଝାମଣାପତ୍ର କରିଛନ୍ତି। ‘ସ୍କାଏ ରାଇଡର୍‌’ ସଂସ୍ଥା ସହ ସରକାରୀ ପଲିଟେକ୍‌ନିକ୍‌ ମିଶି କୌଶଳ ତାଲିମ କେନ୍ଦ୍ର ସ୍ଥାପନ କରିବ। ଏହାଦ୍ୱାରା ରାଜ୍ୟ ତଥା ଦେଶର ଯୁବପିଢ଼ିଙ୍କୁ ଉଚ୍ଚକୋଟୀର ବୈଷୟିକ କୌଶଳ ଶିକ୍ଷା ପ୍ରଦାନ କରାଯାଇ ପାରିବ। ଏଠାରେ ୮୦ ଊର୍ଦ୍ଧ୍ୱ ପାଠ୍ୟକ୍ରମ ଆରମ୍ଭ ହେବ, ଯାହାଦ୍ବାରା ଦେଶରୁ ଛାତ୍ରଛାତ୍ରୀ ଆସି ତାଲିମ ଗ୍ରହଣ କରିପାରିବେ। ଏହା ମାଧ୍ୟମରେ ଆଗାମୀ ଦିନରେ ପ୍ରତିବର୍ଷ ୧୦ହଜାର କୁଶଳୀ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପ୍ରଦାନର ଲକ୍ଷ୍ୟ ରହିଛି।

ସ୍କାଏ ରାଇଡର୍‌ ପକ୍ଷରୁ ଭବିଷ୍ୟତର ସମ୍ଭାବନାକୁ ନେଇ ୧୬ ପ୍ରକାର ବୈଦ୍ୟୁତିକ ଯାନ ମଡେଲ ଉତ୍ପାଦନ କରାଯିବ। ଏହି ବିଦ୍ୟୁତ୍ ପରିଚାଳିତ ଯାନ ବିଭିନ୍ନ ଶିଳ୍ପସଂସ୍ଥା, ଡାକ୍ତରଖାନା, ସରକାରୀ ଓ ବେସରକାରୀ ସଂସ୍ଥା ତଥା ଜନସାଧାରଣଙ୍କ ଉପଯୋଗୀ ହୋଇପାରିବ। ସେହିପରି ଏରୋ ରୋଭର୍ସ ସଂସ୍ଥା ପକ୍ଷରୁ ଡ୍ରୋନ୍ କ୍ୟାମେରା ଉତ୍ପାଦନ, ରକ୍ଷଣାବେକ୍ଷଣ ଓ ଉଡାଣ(ପାଇଲଟିଂ) ଆଦି କୌଶଳ ପ୍ରଶିକ୍ଷଣ ପ୍ରଦାନର ବ୍ୟବସ୍ଥା ରହିଛି। ଯାହାଦ୍ୱାରା ଛାତ୍ରଛାତ୍ରୀ ବା ଇଚ୍ଛୁକ ଯୁବବର୍ଗ ତାଲିମ ନେଇ ନିଜେ ସ୍ୱାବଲମ୍ବୀ ହେବା ସହ ବିଭିନ୍ନ ଶିଳ୍ପ ସଂସ୍ଥା, କୃଷି କ୍ଷେତ୍ର, ସରକାରୀ କାର୍ଯ୍ୟ ଓ ବିଭିନ୍ନ ଭିଡିଓ ଚିତ୍ର ଉତ୍ତୋଳନକାରୀ ସଂସ୍ଥାରେ ନିଯୁକ୍ତି ପାଇ ପାରିବେ।

ଡିଟିଇଟି ନିର୍ଦ୍ଦେଶକ ରେଘୁ ଜି. ଙ୍କ ଉପସ୍ଥିତିରେ ସରକାରୀ ପଲିଟେକନିକ୍ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁଶାନ୍ତ କୁମାର ପାତ୍ର, ସ୍କାଏ ରାଇଡର୍‌ ସଂସ୍ଥା ମୁଖ୍ୟ ହିମାଂଶୁ ଶେଖର ପଣ୍ଡା, ସ୍କାଏ ରାଇଡର୍‌ ଇଲେକ୍ଟ୍ରିକ୍‌ର ମୁଖ୍ୟ ନିହାର ରଞ୍ଜନ ପଣ୍ଡା ଓ ଏରୋ ରୋଭର୍ସର ମୁଖ୍ୟ ଯଯାତି ମହାନ୍ତି ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି। ନିର୍ଦ୍ଦେଶକ ରେଘୁ ଜୀ କହିଛନ୍ତି ଯେ ବୈଷୟିକ ଶିକ୍ଷା ନିର୍ଦ୍ଦେଶାଳୟ ଓ ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଜରିଆରେ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ସହାୟତା ପ୍ରଦାନ କରାଯାଉଛି। ଆଜିର ଏହି ବୁଝାମଣାପତ୍ର ସ୍ୱାକ୍ଷର ଷ୍ଟାର୍ଟଅପ୍‌ଗୁଡ଼ିକର ବିକାଶରେ ସହାୟତା ପ୍ରଦାନ କରିବା ସହ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ପରେ ନିଯୁକ୍ତିରେ ସହାୟକ ହେବ।

ସମ୍ବନ୍ଧିତ ଖବର